OnaKhabar

ଉପାସରେ ରହି ଚାଲିଗଲା ଜୀବନ

ବଲାଙ୍ଗୀର : ଦାଦନ ଖଟିବାକୁ ବନ୍ଧକ ରହିଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟି ଥିବାର ଜଣା ପଡିଛି । ଦାଦନ ଚାଲାଣ ପାଇଁ ଅପଖ୍ୟାତ ବଲାଙ୍ଗୀରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଏପରିକି ଶ୍ରମିକଙ୍କ ମୃତ୍ୟୁ ପରେ ଅନ୍ଧାର ରାତିରେ ଘଟଣାକୁ ରଫାଦଫା କରିବା ପାଇଁ ଉଦ୍ୟମ କରାଯାଇଛି । ମୃତକଙ୍କ ନାଁ କେନାଲୁ ମଲ୍ଲିକ ବୋଲି ଜଣା ପଡିଛି ।

ଗତ ଶୁକ୍ରବାର ଦିନ କ୍ଷମାନିଧି ନାମକ ଜଣେ ସର୍ଦ୍ଦାର ବରଗଡ ବରପାଲି ଅଞ୍ଚଳର କିଛି ଶ୍ରମିକଙ୍କୁ ଆଣି ସିମ୍ ଖମନ ଗାଁରେ ବନ୍ଧକ ରଖିଥିଲା। ସୁବିଧା ସୁଯୋଗ ଦେଖି ସର୍ଦ୍ଦାର ଓ ଲକ୍ଷୀନ୍ଦ୍ର କୁମ୍ଭାର ସେମାନଙ୍କୁ ଚାଲାଣ କରିଥାନ୍ତା। ଖାଇବା ପିଇବା ଅଭାବରେ କେନାଲୁ ମଲ୍ଲିକ ନାମକ ଜଣେ ଶ୍ରମିକ ଅସୁସ୍ଥ ହୋଇ ପଡିଥିଲେ। ସହଯୋଗୀ ସର୍ଦ୍ଦାର ତାଙ୍କୁ ମେଡିକାଲ ନେବା ବଦଳରେ ବନ୍ଧକ ରଖିଥିଲା। ଫଳରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କୁ ମେଡିକାଲ ନନେଇ ମାମଲାକୁ ରଫାଦଫା କରିବା ପାଇଁ ଯୋଜନା କରାଯାଇଥିଲା। ଗ୍ରାମରକ୍ଷୀଙ୍କୁ ହାତରେ ରଖି ଶବକୁ ଗାଁକୁ ପଠାଇବାକୁ ଯୋଜନା କରାଯାଇଥିଲା। ରାତିର ଅନ୍ଧାରରେ ଏହି ଘଟଣାକୁ ଲୁଚାଇଦେବାକୁ ଚେଷ୍ଟା କରାଯାଇଥିଲା।

ଅନ୍ୟପଟେ ଏହି ଘଟଣାକୁ ସହଯୋଗୀ ସର୍ଦ୍ଦାର ଖଣ୍ଡନ କରିଛନ୍ତି। ପରିବାରର ସହମତିରେ ମୃତଦେହ ପଠାଯାଇଥିବା ଗ୍ରାମରକ୍ଷୀ କହିଥିବା ବେଳେ ଆହୁରି ୪ରୁ ୫ ଜଣ ଶ୍ରମିକ ବନ୍ଧକ ଥିବା ସହଯୋଗୀ ସର୍ଦ୍ଦାର କହିଛନ୍ତି। ତେବେ ଏନେଇ ପ୍ରଶାସନ କୌଣସୀ କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି।