OnaKhabar

ଅର୍ଥ ଅଭାବରୁ ଛୁଆ ବିକ୍ରି କଲା ମା

251

ବଲାଙ୍ଗିର: ପୁଣି ଛୁଆ ବିକ୍ରି ଉଦ୍ୟମ ଭଳି ସଙ୍ଗିନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍ ଗଣ୍ଡପତ୍ରାପାଲି ପଞ୍ଚାୟତର ଫପସି ଗାଁରେ । ପ୍ରକାଶ ଯେ, ଗତ କିଛି ଦିନ ତଳେ ଫପସି ଗାଁ ଡୁଙ୍ଗୁରିପଡାର ମଧୂ ମହାନନ୍ଦ ଓ ତାଙ୍କ ସ୍ତ୍ରୀ ସବିତା ମହାନନ୍ଦ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଯାଉଥିବା ସମୟରେ ବିଭିନ୍ନ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ବଲାଙ୍ଗିର ରାଧାରାଣୀ ପଡାର ସରୋଜିନୀ ମହାକୁର ଙ୍କ ସହିତ ବରଗଡ ରେଲୱେ ଷ୍ଟେସନରେ ସାକ୍ଷାତ ହୋଇଥିଲା ।
ସେଠାରେ ସରୋଜିନୀ ନିଜର ଦୁଃଖ ପ୍ରକାଶ କରିବା ସହ ତାର ୫ ବର୍ଷର ବଡ ଝିଅର ଭରଣପୋଷଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ଓ ଏହା ସହିତ ପୁଣି ସେ ଗର୍ଭବତୀ ଥିବା କହିଥିଲା। କିଛି ଦିନ ପରେ ସରୋଜିନୀ ବଲାଙ୍ଗିର ରେଲୱେ ଷ୍ଟେସନ ଠାରେ ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମଦେଇଥିଲା।
ଜନ୍ମର ୨ ଦିନ ପରେ ପୂର୍ବ କଥା ମୁତାବକ ତପସ୍ୱିନୀ ଟ୍ରେନରେ ସରୋଜିନୀ ନବଜାତ ଶିଶୁ କନ୍ୟା ସହ ବଡମାଲ ରେଲୱେ ଷ୍ଟେସନରେ ଓହ୍ଲାଇବା ପରେ ମଧୂ ମହାନନ୍ଦଙ୍କ ପରିବାର ଲୋକେ ତାକୁ ଘରକୁ ନେଇ ଯାଇଥିଲେ । ପରେ ଖବର ପାଇ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ପଞ୍ଚାୟତର ଶିଶାକାନୀ ଗାଁରେ ରହୁଥିବା ସବିତାର ନାନୀ ବାଲମତି ସୁନା ଓ ତାଙ୍କ ସ୍ୱାମୀ ଘନଶ୍ୟାମ ସୁନା ଶିଶୁ କନ୍ୟାକୁ ତାଙ୍କ ସାଙ୍ଗରେ ନେବା ପାଇଁ ଆସି ମଧୂଙ୍କ ଘରେ ପହଁଚିଥିଲେ ।
ଏମାନଙ୍କ ମଧ୍ୟରେ ଦୀର୍ଘ ସମୟଧରି ଶିଶୁ କନ୍ୟାକୁ ନେବା ପାଇଁ ମୂଲଚାଲ ଚାଲିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସଇଁତଲା ପୋଲିସ ଏସଆଇ ସଙ୍ଗିତା ବେକଙ୍କ ତତ୍ତ୍ୱାବଧାନରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ ଓ ତଦନ୍ତ କରି ବଲାଙ୍ଗିର ଚାଇଲ୍ଡ ଲାଇନର ଟିମ୍ ଲିଡର ତ୍ରିଲୋଚନ ନାଗ ଓ ଟିମ ମେମ୍ବର ଉର୍ବସି ପଧାନ ସେଠାରେ ପହଁଚି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିିଥିଲେ। ସଇଁତଲା ଡାକ୍ତରଖାନାରେ ଶିଶୁର ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ ବଲାଙ୍ଗିର ସିଡବ୍ଲୁସିରେ ହସ୍ତାନ୍ତର କରିଥିଲେ। କେତେ ଟଙ୍କାରେ ବିକ୍ରି କରିବା ପାଇଁ ଉଦ୍ୟମ କରାଯାଉଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।