OnaKhabar

ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ରାଜା

520

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନୀହାରିକା ହତ୍ୟା ମାମଲାରେ ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲା ମୁଖ୍ୟ ଅଭିଯୁକ୍ତ ପ୍ରେମିକ ରାଜା ଓରଫ କିଶୋର ଅଞ୍ଚଳ । ରାଜାକୁ ଗତକାଲି ଆଳିପିଙ୍ଗଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି ।

ତେବେ ଏଠାରେ ସୂଚନାଯୋଗ୍ୟ, ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନୀହାରିକା ପାତ୍ର । ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରିନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା । ଗତ ୨୩ ତାରିଖରେ ବିରିଡି ଥାନା ପୁଲିସ୍‌ ଅଧିକ ପଚରାଉଚରା ପାଇଁ ରାଜାକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ରାଜା ଏକା ହିଁ ନୀହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ମୃତଦେହ ପୂରାଇ ନିଜ ବାଇକ୍‌ରେ ଆଣି ବିଲୁଆଖାଇ ନଦୀରେ ପକାଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା ଏସ୍‌ପି ଆର ପ୍ରକାଶ ସୂଚନା ଦେଇଛନ୍ତି । ନୀହାରିକାକୁ କିପରି ମାରିଲା ସେ ସମ୍ପର୍କରେ ଯଦିଓ ରାଜା ସ୍ପଷ୍ଟ ଭାବେ କିଛି କହି ନାହିଁ ତେବେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ନୀହାରିକାର ଚରିତ୍ରକୁ ସନ୍ଦେହ ଓ ଅନ୍ୟତ୍ର ବିବାହ ପ୍ରସ୍ତାବ ପଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି କାରଣରୁ ହିଁ ରାଜା ନିହାରୀକାକୁ ମାରିଥିବା ଏସ୍‌ପି ସୂଚନା ଦେଇଥିଲେ । ତେବେ ଡିଏନଏ ଓ ଭିସାରା ରିପୋର୍ଟ ଆସିବା ପରେ ରାଜକୁ ଆଉଥରେ ରିମାଣ୍ଡରେ ନିଆ ଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି ।