OnaKhabar

ଡାକ୍ତରଖାନାରୁ ଦଲାଲି ହଟାଇବାକୁ ଅଣ୍ଟା ଭିଡିଲା ପ୍ରଶାସନ, କେନ୍ଦ୍ରାପଡାରେ ୩ ଗିରଫ

397

 

କେନ୍ଦ୍ରାପଡା : ଏଣିକି ଡାକ୍ତରଖାନାରେ ଦଲାଲଗିରୀ ଉପରେ ସତର୍କ ନଜର ରଖିବ ପ୍ରଶାସନ । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କୁ ଦଲାଲ ଲଗାଇ ଡାକ୍ତର ମାନଙ୍କ ପ୍ରାଇଭେଟ କ୍ଲିନିକ ଓ ନର୍ସିଂହୋମକୁ ନିଆଯାଉଛି । ଫଳରେ ଦଲାଲଙ୍କ ଦ୍ଵାରା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ରୋଗୀମାନେ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ । ବର୍ଷ ବର୍ଷ ଧରି ଡାକ୍ତରଖାନାରେ ଦଲାଲ ଓ ଡାକ୍ତର ମାନଙ୍କ ଦ୍ବାରା ଶୋଷଣର ଶିକାର ହେଉଥିବା ରୋଗୀ ମାନଙ୍କୁ ଆଉ ଦଲାଲଙ୍କ ଦ୍ଵାରା ଶୋଷିତ ହେବେନାହିଁ ।

ରାଜ୍ୟ ସରକାରଙ୍କ ମୋ ସରକାର କାର‌୍ୟ୍ୟକ୍ରମରେ ସ୍ଵାସ୍ଥ୍ୟ ବିଭାଗକୁ ସାମିଲ କରାଯିବା ପରେ କ୍ରିୟାଶିଳ ହୋଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଡାକ୍ତରଖାନାରେ ଦଲାଲି କରି ରୋଗୀ ମାନଙ୍କୁ ଡାକ୍ତରଖାନାରୁ ଡାକ୍ତରଙ୍କ ବ୍ୟକ୍ତିଗତ କ୍ଲିନିକ ଓ ନର୍ସିଂହୋମକୁ ଭଲ ଚିକିତ୍ସା ହେବାକୁ କହି ନେଉଥିବା ଦଲାଲିଗିରୀ ଉପରେ ଚଢାଉ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଚଢାଉରେ ସାମିଲ ହୋଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ନର୍ସିଂହୋମ ପାଇଁ ଦଲାଲି କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଜିଲ୍ଲାପାଳ । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ମହିଳା ଦଲାଲ ଓ ଜଣେ ପୁରୁଷ ଦଲାଲ । ଦୁଇ ମହିଳା ଦଲାଲ ହେଉଛନ୍ତି ଜୟନ୍ତୀ ସାହୁ ଓ ରଶ୍ମିତା ବେହେରା । ଆଉ ପୁରୁଷ ଦଲାଲ ସ୍ଥାନୀୟ ବଡହାଟର ସୁଧାଂଶୁ ସିଂହ ବୋଲି ଜଣାପଡିଛି । ସେମାନଙ୍କ ବିରୋଧରେ ଆଇପିସି ୪୨୦ ଓ ୩୪ ଦଫାରେ ମାମଲା ଋଜୁ କରାଯାଇ କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡା ଟାଉନ ଥାନା ପୋଲିସ । ଏହାଛଡ଼ା କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସବଡିଭିଜନାଲ ହସ୍ପିଟାଲରେ ଆଜି ପଟ୍ଟାମୁଣ୍ଡାଇ ପୋଲିସ ପକ୍ଷରୁ ଚଢାଉ ହୋଇଥିବା କେନ୍ଦ୍ରାପଡା ଏସ୍ ପି ସୂଚନା ଦେଇଛନ୍ତି । ପଟ୍ଟାମୁଣ୍ଡାଇରେ କହାରିକୁ ଗିରଫ କରାଯାଇନଥିବା ବେଳେ ଲାବୋରେଟୋରୀ ଟେକ୍ନିସିଆନ କାମ କରୁଥିବା ଜଣେ ସନ୍ଦିଗ୍ଧ ଦଲାଲକୁ କେବଳ ପୋଲିସ ସତର୍କ ସୂଚନା ଦେଇ ଛାଡି ଦେଇଛି ।

ଖାଲି ଡାକ୍ତରଖାନା ଉପରେ ଚଢାଉ ନୁହଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଆଉପାଦେ ଆଗକୁ ବଢିଛି । ଜିଲ୍ଲା ପରିବହନ କାର‌୍ୟ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ର ଶିଘ୍ର କରାଇଦେବା ପାଇଁ ଦଲାଲମାନେ ସକ୍ରିୟ ହୋଇ ସାଧାରଣ ଲୋକ ମାନଙ୍କ ପକେଟ ଲୁଟ କରୁଥିବା ଖବର ପାଇଥିଲା ପୋଲିସ । ଆଜି ଜିଲ୍ଲା ପରିବହନ କାର‌୍ୟ୍ୟାଳୟ ଉପରେ ମଧ୍ୟ ଚଢାଉ କରିଥିଲା ପୋଲିସ । ହେଲେ ପୋଲିସର ଗୁପ୍ତ ଚଢାଉ ଯୋଜନା ଲିକ୍ ହୋଇଯିବାରୁ ଦଲାଲ ମାନଙ୍କୁ ଠାବ ନକରିପାରି ଖାଲି ହାତରେ ଫେରି ଆସିଥିଲା ପୋଲିସ ।