OnaKhabar

ପାଠ ପଢାରେ ଡୋରୀ: ପରିବାରର ବୋଝ ଉଠାଇଲା ନାବାଳିକା, ସରକାରୀ ସାହାଯ୍ୟ ପାଇଁ ଗୁହାରୀ

1,038

ବୌଦ୍ଧ : ଜଣେ ନାବାଳିକା ଝିଅ ହାତରେ ପରିବାର ବୋଝ । ଉଚ୍ଚ ଶିକ୍ଷିତ ହେବା ପାଇଁ ଆଶା ତାର ଆଶାରେ ରହିଗଲା । ପାଠ ପଢିବାକୁ ଇଛା ଥିଲେ ସୁଧା ଘରର ଆର୍ଥିକ ସ୍ଥିତି ତାକୁ ପାଠ ପଢାରେ ଡୋରି ବାନ୍ଧିବାକୁ ବାଧ୍ୟ କରିଛି ।
ଏଭଳି ଏକ ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲ୍ା ବାଉଁଶୁଣୀ ଥାନା ଅନ୍ତର୍ଗତ ବଡଝାରକଟାରେ ଦେଖିବାକୁ ମିଳିଛି । ଏହି ଗ୍ରାମର ସ୍ୱପ୍ନ ରଣା ଅତ୍ୟନ୍ତ ଗରିବ ଶ୍ରେଣୀର ଅଟିଏ । ତାଙ୍କର ପରିବାର କହିଲେ ସ୍ତ୍ରୀ ଓ ଦୁଇଟି ଝିଅ । ଶ୍ରୀ ରଣା ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ଭଗବାନ ତାଙ୍କ ପରିବାରକୁ ଦୁଃଖ ପରେ ଦୁଃଖ ଦେବା ସହିତ ପ୍ରଥମେ ଗୋଟିଏ ଆଖି କୌଣସି କାରଣରୁ ଖରାପ ହେବା ଯୋଗୁଁ ପରିବାର ଲୋକ ବିଭିନ୍ନ ଡାକ୍ତରଖାନାରେ ଦେଖାଇଥିଲେ । କିନ୍ତୁ ତାଙ୍କର ଆଖି ସ ଭଲ ହେବା ପରିବର୍ତେ ଅନ୍ୟ ଆଖିଟି ମଧ୍ୟ ଖରାପ ହେବାରେ ଲାଗିଲା । ଶେଷରେ ଦୁଇ ଆଖିକୁ କିଛି ଦେଖା ନଯିବାରୁ ଘରେ ଅସହାୟ ଭାବେ ସ୍ୱପ୍ନ ବସିରହିଲେ । ରୋଜଗାରିଆ ବାପା ଘରେ ବସି ରହିବା ଯୋଗୁଁ ପରିବାର ଲୋକ ଭାଙ୍ଗି ପଡିଥିଲେ । ଏପଟେ ଘରେ ଦୁଇ ଦୁଇଟି ଝିଅ , ମାଆ ଅଞନା ରଣା ସ୍ୱାମୀଙ୍କ ଚିକିତ୍ସା କରିବେ ନା ପରିବାର ଚଳାଇବେ ସେହି ଚିନ୍ତାରେ ଭାଙ୍ଗିପଡିଲେ । ଏହା ଭିତରେ ସ୍ୱପ୍ନ ତାଙ୍କ ବଡ ଝିଅକୁ ବହୁ କଷ୍ଟରେ ଜଣେ ବର ପାତ୍ର ଯୋଗାଡ କରି ଘରର ଯାହା ଜମି ଥିଲା ବିକ୍ରି କରି ବିବାହ କରିଥିଲେ । ବଡ ଝିଅର ବିବାହର କିଛି ମାସ ପରେ ଗରିବ ପରିବାରକୁ ଆଉ ଏକ ବଡ ବିପଦ ମାଡି ବସିଲା । ଗତ ୨୬.୯.୧୮ ରିଖରେ ମାଆ ଅଞ୍ଜନାଙ୍କ ଦେହାନ୍ତ ହୋଇଗଲା । ମାଆଙ୍କ ଦେହାନ୍ତ ପରେ ଘରେ ୧୭ ବର୍ଷିଆ ନାବାଳିକା ଝିଅ ସାବିତ୍ରୀ ରଣା ଉପରେ ପଡିଲା ପରିବାରର ବୋଝ । ସାବିତ୍ରୀ ଗତ ୨୦୧୫ ମସିହାରେ ମାଟ୍ରିକ ପାଶ କରି ବର୍ତମାନ ବାଉଁଶୁଣୀ ଠାରେ ଏକ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢୁ ଅଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଅଟନ୍ତି ।
ମ୍ୟାଟ୍ରିକ ପରୀକ୍ଷାରେ ସେ ଭଲ ନମ୍ବର ରଖି ପାଶ କରିଥିବାବେଳେ ତାଙ୍କର ଆଗକୁ ପଢିବାର ବହୁ ଆଗ୍ରହ ଅଛି । କିନ୍ତୁ ତାଙ୍କର ସ୍ୱପ୍ନ ମାତ୍ର ସ୍ୱପ୍ନରେ ରହିଗଲା । ବର୍ତମାନ ଅନ୍ଧ ବାପାଙ୍କ ଯତ୍ନ କରିବା ତାଙ୍କ ପକ୍ଷେ କଷ୍ଟ ହୋଇପଡୁଥିବାବେଳେ ପରିବାର ବୋଝ ତାଙ୍କ ପାଠ ପଢାରେ ଡୋରି ବାନ୍ଧିବାକୁ ବାଧ୍ୟ କରିଛି । ଏସବୁ ଭାବି ଆଖିରୁ ଲୁହ ଝରାଉଛି ସାବିତ୍ରୀ । ଏନେଇ ସାବିତ୍ରୀ ଶେଷରେ ବୌଦ୍ଧ ଜିଲ୍ଳାପାଳଙ୍କ ପାଖରେ ଗୁହାରୀ କରିଛି । ସରକାରୀ ସାହଯ୍ୟ ଯୋଗାଇ ଦେବା ପାଇଁ ପ୍ରଶାସନ ଆଗରେ ଆକୁଳ ନିବେଦନ କରିବା ସହ ଅନ୍ଧ ବାପାଙ୍କୁ ସରକାରୀ ସାହଯ୍ୟ ଯୋଗାଇ ଦେବା ସହ ପାଠ ପଢା ପାଇଁ ପ୍ରଶାସନ ସାହାଯ୍ୟ କରିବାକୁ ମଧ୍ୟ ଗୁହାରୀ କରିଛି । ଇଛା ତାର ପାଠ ପଢି ଭଲ ଚାକିରି କରିବ । ଦେଖାଯାଉ ଆଗାମୀ ଦିନରେ ପ୍ରଶାସନ ସାବିତ୍ରୀକୁ କି ପ୍ରକାର ସାହାଯ୍ୟ ଯୋଗାଇ ଦେଉଛି । ସତରେ କଣ ସାବିତ୍ରୀର ସ୍ୱପ୍ନ ବାସ୍ତବ ରୂପ ନେଇପାରିବ !

Comments are closed.