OnaKhabar

କାଳିଆ ଯୋଜନା : କାହାକୁ ବିଶ୍ୱାସ କରିବେ ଲୋକେ

657

ଭୁବନେଶ୍ୱର : ‘କାଳିଆ’ ଅଡ଼ୁଆ ତୁଟୁନାହିଁ । ଯୋଜନା ଆରମ୍ଭରୁ କିଛି ନା କିଛି ବିବାଦ ଲାଗି ରହିଛି । ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଏହି ବିବାଦ ବିରୋଧୀ ନୁହେଁ ସରକାରୀ ସ୍ତରରୁ ଆସିଛି । ବର୍ତମାନ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଯେଉଁ ତଥ୍ୟ ଦିଆଯାଉଛି ବାସ୍ତବରେ ଏଥିରେ କାହା କଥା ଠିକ ତାହା ଦ୍ୱନ୍ଦ ସୃଷ୍ଟିି କରିଛି । କୃଷି ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ଗଣମାଧ୍ୟମରେ ଯେଉଁ ମତ ରଖିଥିଲେ ଏବଂ ବୁଧବାର ଦଳର ମୁଖପାତ୍ର ବିଧାୟକ ପ୍ରତାପ କେଶରୀ ଦେବ ଯେଉଁ ମତ ରଖିଛନ୍ତି ସେଥିରେ ତାଳମେଳ ନାହିଁ । ଗଣମାଧ୍ୟମ ମୁଣ୍ଡରେ ଅଠାବୋଳି ଖସିଯିବାକୁ ବସିଛନ୍ତି । ବାସ୍ତବରେ ମନ୍ତ୍ରୀ ନା ମୁଖପାତ୍ରଙ୍କ କଥାକୁ ଲୋକେ ବିଶ୍ୱାସକୁ ନେବେ ତାହା ଏବେ ଆଲୋଚ୍ୟର ବିଷୟ ହୋଇଛି । ମଙ୍ଗଳବାର କାଳିଆ ଯୋଜନାର ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା । ଏହି ସମୀକ୍ଷାକୁ ନେଇ ମନ୍ତ୍ରୀ ଅରୁଣ ସାହୁ ଅଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ସେ କହିଥିଲେ କିଏ ଯୋଗ୍ୟ ଓ କିଏ ପାଇବା ଯୋଗ୍ୟ ନୁହେଁ ତା’ର ବିସୃତଭାବେ ଯାଞ୍ଜ ହୋଇଥିଲା । ଏଥିରେ ୧୨ହଜାର ବଡ଼ ଚାଷୀଙ୍କ ନାଁ ରହିଛି ଓ ୯ହଜାର ନାବଳକ ଅଛନ୍ତି । ୨୦ହଜାର ସରକାରୀ କର୍ମଚାରୀ ଓ ପେନସନ ଧାରୀ ମଧ୍ୟ କାଳିଆ ଯୋଜନାର ଅର୍ଥ ନେଇଛନ୍ତି । ଗୋଟିଏ ପରିବାରରୁ ଏକାଧିକ ହିତାଧିକାରୀ ନେଇଛନ୍ତି । ଯେଉଁ ପରିବାରରେ ଏକାଧିକ ହିତାଧିକାରୀ ନେଇଛନ୍ତି ସେ ପରିବାରକୁ ପରବର୍ତି କିସ୍ତିରେ ଆଡଜଷ୍ଟ କରାଯିବ । ଏଭଳି ୩ଲକ୍ଷ ପରିବାର ଅଛନ୍ତି ଯେଉଁଥିରେ ଏକାଧିକ ବ୍ୟକ୍ତି ଅର୍ଥ ନେଇଛନ୍ତି । ଯେଉଁ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଅର୍ଥ ନେଇଛନ୍ତି ସେମାନଙ୍କୁ ଫେରେଇବା ପାଇଁ କୁହାଯିବ । ସେମାନେ ନଫେରେଇଲେ ସେମାନଙ୍କ ଦରମା ଓ ପେନସନରୁ କଟାଯିବ । ସେହିପରି ବଡ଼ଚାଷୀମାନଙ୍କୁ ମଧ୍ୟ ଅର୍ଥ ଫେରେଇବା ପାଇଁ ପ୍ରବର୍ତାଇଯିବ ବୋଲି ମନ୍ତ୍ରୀ କହିଥିଲେ । ଦଳର ମୁଖପାତ୍ର ବିଧାୟକ ପ୍ରତାପ କେଶରୀ ଦେବ ଆଜି କହିଛନ୍ତି ବିଭିନ୍ନ ଗଣମାଧ୍ୟମରେ କାଳିଆ ଯୋଜନା ଉପରେ ଟିପ୍ପଣୀ କରାଯାଇଛି । ଗତକାଲି କୃଷି ବିଭାଗର ବୈଠକ ଥିଲା । ତାହା କାଗଜକୁ ଭିତିକରି ଯେଉଁ ଟିପ୍ପଣୀ କରିଛନ୍ତି, ସେଥିରେ ଅନେକ ତୃଟି ରହିଛି । କଉଠି ନା କଉଠି ବୁଝିବାର ଭୁଲ ରହିଛି । ଯେଉଁ ୩ଲକ୍ଷ ୪୧ ହଜାର ହିତାଧିକାରି କଥା କହୁଛନ୍ତି, ତାହା ୪ଭାଗରେ ବିଭକ୍ତ । ୨୦ ହଜାର ହେଉଛନ୍ତି ସରକାରୀ ଚାକିରିଆ ଓ ୧୨ହଜାର ହେଉଛନ୍ତି ବଡ଼ଚାଷୀ । ଯଦି ଅନିୟମିତତା କୁହାଯାଏ ତେବେ ଏ ହେଉଛି ଅନିୟମିତତା । ୩ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ନୁହଁନ୍ତି । ପ୍ରକୃତରେ ୨୦ହଜାର ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଓ ୧୨ହଜାର ବଡ଼ଚାଷୀ ଯେଉଁମାନେ ପଇସା ନେଇଛନ୍ତି । ସମୁଦାୟ ହେଉଛନ୍ତି ୩୨ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଯେଉଁ ପରିବାରରୁ ଏକାଧିକ ବ୍ୟକ୍ତି ଅର୍ଥ ନେଇଛନ୍ତି ଓ ଯେଉଁ ୯ହଜାର ନାବାଳକ କାଳିଆ ଯୋଜନାର ଅର୍ଥ ନେଇଛନ୍ତି ସେମାନେ ଅଯୋଗ୍ୟ ନୁହଁନ୍ତି । ଏହି ପରିବାରକୁ ପରବର୍ତି କିସ୍ତିରେ ଆଉ ଟଙ୍କା ମିଳିବ ନାହିଁ ତାହା ଆଡଜଷ୍ଟ ହେବ । ମୋଟ ୫୧ଲକ୍ଷ କାଳିଆ ହିତାଧିକାରୀଙ୍କ ମଧ୍ୟରୁ .୬୨ପ୍ରତିଶତ ତୃଟିକୁ ଘୋଟାଲା କୁହାଯାଇପାରିବ ନାହିଁ ବୋଲି ଶ୍ରୀ ଦେବ ମତ ରଖିଛନ୍ତି ।

Comments are closed.