OnaKhabar

ସ୍ୱାଭିମାନ ଅଂଚଳରେ ପୋଲିସ-ଜନତା ମୁହାଁମୁହିଁ

103

ମାଲକାନଗିରି : ମାଲକାନଗିରି ପାପରମେଟଲା ଥାନାରେ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି | ମୃତ ବ୍ୟକ୍ତି ଜଣକ ହେଲେ ରାଜୁ ହନ୍ତାଳ | ଉତ୍ତ୍ୟକ୍ତ ଲୋକ ଏକାଠି ହେବା ପରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି । ଫଳରେ ଲୋକଙ୍କ ଅତର୍କିତ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

ତେବେ ରାଜୁଙ୍କୁ ଯବାନମାନେ ହତ୍ୟା କରିଥିବା ପରିବାର ଲୋକ ବାରମ୍ବାର ଅଭିଯୋଗ କରୁଛନ୍ତି । କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ପ୍ରତିବାଦରେ ଗାଁ ଲୋକେ ତାତିଛନ୍ତି । ଆଜି ସକାଳୁ ଥାନା ନିକଟରେ ଅନେକ ଲୋକ ଧିରେ ଧିରେ ଏକାଠି ହୋଇଥିଲେ । ଏହା ପରେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ଏଥିରେ ଦୁଇ ଜଣ ପୋଲିସ ଆହତ ହୋଇଛନ୍ତି । ଥାନା ପରିସରରେ ଏବେ ଫୋର୍ସ ମୁତୟନ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶୁକ୍ରବାର ଦିନ ଯନ୍ତାପାଇ ସାପ୍ତାହିକ ହାଟରେ ରାଜୁ ହନ୍ତାଳ ଥିଲେ । ଏହି ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ତାଙ୍କ ସହିତ ଥିଲେ । ଦୁଇ ଜଣ ଲୋକ ବିଏସ୍‌ଏଫ୍‌ ଯବାନ ପରିଚୟ ଦେଇ ରାଜୁଙ୍କୁ ଡାକି ନେଇଥିଲେ । ଏହା ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇଥିଲେ । ସେଠାରେ କିଛି ଖବର ନ ପାଇ ନିରାଶ ହୋଇ ଫେରିଥିଲେ । ତେବେ ଶନିବାର ଦିନ ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି । କିନ୍ତୁ ପରିବାର ଲୋକ ମୃତ ଦେହକୁ ଗ୍ରହଣ କରୁ ନାହାଁନ୍ତି । ରାଜୁଙ୍କୁ ଯବାନମାନେ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।