OnaKhabar

ନୂଆ ଟ୍ରାଫିକ ଆଇନ : ଗୁଜୁରାଟ କମାଇଲା, ଓଡିଶା ଉପରେ ଚାପ

1,738

ଭୁବନେଶ୍ୱର : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଦେଶ ବ୍ୟାପି ଗାଡି ଚାଳକଙ୍କ ଭିତରେ କୋକୁଆ ଭୟ ସୂଷ୍ଟି ହୋଇଛି । କେବଳ ଏତିକି ନୁହେଁ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ଜନ ଅସନ୍ତୋଷ ମଧ୍ୟ ଦେଖାଦେଇଛି । ଏଣୁ ଗୁଜୁରାଟର ବିଜେପି ସରକାର କେନ୍ଦ୍ର ବିଜେପି ସରକାରଙ୍କ ନିୟମକୁ ସମ୍ପୂର୍ଣ୍ଣ ଲାଗୁ କଲେ ନାହିଁ । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଜରିମାନା ପରିମାଣକୁ ହ୍ରାସ କରି ଲାଗୁ କରିଛନ୍ତି । ସବୁ ପ୍ରକାର ଜରିମାନା ପରିମାଣରେ ସଂଶୋଧନ କରିଛନ୍ତି ଗୁଜୁରାଟ ସରକାର । ଏ କ୍ଷେତ୍ରରେ ଦେଖିଲେ ଓଡିଶା ସରକାର ପୁରା ପୂରି କେନ୍ଦ୍ର ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରିବାରେ ଲାଗିଛନ୍ତି । ଏହାଦ୍ୱାରା ଜନ ଅସନ୍ତୋଷ ତୀବ୍ରତର ହେବାରୁ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତଷେପ କରି ୩ ମାସ ପାଇଁ ଆଇନକୁ ଲାଗୁ କରିବା ଦିଗରେ କୋହଳ କରିଛନ୍ତି । କିନ୍ତୁ ଜରିମାନା ପରିମାଣ ହ୍ରାସ କରିବେ କିମ୍ବା ସଂଶୋଧନ କରିବେ ବୋଲି କହି ନାହାଁନ୍ତି । ଆୟୂଷ୍ମାନ ଭାରତ ଯୋଜନା ଯେଉଁଥିରେ ଓଡିଶାର ଗରିବ ଲୋକମାନେ ଦେଶର ଯେକୌଣସି ସ୍ଥାନରେ ଚିକିତ୍ସାର ସୁବିଧା ପାଇପାରିଥାନ୍ତେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯେତେ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିଲେ ସମସ୍ତେ ଯେତେ ଅନୁରୋଧ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଲେ ନାହିଁ । ଓଡିଶାର ବିଜୁ ସ୍ୱାସ୍ଥ୍ୟ ଯୋଜନା ସବୁଠାରୁ ଭଲ ବୋଲି କହି ଏଡାଇ ଗଲେ । ହେଲେ ନୂଆ ଟ୍ରାଫିକ ନିୟମ ରାଜସ୍ଥାନ , ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଭଳି ବଡ ବଡ ରାଜ୍ୟ ଲାଗୁ କର ିନଥିବା ବେଳେ ଓଡିଶା ସରକାର ଅବିକଳ ଭାବେ ଲାଗୁ କରିବା ପାଇଁ ଯେଉଁଭଳି ତତ୍ପରତା ପ୍ରକାଶ କଲେ ତାହା ସନ୍ଦେହ ସୂଷ୍ଟି କରୁଛି । କାରଣ ଏଥିରୁୁ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯିବ ଓ ଏହାଦ୍ୱାରା ରାଜସ୍ୱ ସଂଗ୍ରହ ମଧ୍ୟ ହେବ । ଗୁଜୁରାଟ ବିଜେପି ଶାସିତ ରାଜ୍ୟ ହୋଇଥିଲେ ବି ସଂପୂର୍ଣ୍ଣ ଭାବରେ କେନ୍ଦ୍ର ଆଇନକୁ ଲାଗୁ କରୁନାହାଁନ୍ତି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଜରିମାନକୁ ସଂଶୋଧନ କରିଛନ୍ତି । ଏଥିରେ ହେଲମେଟ୍ ନଥିଲେ ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା , ସିଟ୍ ବେଲ୍ଟ ବାନ୍ଧି ନଥିଲେ ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୫୦୦୦ ଟଙ୍କା ବଦଳରେ ଦୁଇ ଚକିଆ ଯାନ ପାଇଁ ୨୦୦୦, ଓ ଅନ୍ୟ ଚାଳକଙ୍କ ପାଇଁ ୩୦୦୦ ଟଙ୍କା ରଖାଯାଇଛି । ୩ ଜଣ ବସିକି ଯାଉଥିଲେ ୧୦୦୦ ଟଙ୍କା ବଦଳରେ ୧୦୦ ଟଙ୍କା ରଖାଯାଇଛି । ପ୍ରଦୂଷଣ ପାଇଁ ନୂଆ ଆଇନରେ ୧୦ ହଜାର ଟଙ୍କା ଜରିମାନା ଥିଲା ବେଳେ ଛୋଟ ଗାଡି ପାଇଁ ହଜାରେ ଓ ଅନ୍ୟ ଗାଡି ପାଇଁ ୩ହଜାର ଟଙ୍କା ଗୁଜୁରାଟ ସରକାର ଧାର୍ଯ୍ୟ କରିଛନ୍ତି । ବର୍ତମାନ ଗୁଜୁରାଟ ସରକାରଙ୍କ ଏହି ସଂଶୋଧିତ ନିୟମ ଦେଖିଲା ପରେ ଓଡିଶା ସରକାର ଏହି ପନ୍ଥା ଅବଲମ୍ବନ କରୁଛନ୍ତି କି ନାହିଁ ତାହା ଦେଖିବା କଥା । ରାଜ୍ୟ ସରକାରଙ୍କ ଆଇନରେ ଯୋଉଁ କ୍ଷମତା ଦିଆଯାଇଛି ତାକୁ ଭିତି କରି ଓଡିଶା ସରକାର ଲୋକଙ୍କ ପାଇଁ ଜରିମାନା ପରିମାଣ କେତେଦୁର ହ୍ରାସ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରହିଛି । କାରଣ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ଆଇନରେ ସଂଶୋଧନ କରି ଜରିମାନା ପରିମାଣ ହ୍ରାସ କରିବାକୁ କୁହାଯିବ । ହେଲେ ଏ ଦିଗରେ କେତେ ଦୁର ପଦକ୍ଷେପ ସରକାର ନେଉଛନ୍ତି ତାହା ମଧ୍ୟ ବଡ ପ୍ରଶ୍ନ । ଗୁଜୁରାଟ ସରକାର ଜରିମାନା ପରିମାଣ ହ୍ରାସ କରିଥିବାରୁ ଓଡିଶା ସରକାରଙ୍କ ଉପରେ ଏହାକୁ ନେଇ ଏବେ ଚାପ ପଡିଛି ।

Comments are closed.