OnaKhabar

ସମ୍ପତ୍ତି ପାଇଁ ମା’କୁ ମାଡ ମାରି ଲହୁ ଲୁହାଣ କଲେ

365

ନୟାଗଡ଼ : ଆଜିର ଦୁନିଆରେ ପରିବାରରେ ବାପା ମା ,ପୁଅ, ବୋହୁ ସମ୍ପର୍କ ଧୀରେ ଧୀରେ ବିଛିନ୍ନ ହେବାକୁ ବସିଛି । ଏଥି ଯୋଗୁଁ ବହୁ ବୃଦ୍ଧ ପିତା ମାତା, ଅବହେଳିତ, ଲାଛିତ, ଜର୍ଜରିତ ହେବାକୁ ପଡୁଛି । ଏପରିକି ବୃଦ୍ଧାଶ୍ରମରେ ମଧ୍ୟ ପିତାମାତା ଜୀବନ ବିତାଉଛନ୍ତି । ସମ୍ପତ୍ତି ଲୋଭରେ ଏକମାତ୍ର ପୁତ୍ର ବୃଦ୍ଧା ବିଧବା ମା’କୁ ମାଡ ମାରି ମରଣାତ୍ମକ ଆକ୍ରମଣ କରିବା ଘଟଣା ମଙ୍ଗଳବାର ଦିନ ବୋଲଗଡ ଥାନାରେ ଅଭିଯୋଗ ହୋଇଛି ।
ବୋଲଗଡ ଥାନା ଅଧିକାରୀ ଶେଖ୍ ଆକବରଅଲ୍ଲୀଙ୍କ ଠାରୁ ପ୍ରକାଶ ଯେ,ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅଧିନ ଡିହଖଉରୁଣୀ ଗ୍ରାମରେ ସ୍ୱର୍ଗତ ସାରଙ୍ଗଧର ବିଶ୍ୱାଳଙ୍କ ବିଧବା ପତ୍ନି ବସନ୍ତ ବିଶ୍ୱାଳ (୬୨) ତାଙ୍କର ଏକମାତ୍ର ପୁତ୍ର ଶୁଭେନ୍ଦୁ ବିଶ୍ୱାଳ ଅଛନ୍ତି । ତାଙ୍କର ୩ଝିଅ ପୂର୍ବରୁ ବିବାହ କରି ଅନ୍ୟତ୍ର ରହୁଥିବାବେଳେ ଏକମାତ୍ର ପୁତ୍ର ଶୁଭେନ୍ଦୁ ସ୍ତ୍ରୀ ଓ ପୁଅକୁ ନେଇ ଖୋର୍ଦ୍ଧା ଗୁରୁଜଙ୍ଗରେ ରହୁଛନ୍ତି । ପୈତୃକ ସମ୍ପତ୍ତି ସମ୍ପୁର୍ଣ୍ଣ ବିକ୍ରି କରି ନିଜ ଗ୍ରାମରୁ ଗୁରୁଜଙ୍ଗରେ ସବୁଦିନ ରହିବାପାଇଁ ପ୍ରୟାସ କରୁଥିବାବେଳେ ମା କିନ୍ତୁ ଏସବୁ କରିବାପାଇଁ ସୁଯୋଗ ଦେଉନାହାଁନ୍ତି । ଏହାକୁ ନେଇ ଉଭୟ ମା ଓ ପୁଅଙ୍କ ମଧ୍ୟରେ ସର୍ବଦା ବିବାଦ ଲାଗି ରହୁଥିଲା । ମଙ୍ଗଳବାର ଦିନପୁଅ ଶୁଭେନ୍ଦୁ ବିଶ୍ୱାଳ(୪୨),ବୋହୁ ରଶ୍ମିତା ବିଶ୍ୱାଳ(୩୬) , ନାତି ସମ୍ବିତ ବିଶ୍ୱାଳ(୧୮) ଓ ଖୋର୍ଦ୍ଧା ଅଞ୍ଚଳର ୪ଜଣ ଗୁଣ୍ଡା ଶ୍ରେଣୀର ବ୍ୟକ୍ତିଙ୍କୁ ଆଣି ଦିବା ୧୧ଟାରେ ଡିହଖଉରୁଣୀ ଗ୍ରାମର ପହଂଚିଥିଲେ । ସେଠାରେ ବୃଦ୍ଧା ମାକୁ ମାଡମାରି ତାଙ୍କ ବେକରୁ ୧ଭରିର ସୁନାଚେନ, ୨ହଳ ସୁନାକାନ ଫୁଲ ଛଡାଇନେବା ସହିତ ଘରରେ ଥିବା ସମସ୍ତ ଆସବାବ ପତ୍ର ଏକ ପିକଅପ ଭ୍ୟାନରେ ଲଦି ନେଇ ପଳାଇଯାଇଛନ୍ତି । ପୁଅ, ବୋହୁ ଓ ନାତିର ଠେଙ୍ଗା ମାଡରେ ବୃଦ୍ଧାଙ୍କର ମୁଣ୍ଡ ,ଆଖିପତା ଫାଟିଯିବା ସହିତ ଶରୀରରେ ବହୁସ୍ଥାନରେ ଆଘାତ ଲାଗିଛି । ଏହି ଘଟଣାରେ ଗ୍ରାମବାସୀଙ୍କ ସହୟାତାରେ ବୃଦ୍ଧା ଜଣକ ବାଙ୍କୋଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହିତ ବାଙ୍କୋଇ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଛନ୍ତି । ସନ୍ଧ୍ୟା ୭ଟାରେ ବହୁ କଷ୍ଟରେ ବୃଦ୍ଧା ଜଣକ ବିବାହିତା ଝିଅମାନଙ୍କ ଗହଣରେ ଆସି ବୋଲଗଡ ଥାନାରେ ପୁଶ୍ଚ ଡାକରୀ ରିପୋର୍ଟ ସହ ଲିଖିତ ଅଭିଯୋଗ କରିଛ”ି । ଖବର ଲେଖା ହେବା ପର୍ଯ୍ୟନ୍ତ ମକଦ୍ଦମା ରୁଜୁ ହୋଇନଥିବାର ଜଣାପଡିଛି ।

Comments are closed.