OnaKhabar

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା

422

ଭୁବନେଶ୍ୱର : ଗତ କିଛି ଦିନ ତଳେ ରାଜଧାନୀରେ ଲଗାତର ଅପରାଧ ଘଟିବା ପରେ ପୁଲିସ ମୁଣ୍ଡରେ ଚେତା ପଶିଥିଲା | ହେଲେ ସାମାନ୍ୟ କିଛି ଦିନର ନିରବତା ପରେ ପୁଣି ଦେଖିବାକୁ ମିଳିଛି ଏକ ବର୍ବର କାଣ୍ଡ | ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକ ହେଲେ, ରଙ୍ଗମାଟିଆ ତଳସାହିର ଚକ୍ରଧର ବେ‌ହେରାଙ୍କ ପୁଅ ଦୀପକ କୁମାର ବେହେରା ଓରଫ ଲଣ୍ଡା ଓ ତାଙ୍କର ବୟସ ୨୧ ବର୍ଷ । ୮ ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ନିଷ୍କ୍ରିୟତାରୁ ଏଭଳି ହତ୍ୟାକାଣ୍ଡ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ମୁତାବକ, ରଙ୍ଗମାଟିଆ ତଳସାହି ଶିବମନ୍ଦିର ଛକରେ ଚକ୍ରଧର ବେହେରାଙ୍କ ଜଳଖିଆ ଦୋକାନ ରହିଛି । ଗତକାଲି ରାତି ପ୍ରାୟ ୯ଟା ବେଳେ ଲଣ୍ଡା ବାପାଙ୍କ ଦୋକାନରେ ବସିଥିବାବେଳେ ୪ଟି ବାଇକ୍‌ରେ ୮ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଲଣ୍ଡାଙ୍କୁ ଡାକି କଥା ହେବା ବେଳେ ଅତର୍କିତ ଆକ୍ରମଣ କରିଥିଲେ । ଯୁବକମାନେ ଚାପଡ଼ରେ ଲଣ୍ଡାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇବା ସହ ଖଣ୍ଡାରେ ପେଟକୁ ଭୁସି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଲଣ୍ଡା ନିଶ୍ଚଳ ହୋଇ ପଡ଼ିଯାଇଥିଲେ। ତାଙ୍କ କ୍ଷତରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକ ମଞ୍ଚେଶ୍ବର ଥାନା ପୁଲିସ୍‌କୁ ସୂଚନା ଦେବା ସହ ଏକ ଆମ୍ବୁଲାନସ୍‌ରେ ଲଣ୍ଡାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ ଅନୁମାନ କରୁଛି | ଲଣ୍ଡା ଜଣେ ଜମି ଦଲାଲ । କିଛି ଦିନ ତଳେ ଏକ ଜମିକୁ ବିକ୍ରି କରିବା ନେଇ କେତେକ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ସମ୍ପୃକ୍ତ ଯୁବକମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଅପରପକ୍ଷରେ ୨୦/୨୫ ଦିନ ପୂର୍ବେ ଲଣ୍ଡା ତାଙ୍କ ସାହିର ଦୁଇଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ସେତେବେଳେ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସି ପଡ଼ିଥିଲା । ଫଳରେ ଆଜି ଏଭଳି ଏକ ବଡ଼ ଅଘଟଣ ଘଟିଗଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ନେଇ ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି, ଆମେ ପୂର୍ବରୁ ଅଭିଯୋଗ ପାଇଥିଲୁ, ମାତ୍ର ଅଭିଯୁକ୍ତମାନେ ଫେରାର୍‌ ଥିଲେ । ହଠାତ୍‌ ଏଭଳି ଘଟଣା ଘଟିବ ବୋଲି ଆଶା କରିନଥିଲୁ । ଜମି ଦଲାଲି ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ଶ୍ରୀ ସେଠୀ କହିଛନ୍ତି ।