OnaKhabar

ସରକାରଙ୍କୁ ଘେରିଲେ ବିରୋଧୀ: ନେଇଥିବା ଜରିମାନା ଫେରାଅ

1,075

ଭୁବନେଶ୍ୱର (ଓଏନଏ): ନୂଆ ଟ୍ରାଫିକ ନିୟମକୁ ଲାଗୁ କରିବା ପରେ ଜରିମାନା ଆଦାୟକୁ ନେଇ ତୀବ୍ର ଜନ ଅସନ୍ତୋଷ ରାଜ୍ୟବ୍ୟାପୀ ଦେଖାଦେବା ଓ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ସରକାର ଚେତିଛନ୍ତି । ଏହି ଘଟଣା ପରେ ଜନ ରୋଷକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଉଦବେଗ ପ୍ରକାଶ କରିବା ସହ ଆଇନକୁ ଲାଗୁ କରିବା କ୍ଷେତ୍ରରେ ୩ ମାସ କୋଳହ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି । ଚଳିତ ମାସ ୧ ତାରିଖରୁ ଏହି ଆଇନ ଲାଗୁ କରାଯାଇ ଯେଉଁମାନଙ୍କଠାରୁ ଯେତିକି ଜରିମାନା ଆଦାୟ କରାଯାଇଛି ତାହା ଫେରାଇବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ନେତା ଦାବି କରିଛନ୍ତି । ଏହି ଘଟଣା ଏବେ ପ୍ରଦର୍ଶନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପଇସା ଫେରାଇବାକୁ ନେଇ ସେମାନେ ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେଉଁଭଳି ଭାବରେ ସରକାର ରାସନ କାର୍ଡ କ୍ଷେତ୍ରରେ ଜରିମାନା ୧୦ଗୁଣ ନେଇଥିଲେ ଚାଉଳ ଓ କିରୋସିନି ଉପରୁ ନେଇ ଫେରାଇଥିଲେ । ସେହିଭଳି ଭାବରେ ଟ୍ରାଫିକ ନିୟମ ଉଲଂଘନ କ୍ଷେତ୍ରରେ ସ୍କୁଟର, ମୋଟରସାଇକେଲ ଓ ଯେଉଁମାନଙ୍କଠାରୁ ଜରିମାନା ନେଇଛନ୍ତି ତାହା ଫେରାନ୍ତୁ । ଛେପ ପକାନ୍ତୁ ଓ ତାକୁ ଢ଼ୋକନ୍ତୁ ଆଉଥରେ ବୋଲି କଟାକ୍ଷ କରି ଶ୍ରୀ ସାଲୁଜା କହିଛନ୍ତି ।
ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ସରକାର ନିୟମ କୋହଳ କରିବା ପରେ ଯେଉଁ ଗରିବ ଲୋକମାନଙ୍କଠାରୁ ଜରିମାନା ନେଇଛନ୍ତି ସେମାନଙ୍କର ଅବସ୍ଥା କଣ ହେବ । ତେଣୁ ମୁଁ ଚାହିଁବି ଯେଉଁଭଳି କାଳିଆ ଟଙ୍କାକୁ ସରକାର ଫେରସ୍ତ ମାଗୁଛନ୍ତି ସେହିଭଳି ଭାବରେ ସରକାର ଯେଉଁ ଜରିମାନା ଆଦାୟ କରିଛନ୍ତି ସେମାନଙ୍କୁ ଫେରସ୍ତ ଦିଅନ୍ତୁ । ଯେଉଁମାନେ ନିୟମକୁ ଉଲ୍ଲଂଘନ କରିଛନ୍ତି ସେମାନେ ଏହି ସମୟ ଭିତରେ ନିଜ ନିଜର କାଗଜପତ୍ର ଠିକ କରିନେବେ ବୋଲି ଶ୍ରୀ ମହାପାତ୍ର ମତ ରଖିଛନ୍ତି ।
ଗତ ୧ ତାରିଖରୁ ନୂଆ ନିୟମ ଲାଗୁ ହେବା ପରେ ଯେଉଁଭଳି ଭାବେ ପୁଲିସ ଓ ଆରଟିଓଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଚଢ଼ଉ କରାଗଲା ସେଥିରେ କୋକୁଆ ଭୟ ସୃଷ୍ଟି ହେଲା । ଜରିମାନା ପରିମାଣ ଏତେ ଅଧିକ ଥିଲା ଯେ, ଜଣେ ଜଣେ ନିଜ ଗାଡ଼ିକୁ ମଧ୍ୟ ଛାଡ଼ି ଚାଲିଯାଇଥିଲେ । ଜଣେ ଅଟୋ ଚାଳକଙ୍କ ଉପରେ ୪୭,୫୦୦ ଟଙ୍କା ଜରିମାନା ଭୁବନେଶ୍ୱରରେ ହୋଇଥିଲା । ସେ ଅଟୋ ଛାଡ଼ି ଚାଲିଯାଇଥିଲେ । ବାଲେଶ୍ୱରରେ ଜଣେ ସ୍କୁଟି ଚାଳକଙ୍କ ଉପରେ ୧୩ ହଜାର ଟଙ୍କା ଜରିମାନା ହୋଇଥିଲା । ସମ୍ବଲପୁରରେ ଦେଶର ସର୍ବାଧିକ ୮୬ ହଜାର ଟଙ୍କା ଜରିମାନା ଜଣେ ଟ୍ରକ ଚାଳକଙ୍କ ଉପରେ ହୋଇଥିଲା । ଏହିସବୁ ଘଟଣା ନେଇ କ୍ରମେ ଜନଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ସଙ୍ଗଠନ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ରାଜନୈତିକ ଦଳଗୁଡ଼ିକ ସମାଲୋଚନା କରିଛନ୍ତି । ଶେଷର ଲୋକେ ଭୁବନେଶ୍ୱରରେ ଏକାଠି ହୋଇ ପୁଲିସକୁ ଗୋଡ଼ାଇ ଧରିଛନ୍ତି । ପୁଲିସ ଗାଡ଼ି ଓ ସରକାରୀ ଗାଡ଼ି କିଭଳି ଭାବରେ ବେଆଇନ ଭାବରେ ଚାଲିଛି ତାହା ସେମାନେ ଦର୍ଶାଇଛନ୍ତି । ଏହି ଘଟଣାକୁ ନେଇ ରାଜମହଲ ଛକରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ପୁଲିସକୁ ଏ ନେଇ ଲାଠି ଚାଳନା କରିବାକୁ ମଧ୍ୟ ପଡ଼ିଥିଲା । ଜନ ଅସନ୍ତୋଷ ଏଭଳି ଭାବରେ ବ୍ୟାପିଲା ଯାହାକୁ ନେଇ ସରକାର ଚିନ୍ତାରେ ପଡ଼ିଲେ । ଶେଷରେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କଲେ । ବର୍ତ୍ତମାନ ୩ ମାସ ପାଇଁ ଆଇନକୁ ଲାଗୁ କରିବା କ୍ଷେତ୍ରରେ କୋହଳ କରିଛନ୍ତି । \nଆଇନ ଲାଗୁ କରିବା ପରେ ଯେଉଁସବୁ ସୁବିଧା ସୁଯୋଗ ଲୋକଙ୍କୁ ମିଳିବା କଥା ତାହା ଉପଲବ୍ଧ କରାଯାଇ ପାରି ନ ଥିଲା । ଭୁବନେଶ୍ୱରଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆବଶ୍ୟକ ପରିମାଣର ପଲ୍ୟୁସନ ଯାଞ୍ଚ ବ୍ୟବସ୍ଥା ରଖାଯାଇନାହିଁ । ଏପରି କି ଆରଟିଓଙ୍କଠାରେ ଲୋକଙ୍କୁ ଗାଡ଼ି ପଞ୍ଜୀକରଣ କରିବା ଲାଇସେନ୍ସ ଦେବା ପାଇଁ ଆବଶ୍ୟକ କର୍ମଚାରୀ ଓ କାଉଣ୍ଟ ମଧ୍ୟ ରଖାଯାଇ ନ ଥିଲା । ଲମ୍ବା ଲମ୍ବା ଲାଇନ ଲଗାଇ ଲୋକେ ନାନା ପ୍ରକାର ହନ୍ତସନ୍ତ ହେଉଥିଲେ ।

Comments are closed.