OnaKhabar

ଡଙ୍ଗା ବୁଡ଼ି ଘଟଣାରେ ମୃତକ ସଂଖ୍ୟା ୩କୁ ବୃଦ୍ଧି

483

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଡଙ୍ଗା ବୁଡ଼ି ଘଟଣାରେ ମୃତକ ସଂଖ୍ୟା ୩କୁ ବୃଦ୍ଧି ହୋଇଛି | ଜିଲ୍ଲାର  ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଘାଟରେ ଡଙ୍ଗା ବୁଡ଼ି ଘଟଣାରେ ମଙ୍ଗଳବାର ଅପରାହ୍ନ ସମୟରେ ପୁଣି ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସେ ହେଲେ ରୋଡ ଗାଁର ଲୁଲୁ ନାୟକ । ସେ ଘାଟ ନିକଟରେ ବାଲିରେ ପୋତି ହୋଇଯାଇଥିଲା । ଜେସିବି ମେସିନ୍‌ ଦ୍ୱାରା ବାଲିକୁ ଖୋଳାଯାଇ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି ।

ଆଜି ଭୋରରୁ ରୋଡ ଗାଁର ରମେଶ ସାହୁଙ୍କ ମୃତ ଦେହ ମିଳିଥିଲା । ଗେଙ୍ଗୁଟିଆ ଘାଟରୁ ସ୍ଥାନୀୟ ଲୋକ ରମେଶଙ୍କ ମୃତ ଦେହକୁ ଦେଖିଥିଲେ । ଏହା ପରେ ସେହି ସ୍ଥାନରେ ବାଲି ଚରିଯାଇଥିବା ସ୍ଥାନକୁ ଖୋଳା ଯାଇଥିଲା । ଯେଉଁଠୁ ଲୁଲୁଙ୍କ ମୃତ ଦେହ ମିଳିଛି । ଗତକାଲି କୁନ୍ଦନଦେଇପୁର ଗାଁର ବାପୁନି ଆଚାର୍ଯ୍ୟଙ୍କ ମୃତ ଦେହ ମିଳିଥିଲା । ଏହାକୁ ମିଶାର ତିନି ଜଣଙ୍କ ମୃତ ଦେହ ମିଳିଥିବାବେଳେ ରୋଡ ଗାଁର ସୁଶାନ୍ତ ସାହୁ ନିଖୋଜ ଅଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ବ୍ରାହ୍ମଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ହୁଲି ଡଙ୍ଗାରେ ୯ ଜଣ ନଦୀ ପାର ହେଉଥିଲେ । ସେଥିରେ ଡଙ୍ଗାର ନାଉରିଆ ସହ ଆଉ ଜଣେ କର୍ମଚାରୀ ଥିଲେ । ମଝି ନଈରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ।

Comments are closed.