OnaKhabar

ଏକାଠି ହେଉଛନ୍ତି ବିଜେଡି ଯୁବନେତା

1,041

ଭୁବନେଶ୍ୱର (ବିପିନ ସିଂହ) : ବିଜେଡି ଯୁବନେତା ଏବେ ଏକାଠି ହେଉଥିବା ଦେଖାଯାଉଛି । ବର୍ତ୍ତମାନ ଦଳର ଆଗଧାଡ଼ିର ନେତାଭାବେ ପରିଚିତ ହେଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଅନ୍ୟମାନଙ୍କୁ ସାଥୀରେ ନେବାପାଇଁ ଉଦ୍ୟମ କରୁଛନ୍ତି । ବିଶେଷ କରି ଦଳ ଭିତରେ ଯୁବନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଏକ ପ୍ରକାର ଚରମସୀମାରେ ପହଂଚିଥିଲା । ଏବେ ସେମାନଙ୍କ ଭିତରେ ବୁଝାମଣା ହୋଇଥିବା କୁହାଯାଉଛି । ତିକ୍ତତା ବଢ଼ିଲେ ଦଳ ଓ ନିଜ ପାଇଁ କ୍ଷତି ବୋଲି ଅନୁଭବ କରିବା ପରେ ସେମାନେ ହାତ ମିଳାଉଥିବା ଅନେକ ମତ ଦେଉଛନ୍ତି । ବାରିପଦାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ପ୍ରଣବ ପ୍ରକାଶ ଦାସ (ବବି), ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ଏହି ଆଲୋଚନା ବିଜେଡି ମହଲରେ ଚାଲିଛି ।
ଦଳ ଭିତରେ ଏହି ୩ ଯୁବନେତା ଏକାଦା ବେଶ ପ୍ରଭାବଶାଳୀ ଥିଲେ । କିନ୍ତୁ କ୍ରମେ ଏମାନଙ୍କ ଭିତରେ ମତ ପାର୍ଥକ୍ୟ ଦେଖାଗଲା । ଯାହାର ପ୍ରତିଫଳନ ଗତ ନିର୍ବାଚନରେ ଦେଖିବାକୁ ମିଳିଥିଲା । କୁହାଯାଏ ଏମାନଙ୍କ ଭିତରେ ମନମାଳିନ୍ୟ ପାଇଁ କେତେକ ଆସନ ଦଳକୁ ହରାଇବାକୁ ପଡ଼ିଥିଲା । ବିଶେଷ କରି ମୟୂରଭଞ୍ଜ ଜିଲ୍ଲା ଏକଦା ବିଜେଡିର ଗଡ଼ ବୋଲି କୁହାଯାଉଥିଲା । ତାହା ଏଥର ନିର୍ବାଚନରେ ଭାଙ୍ଗିଯାଇଛି । ଏହି ୩ ନେତା ବିଭିନ୍ନ ସମୟରେ ଦାୟିତ୍ୱରେ ରହିଛନ୍ତି । ଏମାନଙ୍କ ସମର୍ଥକମାନଙ୍କ ଭିତରେ ଗୋଷ୍ଠୀ ବିବାଦ ଏତେ ତୀବ୍ରତର ହେଲା ଯେ ଯାହାର ପ୍ରତିଫଳନ ଦଳ ଉପରେ ପଡ଼ିଲା । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ସଂଜୟ ରହିଥିଲେ । ଏହାପରେ ଅରୁଣଙ୍କୁ ଦାୟିତ୍ୱ ଦେଲେ । ଏବେ ନିର୍ବାଚନ ପରେ ବବିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଗତ ପଂଚାୟତ ନିର୍ବାଚନରେ ବିଜେଡିର ଶୋଚନୀୟ ସ୍ଥିତି ଦେଖାଯାଇଥିଲା । ଏହାପରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ମଧ୍ୟ ଦଳ ଖରାପ ପ୍ରଦର୍ଶନ କଲା । ମୟୂରଭଞ୍ଜ ଲୋକସଭା ଆସନ ଦଳ ହାତରୁ ଚାଲିଗଲା । ଜିଲ୍ଲାରେ ଥିବା ୯ଟି ବିଧାନସଭା ଆସନ ଭିତରୁ ଦଳ ଏଥର ମାତ୍ର ୩ଟି ପାଇଲା । ଦଳର ଏହି ସ୍ଥିତି ଦେଖି ବବିଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । କିଛି ଦଳୀୟ ନେତାଙ୍କ ମତରେ ସଞ୍ଜୟ ଓ ଅରୁଣ ଦାୟିତ୍ୱ ନେବାପରେ ସେଠାରେ ଗୋଷ୍ଠୀ ବିବାଦ ସୃଷ୍ଟି ହେଲା । ସଞ୍ଜୟ ଯେଉଁମାନଙ୍କୁ ଧରି କାର୍ଯ୍ୟ କରୁଥିଲେ ଅରୁଣ ଦାୟିତ୍ୱ ନେବାପରେ ସେମାନଙ୍କୁ ବିଦାକରି ନୂଆ ଲୋକଙ୍କୁ ନେଲେ । ଫଳରେ ସଞ୍ଜୟ ଓ ଅରୁଣଙ୍କ ଗୋଷ୍ଠୀର ଲୋକଙ୍କ ଭିତରେ ବିଭିନ୍ନ ସମୟରେ ଗଣ୍ଡଗୋଳିଆ ପରିସ୍ଥିତି ଦେଖାଦେଇଥିଲା । ପରସ୍ପର ବିରୋଧରେ ଲାଗିବା ଦ୍ୱାରା ଦଳକୁ ଅନେକ ଆସନ ହରାଇବାକୁ ପଡ଼ିଲା । \nଏବେ ବବିଙ୍କୁ ଦାୟିତ୍ୱ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବାରୁ ସେ ନୂଆ ଷ୍ଟାଇଲରେ କାମ ଆରମ୍ଭ କରିବାକୁ ଯାଉଛନ୍ତି । ଦାୟିତ୍ୱ ନେବା ପରେ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଗୋଷ୍ଠୀ ବିବାଦ ଦୂର କରିବାକୁ ହେଲେ ଉଭୟ ସଂଜୟ ଓ ଅରୁଣଙ୍କୁ ସାଥୀରେ ନେବାକୁ ପଡ଼ିବ ବୋଲି ସେ ଅନୁଭବ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଏବେ ଅନୁଷ୍ଠିତ ହୋଇଥିଲା । ବବି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଦଳର ସବୁ ନେତାଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରିଥିଲେ । ଏଣୁ ଗୋଷ୍ଠୀ ବିବାଦ ଦୂର କରିବାକୁ ହେଲେ ସଂଜୟ ଓ ଅରୁଣଙ୍କୁ ସାଥୀରେ ହେଲିକପ୍ଟରରେ ଧରି ସେ ବାରିପଦା ଯାଇଥିଲେ । ଗୋଟିଏ ମଂଚରେ ସଂଜୟ, ଅରୁଣ, ବବି ଓ ଅନ୍ୟ ନେତାମାନଙ୍କୁ ଦେଖିବାକୁ ମିଳିଥିଲା । ଏହି ୩ ଜଣଙ୍କ ଭିତରେ ଏକତା ନ ଥିଲା । ବିଶେଷ କରି ବବିଙ୍କ ସହ ସଂଜୟଙ୍କର ମନୋମାଳିନ୍ୟ ରହିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେସବୁକୁ ଭୁଲି ସଞ୍ଜୟ ହାତମିଳାଥିବା କଥା କୁହାଯାଉଛି । ଏମାନେ ଏକାଠି ହେଲେ ଦଳ ଆଗେଇବ ବୋଲି ଅନେକ ବିଜେଡି ନେତା ମତ ଦେଉଛନ୍ତି ।

Comments are closed.