OnaKhabar

ପୁଣି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୪୮ ଘଣ୍ଟା ଧରି ଉପକୂଳ ଆନ୍ଧ୍ରପ୍ରଦେଶ ସମେତ ତେଲେଙ୍ଗାନା, ମଧ୍ୟପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଯାହାକି ଦକ୍ଷିଣ ପଶ୍ଚିମ ଆଡ଼କୁ ଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ପୂର୍ବ ଭାରତ ଓ ସଂଲଗ୍ନ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଭାରତ, ପଶ୍ଚିମ ଭାରତ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି, ମଙ୍ଗଳବାର ମଧ୍ୟାହ୍ନ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେଣୁ ଉକ୍ତ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟ ମଧ୍ୟରେ ରାୟଗଡ଼ା, ଜଗତ୍‌ସିଂହପୁର, କଟକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ମା‌ଲକାନଗିରି, ଗଞ୍ଜାମ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ ବୌଦ୍ଧର କେତେକ ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି ।