OnaKhabar

୧୮୯ ଶିକ୍ଷକ ନିଖୋଜ: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର : ୫ବର୍ଷ ଧରି ରାଜ୍ୟରେ ୧୮୯ ଜଣ ଶିକ୍ଷକ ନିଖୋଜ ଅଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାଗଜ କଲମରେ ସେମାନଙ୍କ ନାଁ ଗଡ଼ୁଛି । ହେଲେ ସେମାନଙ୍କ ସ୍କୁଲକୁ ଆସୁନାହାଁନ୍ତି କି କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି । ଏମିତିକି କେତେଜଣ ଶିକ୍ଷକ ୨୦୦୭ରୁ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ଟେର ମିଳୁନି । ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛନ୍ତି । ତେଣୁ ନିଖୋଜ ଶିକ୍ଷକଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ସେମାନଙ୍କୁ ଚିହ୍ନଟ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ଦୀର୍ଘ ୫ବର୍ଷ ହେଲା ଅନୁପସ୍ଥିତ ରହିଛନ୍ତି ।
ଅନୁପସ୍ଥିତ ସମ୍ପର୍କରେ ସେମାନେ କାହାକୁ ଅବଗତ କରିନାହାଁନ୍ତି । ବେଆଇନ ଭାବେ ରହୁଛନ୍ତି । ସେମାନଙ୍କୁ ଚିହ୍ନଟ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଆଉ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆନଯିବାକୁ କୁହାଯାଇଛି । ୧୯୬୨ ମସିହା ଓସିଏସ ( ସିସି ଆଣ୍ଡ ଏ) ନିୟମର ରୁଲ-୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନୁପସ୍ଥିତ ଥିବା ୧୮୯ଜଣ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୦୮ଜଣ ଚୁକ୍ତିଭିତିକ ରହିଛନ୍ତି । ତେଣୁ ସେମାନଙ୍କ ବାର୍ଷିକ ଚୁକ୍ତି ଅବଧି ନବୀକରଣ ନକରିବାକୁ କୁହାଯାଇଛି ।\n ସୂଚନା ଅନୁଯାୟୀ, ବଲାଙ୍ଗିରି ଜିଲ୍ଲାରେ ସର୍ବାଧିକ ୧୫ଜଣ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ରହିଛନ୍ତି । ଏହା ତଳକୁ ଯାଜପୁରରେ ୧୧, କଳାହାଣ୍ଡି, ନବରଙ୍ଗପୁର ଓ ଗଞ୍ଜାମରେ ୧୦ଜଣ ଲେଖାଁଏ, କନ୍ଧମାଳରେ୯, ମୟୁରଭଞ୍ଜ, ଢ଼େଙ୍କାନାଳ ଓ ଗଜପତିରେ ୮ଜଣ ଲେଖାଁଏ, କଟକ ଓ ମାଲକାନଗିରିରେ ୬ଜଣ ଲେଖାଁଏ, କେନ୍ଦୁଝର ୪, ବାଲେଶ୍ୱର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ୩ଜଣ ଲେଖାଁଏ, ପୁରୀରେ ୨ , ଭଦ୍ରକ ଓ ଝାରସୁଗୁଡ଼ାରେ ଜଣେ ଲେଖାଁଏ ଅନୁପସ୍ଥିତ ରହିଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକରେ ବି ଶିକ୍ଷକ କର୍ମଚାରମାନେ ଦୀର୍ଘବର୍ଷ ହେଲା ସ୍କୁଲ କୁ ଆସୁ ନଥିବା ଜଣାପଡ଼ିଛି ।\n ବଡ଼କଥା ହେଉଛି ଯେ ଅନୁଗୁଳ, ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଡିଇଓ ଦେଇଥିବା ରିପୋର୍ଟ ଅନୁଯାୟୀ, ସେମାନଙ୍କ ଜିଲ୍ଲାରେ ଜଣେ ବି କେହି ଶିକ୍ଷକ କିମ୍ବା କର୍ମଚାରୀ ୫ବର୍ଷ ଧରି ଅନୁପସ୍ଥିତ ରହିନାହାଁନ୍ତି, ଯାହାକୁ ନେଇ ବିଭାଗ ସନ୍ଦେହ ପ୍ରକାଶ କରିଛି । ଡିଇଓମାନେ ସଠିକ ଭାବେ ଯାଚଂ କରିନଥିବା ବିଭାଗ ପକ୍ଷରୁ କୁହାଯାଉଛି । ଦେବଗଡ଼ , ଝାରସୁଗୁଡ଼ା ଓ ନୂଆପଡ଼ା ଡିଇଓ ଦେଇଥିବା ରିପୋର୍ଟରେ ଜଣେ ମାତ୍ର ଶିକ୍ଷକ ଅନୁପସ୍ଥିତ ଥିବା ଦର୍ଶାଯାଇଥିବା ବେଳେ ପୁରୀ ଡିଇଓ ରିପୋର୍ଟରେ ଦୁଇ ଜଣ ଅନୁପସ୍ଥିତ ଥିବା ଦର୍ଶାଯାଇଛି । ଏଭଳି ରିପୋର୍ଟକୁ ନେଇ ବିଭାଗ ସନ୍ଦେହ କରୁଛି । ତେଣୁ ଅନୁପସ୍ଥିତ ରହିଥିବା ଶିକ୍ଷକ ଓ କର୍ମଚାରୀଙ୍କ ତଥ୍ୟକୁ ଭଲ ଭାବେ ଯାଞ୍ଜ କରି ସେପ୍ଟମ୍ବର ୧୫ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ଉକ୍ତ ୭ଟି ଜିଲ୍ଲାର ଡିଇଓଙ୍କ ସମେତ ଅନ୍ୟ ସମସ୍ତ ଡିଇଓ, ଡିସିପି ଓ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏଥିସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ରେଗୁଲାର, ଚୁକ୍ତିଭିତିକ ଶିକ୍ଷକ ଓ କର୍ମଚାରୀଙ୍କ ତଥ୍ୟ ସମ୍ବଳିତ ସାର୍ଟିଫିକେଟ ଡିସିପି ଓ ବିଇଓଙ୍କୁଠାରୁ ସଂଗ୍ରହ କରି ଦାଖଲ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାଜପୁର ଡିଇଓ ଦେଇଥିବା ରିପୋର୍ଟରେ ଅନୁପସ୍ଥିତ ରହିଥିବା ଶିକ୍ଷକମାନେ କେବେ ଠାରୁ ଆସୁନାହାଁନ୍ତି ଏବଂ ମୟୁରଭଞ୍ଜ ଡିଇଓ ଦେଇଥିବା ରିପୋର୍ଟରେ କେଉଁ ବର୍ଗର ଶିକ୍ଷକ ଅନୁପସ୍ଥିତ ରହିଛନ୍ତି, ତାହାର ତଥ୍ୟ ନାହିଁ । ତେଣୁ ଉକ୍ତ ଦୁଇ ଜିଲ୍ଲାର ଡିଇଓମାନେ ତୁରନ୍ତ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି ।