OnaKhabar

ଶବ ପୋତାକୁ ଅଂଚଳବାସୀଙ୍କ ବିରୋଧ

302

ଝାରସୁଗୁଡା : ବେଲପାହାଡ ପୌରପରିଷଦ ଅଧିନସ୍ଥ ୧୧ ନମ୍ବର ଓ୍ବାର୍ଡର ଝଣ୍ଡାପଡା ନିକଟସ୍ଥ ଡମ୍ପିଙ୍ଗ ୟାର୍ଡରେ ଧବଳୁ ସାଙ୍କ ଶବ ପୋତାଯାଉଥିବା ଦେଖି ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ସେମାନଙ୍କ ବିରୋଧ ପରେ ଧବଳୁଙ୍କ ଶବକୁ ତାଙ୍କ ଝିଆରୀ ସାବିତ୍ରୀ ଭୁୟାଁଙ୍କ ଗାଁ ଜାମକାନୀ ରେ ପୋତାଯାଇଛି । ମ୍ୟୁନସିପାଲଟି ଅଧିନରେ ଥିବା ଏହି ଜମିରେ ପୂର୍ବରୁ ଏକ ଶବ ପୋତାଯାଇଥିଲା । ଅଳ୍ପ ଗାତ କରି ଶବ ପୋତାଯାଇଥିବାରୁ କୁକୁର, ବିଲୁଆ ମିଶି ରାତିରେ ଶବକୁ ବାହାରକୁ ଆଣି ୧୧ ନମ୍ବର ଓ୍ବାର୍ଡ ମଝିରେ ପକାଇ ଦେଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହିପରି ଅଘଟଣ ପୂନର୍ବାର ନହେବା ପାଇଁ ସ୍ଥାନୀୟ ଲୋକେ ଏଠାରେ ଶବ ପୋତିବାକୁ ମନା କରିଥିଲେ । ସୂଚନା ଯୋଗ୍ୟ ଯେ,ବେଲପାହାଡ଼ ଥାନା ଅନ୍ତର୍ଗତ ବେନିକୁଦ ଗ୍ରାମ ନିକଟସ୍ଥ ଲେହ୍ଲେର ଯୋରରୁ ଧବଳୁଙ୍କ ଗଳିତ ଶବକୁ ବୁଧବାର ପୁଲିସ ଉଦ୍ଧାର କରଥିଲା । ପୋଷ୍ଟମୋର୍ଟମ ଓ ଶବ ଚିହ୍ନଟ ପରେ ଶନିବାର ତାଙ୍କ ଝିଆରି ସାବିତ୍ରୀଙ୍କୁ ହସ୍ତାନ୍ତର କରିଥିଲା । ସେ ପୌରପରିଷଦର ଶବବାହକ ଗାଡିରେ ନେଇ ୧୧ ନମ୍ବର ଡମ୍ପିଙ୍ଗ ୟାର୍ଡରେ ଶବ ପୋତିବା ସମୟରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।

Comments are closed.