OnaKhabar

ଅକାଳରେ ଝଡ଼ିପଡୁଛନ୍ତି ଲୋକପ୍ରିୟ ନେତା

591

ଭୁବନେଶ୍ୱର (ଓଏନଏ) : ଅକାଳରେ ଝଡ଼ି ପଡୁଛନ୍ତି ଜଣକ ପରେ ଜଣେ ରାଜନେତା । ବିଭିନ୍ନ ରାଜନୀତିକ ଦଳର ଆଗଧାଡ଼ିର ପ୍ରତିଷ୍ଠିତ ନେତାମାନଙ୍କର ଅକାଳରେ ବିୟୋଗ ଘଟୁଥିବା ଦେଖାଯାଉଛି । ମାତ୍ର ୬୬ ବର୍ଷ ବୟସରେ ଅରୁଣ ଜେଟଲୀଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ଭଳି ଜଣେ ବିଚକ୍ଷଣ ଓ ଚତୁର ରାଜନେତା ଭାରତୀୟ ରାଜନୀତିରେ ବିରଳ । ବିଜେପିର ସେ ଥିଲେ କ୍ରାଇସିସି ମ୍ୟାନେଜର । ଚାଣକ୍ୟ ଭାବରେ ବି ଅନେତ ତାଙ୍କୁ ଅଭିହିତ କରିଥାନ୍ତି । ତାଙ୍କ ଭଳି ଜଣେ ନେତାଙ୍କୁ ହରାଇ ସମସ୍ତେ ଏବେ ମ୍ରିୟମାଣ । ସମଗ୍ର ଦେଶରେ ତାଙ୍କୁ ନେଇ ଶୋକର ଛାୟା ଖେଳିଛି ।
କେବଳ ଜେଟଲୀ ନୁହଁନ୍ତି ନିକଟରେ ଆଉ ଜଣେ ମହାନ ପ୍ରତିଭାବାନ ମହିଳା ସୁଷମା ସ୍ୱରାଜଙ୍କର ବି ବିୟୋଗ ଘଟିଛି । କୁହାଯାଉଛି ଗତ ଅଗଷ୍ଟରୁ ଏ ଅଗଷ୍ଟ ବର୍ଷକ ମଧ୍ୟରେ ଅନେକ ପ୍ରତିଷ୍ଠ ନେତାଙ୍କର ପରଲୋକ ହୋଇଛି । ଅବଶ୍ୟ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭଳି ନେତା ବୟସାଧିକ ଓ ରୋଗଗ୍ରସ୍ତ ଯୋଗୁ ମୃତ୍ୟୁ ବରଣ କରିଥିବା ଘଟଣା ରହିଛି । କିନ୍ତୁ ଅକାଳ ବିୟୋଗ ସଂଖ୍ୟା ଅଧିକ ବୋଲି କୁହାଯାଉଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୋଆ ମୁଖ୍ୟମନ୍ତ୍ରୀ ବରିଷ୍ଠ ବିଜେପି ନେତା ମନୋହର ପାରିକର ଓ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଲା ଦିକ୍ଷୀତଙ୍କର ମଧ୍ୟ ପରଲୋକ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣଦତ୍ତ ତିୱାରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁ ଲାଲ ଗଉଡ଼ ଓ ଜଗନ୍ନାଥ ମିଶ୍ର ମୃତ୍ୟୁବରଣ କରିଛନ୍ତି । ବିଜେପି ନେତା ଅନନ୍ତକୁମାର ଓ ମଦନଲାଲ ଖୁରାନାଙ୍କର ବି ବିୟୋଗ ହୋଇଛି ।
ଏହା ପୂର୍ବରୁ ବିଭିନ୍ନ ସମୟରେ ଅନେକ ନେତାଙ୍କର ଜୀବନ ମଧ୍ୟ ଯାଇଛି । କଂଗ୍ରେସ ନେତା ରାଜେଶ ପାଇଲଟ, ମାଧବରାଓ ସିନ୍ଧିଆ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଥିବା ୱାଇଏସଆର ରେଡ୍ଡୀ, ଏଆଇଏଡିଏମକେ ଜୟଲଳିଥା, ବିଜେପି ନେତା ଗୋପିନାଥ ମୁଣ୍ଡେଙ୍କ ଭଳି ଅନେକ ନେତା ବାର୍ଦ୍ଧକ୍ୟଠାରୁ ଦୂରରେ ଥିଲେ ବି ମୃତ୍ୟୁ ସେମାନଙ୍କୁ ଟାଣି ନେଇଛି । ଅକାଳରେ ନେତାମାନେ ଝଡ଼ିପଡ଼ିବା ଭାରତୀୟ ରାଜନୀତି ପାଇଁ ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି କୁହାଯାଉଛି ।

Comments are closed.