OnaKhabar

ସମର୍ଥନ ଆଳରେ କେଂଚ ମାରିଲେ ଗଜପତି

1,047

ଭୁବନେଶ୍ୱର (ଓଏନଏ) : ଶ୍ରୀମନ୍ଦିର ଓ ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିପାଇଁ ଭିତ୍ତିଭୂମିର ବିକାଶ ଲାଗି ଅନେକ କିଛି ଘର, ମଠ ଓ ଦୋକାନ ଉଚ୍ଛେଦ ହେବାର ରହିଛି । ଏହାକୁ ନେଇ ପୁରୀ ସହରରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । କିଛି ସେବାୟତ ମଧ୍ୟ ଉଚ୍ଛେଦ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । ବର୍ତ୍ତମାନ ଏହି କାର୍ଯ୍ୟ ବିବାଦୀୟ ହୋଇ ପଡ଼ିଛି । ଏ କ୍ଷେତ୍ରରେ ପୁରୀ ଗଜପତି ଦିବ୍ୟସିଂହଦେବଙ୍କ ମତ ବେଶ ଗୁରୁତ୍ୱବହନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମର୍ଥନ କରିବା ସହ ଗଜପତି କେଞ୍ଚଟିଏ ମାରିଛନ୍ତି ବୋଲି କୁହାଯାଉଛି । ଉଭୟ ପକ୍ଷକୁ ସୁହାଇଲା ଭଳି ଗଜପତିଙ୍କ ମତ ରହିଥିବା ଅନେକ କହୁଛନ୍ତି । ଗଜପତି ଯେଉଁ ଐତିହ୍ୟ ପରମ୍ପରା କଥା ଉଠାଇଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ସବୁଠାରୁ ବିବାଦୀୟ ପ୍ରସଙ୍ଗ ବୋଲି କୁହାଯାଉଛି ।
ଏହି ସଂସ୍କାର କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଯେଉଁ ଉଚ୍ଛେଦ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି ତାକୁ ମୁଖ୍ୟତଃ ବିରୋଧ କରାଯାଉଛି । ମନ୍ଦିରର ସୁରକ୍ଷା ଓ ଭବିଷ୍ୟତ ପାଇଁ ଏହି ଉଚ୍ଛେଦ ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ ସେବାୟତ ଓ କିଛି ସ୍ଥାନୀୟ ବାସିନ୍ଦା ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ବର୍ତ୍ତମାନ ଏହି ଘଟଣା ବେଶ ଉତ୍ତେପୂର୍ଣ୍ଣ ହୋଇରହିଛି । ଏ କ୍ଷେତ୍ରରେ ଗଜପତିଙ୍କ ମତ ସବୁଠାରୁ ପ୍ରଣିଧାନ ଯୋଗ୍ୟ । ଗଜପତି କହିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ସମେତ ଶ୍ରୀକ୍ଷେତ୍ରର ସାମଗ୍ରୀକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଘୋଷଣା ସ୍ୱାଗତଯୋଗ୍ୟ । କିନ୍ତୁ ଏସବୁ କାର୍ଯ୍ୟ ଶ୍ରୀ କ୍ଷେତ୍ରର ମହାନ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ, ଐତିହ୍ୟ ଓ ପରମ୍ପରାକୁ ଦୃଷ୍ଟିରେ ରଖି କରାଯିବା ଉଚିତ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ଓ ଶ୍ରୀ କ୍ଷେତ୍ର ହେଉଛି ସମଗ୍ର ହିନ୍ଦୁ ସମାଜର ଶ୍ରେଷ୍ଠ ଆରାଧ୍ୟ ପୀଠ । ଏହାର ଯୋଜନାବଦ୍ଧ ଓ ସମନ୍ୱିତ ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ବର୍ତ୍ତମାନ ଯେଉଁ ଘୋଷଣା କରିଛନ୍ତି ତାକୁ ସେ ସ୍ୱାଗତ କରୁଛନ୍ତି ଏହି ମହତ କାର୍ଯ୍ୟକ୍ରମରେ । ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଜନ ଆନ୍ତରିକତାର ହସ ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି ।\nଗଜପତିଙ୍କର ଏହି ମତକୁ ନେଇ ବହୁ ଚର୍ଚ୍ଚା ହେଉଛି । ଗୋଟିଏ ପଟରେ ଗଜପତି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ହେଲେ ଏହି କଥା କହିବା ସହ ଯେଉଁ କେଞ୍ଚଟିଏ ମାରିଛନ୍ତି ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସଂସ୍କୃତି, ଐତିହ୍ୟ, ଧାର୍ମିକ ବ୍ୟବସ୍ଥା ଓ ପରମ୍ପରାକୁ ଗୁରୁତ୍ୱ ଦେବା କଥା କହିଛନ୍ତି । ଏହାର ଅର୍ଥ ହେଉଛି ପୁରୀ ଏକ ଐତିହ୍ୟ କ୍ଷେତ୍ର ହୋଇଥିବାରୁ ବିକାଶ ଓ ସଂସ୍କାର ନାଁରେ ପରମ୍ପରା ଏବଂ ଐତିହ୍ୟକୁ ଜଳାଞ୍ଜଳି ଦେବା ଉଚିତ ହେବ ନାହିଁ ବୋଲି ମଧ୍ୟ ସେ ସୂଚାଇ ଦେଇଥିବା କଥା କୁହାଯାଉଛି । ପୁରୀରେ ଯାହା ବି ବିକାଶ କରାଯିବ ବା ହେବାକୁ ଯାଉଛି ସେ ସମୟରେ ଏକଥାକୁ ଭୁଲିଯିବା ଉଚିତ ହେବ ନାହିଁ ବୋଲି ତାଙ୍କମତ । ଗଜପତିଙ୍କ ଏହି ଉଭୟ ପକ୍ଷକୁ ସୁହାଇଲା ଭଳି ମତ ପ୍ରଶାସନ ପାଇଁ ସମସ୍ୟା ଦେଖାଦେବ ବୋଲି ଆଲୋଚନା ହେଉଛି ।
ସରକାର ଯେଉଁ ବିକାଶ ଲାଗି ପଦକ୍ଷେପ ନେଉଛନ୍ତି ସେଥିରେ ପୁରୀର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ନଷ୍ଟ ହେଉଛି କି ନାହିଁ ତାହା ଦେଖିବା କଥା । ସରକାର ଯାହା କାର୍ଯ୍ୟକ୍ରମ କରିବା କଥା କରନ୍ତୁ ହେଲେ ଏଥିପ୍ରତି ଧ୍ୟାନ ଦେବା ଲାଗି ଗଜପତି ସୂଚାଇଥିବା କଥା ଚର୍ଚ୍ଚା ହେଉଛି । କୁହାଯାଉଛି ସମର୍ଥନ କରିବା ବେଳେ ଗଜପତି ଐତିହ୍ୟ, ପରମ୍ପରା କଥା କାହିଁକି ଉଠାଇଲେ । ଏଥିରୁ ତାଙ୍କ ମନୋଭାବ ବୁଝାପଡ଼ୁଛି ।

Comments are closed.