OnaKhabar

ହଷ୍ଟେଲଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

506

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କରମରୀ କସ୍ତୁରବା ବାଳିକା ହାଇସ୍କୁଲର ହଷ୍ଟେଲରେ ରହି ଏକାମ୍ବା ସ୍କୁଲରେ ୧୦ଶ୍ରେଣୀରେ ଅଧ୍ୟୟନରତ ଜଣେ ଛାତ୍ରୀ ଗତକାଲି ରାତି ୯ଟାରେ ଅସୁସ୍ଥତା ନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଥିଲା । ହେଲେ ନବରଙ୍ଗପୁର ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ଘଟଣାନେଇ ନାନା ଚର୍ଚ୍ଚା ଜୋରି ଧରିଛି । ସୂଚନାନୁସାରେ, ଝରିଗାଁ ବ୍ଲକ ଗୋରାମ୍ବା ଗ୍ରାମର ଲଳିତ ମାଝୀଙ୍କ ୧୫ ବର୍ଷୀୟ ଝିଅ ଶକୁନ୍ତଳା ମାଝୀ କରମରୀ କସ୍ତୁରବା ବାଳିକା ହାଇସ୍କୁଲରେ ଷଷ୍ଠଶ୍ରେଣୀରେ ନାମଲେଖାଇ ଦୀର୍ଘ ୩ବର୍ଷରୁ ଅଧିକ ହଷ୍ଟେଲରେ ରହି ଏବେ ୧୦ମଶ୍ରେଣୀରେ ନିକଟସ୍ଥ ଏକାମ୍ବା ହାଇସ୍କୁଲରେ ଅଧ୍ୟୟନ ରତ ଥିଲେ । କସ୍ତୁରବା ଆବାସିିକା ହାଇସ୍କୁଲ କର୍ତ୍ତୃପକ୍ଷଙ୍କ କହିବାପ୍ରକାରେ ଗତକାଲି ଶକୁନ୍ତଳାର ପ୍ରବଳ ମୁଣ୍ଡବ୍ୟଥା ହୋଇଥିଲା । ତେବେ ଚିକିତ୍ସା ପାଇଁ ରାତି୯ଟାରେ ତାଙ୍କୁ ମେଡିକାଲ ଅଣାଯାଇଥିଲା । ପୂର୍ବରୁ ସେ ସୁସ୍ଥ ଥିଲେ ଏବଂ ନିୟମିତ ସ୍କୁଲ ଯାଉଥିଲେ ବୋଲି ସଫେଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଅନ୍ୟପକ୍ଷେ, ଏକାମ୍ବା ହାଇସ୍କୁଲ କର୍ତ୍ତୃପକ୍ଷ ଶକୁନ୍ତଳା ୨୧ ଏବଂ ୨୨ ତାରିଖ ଦୁଇଦିନ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବାର ଜଣେଇଛନ୍ତି । ଆଜି ମଧ୍ୟ କରମରୀ ସ୍କୁଲରୁ ୨ଜଣ ଛାତ୍ରୀ ଜ୍ୱରନେଇ ଝରିଗାଁରେ ଚିକିତ୍ସା ପାଇ ଫେରିଥିବାର ଦେଖିବାକୁ ମିଳିଛି । ସ୍କୁଲରେ ଜ୍ୱରର ପ୍ରକୋପ ଲାଗିରହିଥିବା ଅଭିଯୋଗ ହେଉଥିବାବେଳେ, ବିଦ୍ୟାର୍ଥୀଙ୍କର ମୃତ୍ୟୁର ଅସଲି କାରଣ ଶବବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ଚିକିତ୍ସକ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ଅବଗତ ହେବାପରେ ବ୍ଲକ ପ୍ରଶାସନର ବ୍ଲକ ଶିକ୍ଷାଧିକାରୀ ସୁରେଶ ଚନ୍ଦ୍ର ନାୟକ, ମଙ୍ଗଳାଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ପ୍ରମୁଖ ସ୍କୁଲ ଯାଇ ଘଟଣାର ତଦନ୍ତ କରିବା ସହ ନବରଙ୍ଗପୁର ଗସ୍ତ କରିଛନ୍ତି । ଉକ୍ତ ଘଟଣା ପରେ ସ୍କୁଲରେ ସହପାଠୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିବାବେଳେ, ସମସ୍ତେ ଭୟର ବାତାବରଣ ମଧ୍ୟ ରହିଛନ୍ତି ।