OnaKhabar

୨ଟି ଦୁର୍ଘଟଣାରେ ୩ ମୃତ, ୧ ଗୁରୁତର

891

ଖୋର୍ଦ୍ଧା : ଆଜି ରାଜ୍ୟରେ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଜଣଙ୍କ ମୃତ୍ୟୁ ଘଟିଛି । ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବେଲପଡ଼ା ଛକରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ଠିଆ ହୋଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ପୁଲିସ ମୃତ ଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସେହିପରି ନବରଙ୍ଗପୁର ଜିଲ୍ଲା ରାଇଘର ରାଜପଥର ଜୋଡ଼ିଙ୍ଗା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ କୋଦଭଟ୍ଟାର ସମିର ପଠାରୀ । ଅନ୍ୟ ଜଣେ ଛାତ୍ର ମୁକେଶ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସମୀର ଓ ମୁକେଶ ବାଇକରେ ଗଣ୍ଡୱାନା ମହାବିଦ୍ୟାଳୟକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଦୁହେଁ ସେଠାରେ ଛିଟିକି ପଡ଼ିଥିଲେ । ଦୁଇଜଣଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମୀରଙ୍କ ମୃତ୍ୟୁ ଘଟିଥିଲା । ମୁକେଶଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ସେ ଚିକିତ୍ସାଧୀନ ଅଛନ୍ତି ।

Comments are closed.