OnaKhabar

ଭାରତୀୟ ସେନାଙ୍କ ଦାବି: ଅଭିନନ୍ଦନଙ୍କୁ ଧରିଥିବା ପାକ କମାଣ୍ଡୋ ନିହତ ହୋଇଛି

394

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଧରିଥିବା ଏବଂ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ପାକିସ୍ତାନ କମାଣ୍ଡୋ ଭାରତୀୟ ସେନାଙ୍କ ଗୁଳିଗୋଳା ବର୍ଷଣରେ ନିହତ ହୋଇଥିବା ଭାରତୀ ସେନା ଦାବି କରିଛି । ଚଳିତ ମାସ ୧୭ ତାରିଖ ଏଲଓସିର ନାକୟାଲ ସେକ୍ଟରରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ଗତ ଫେବୃୟାରୀ ୨୭ରେ ଭାରତର ମିଗ୍ ବିମାନକୁ ଖସାଇବା ପରେ ପାକିସ୍ତାନ ଦ୍ୱାରା ଯେଉଁ ଫଟୋ ଜାରି କରାଯାଇଥିଲା, ସେଥିରେ ଅଭିନନ୍ଦନଙ୍କ ପଛରେ ଏହି କମାଣ୍ଡୋ ଜଣକ ଠିଆ ହୋଇଥିବାର ଦେଖାଯାଇଥିଲା । ଉକ୍ତ କମାଣ୍ଡୋଙ୍କ ନାମ ସୁବେଦାର ଅହମ୍ମଦ ଖାନ ବୋଲି ଜଣାପଡ଼ିଛି । ସେ ପାକ ସେନାର ସ୍ପେଶାଲ ସର୍ଭିସ ଗ୍ରୁପର ବୋଲି ମଧ୍ୟ ଜଣାପଡ଼ିଛି । ସେ ସବୁବେଳେ ଭାରତ ଭିତରକୁ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଉଥିଲା । ନୌସେରା, ସୁନ୍ଦରବନି ଓ ପାଲନୱାଲା ସେକ୍ଟରରେ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବାକୁ ତାକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଗତ ୧୭ ତାରିଖରେ ପାକ ସେନା ପୁଂଚ ଜିଲ୍ଲାର କ୍ରିଷ୍ଣାଘାଟି ସେକ୍ଟରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲକ୍ଷ୍ୟରେ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା । ଏହାର ପ୍ରତି ଜବାବରେ ଭାରତୀୟ ସେନା ପାକ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । ଏଥିରେ ଏହି କମାଣ୍ଡୋ ପ୍ରାଣ ହରାଇଥିବା ଜଣାପଡ଼ିଛି ।

Comments are closed.