OnaKhabar

ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମଙ୍କ ବିରୋଧରେ ଜାରି ହେଲା ଲୁକ ଆଉଟ ନୋଟିସ

390

ଭୁବନେଶ୍ୱର (ଓଏନଏ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାଜ୍ୟ ସଭା ସାଂସଦ ପି. ଚିଦାମ୍ବରମଙ୍କ ପାଇଁ ଅଡୁଆ ବଢ଼ି ବଢ଼ି ଚାଲିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉପରେ ଏବେ ଚିଦାମ୍ବରଙ୍କ ଭାଗ୍ୟ ନିର୍ଭର କରୁଛି । ମୁଖ୍ୟ ବିଚାରପତି ଯଦି ତୁରନ୍ତ ଶୁଣାଣୀ କରି ଜାମି ନ ଦିଅନ୍ତି ତେବେ ଚିଦାମ୍ବରମଙ୍କ ଗିରଫ ସୁନିଶ୍ଚିତ । ତାଙ୍କ ଜାମିନ ଉପରେ ତୁରନ୍ତ ଶୁଣାଣୀ ହେବ କି ନାହିଁ ଏ ନିଷ୍ପତ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଉପରେ ଛଡ଼ାଯାଇଛି । ହେଲେ ଅନ୍ୟ ପଟରେ ମଙ୍ଗଳବାର ହାଇକୋର୍ଟ ରାୟ ଆସିବା ପରଠାରୁ ଚିଦାମ୍ବରମଙ୍କର କୌଣସି ଖୋଜଖବର ମିଳୁନାହିଁ । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଦାମ୍ବରମଙ୍କ ଦିଲ୍ଲୀ ବାସଭବନକୁ ଯାଇ ବିଫଳ ହୋଇ ଫେରିଛନ୍ତି । ଫଳରେ ଆଜି ତାଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ନୋଟିସ ଜାରି କରାଯାଇଛି । ସିବିଆଇ ଓ ଇଡି ସହ ଚିଦାମ୍ବରମଙ୍କ ଛକାପଞ୍ଝା ଲାଗି ରହିଛି ।
ଆଇଏମଏକ୍ସ ମିଡିଆ ମାମଲାରେ ବିଦେଶୀ ଅର୍ଥ ହେରଫେର ଅଭିଯୋଗରେ ସିବିଆଇ ଚିଦାମ୍ବରମ ଓ ତାଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ମାମଲାରେ ସିବିଆଇ ଓ ଇଡି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିକଙ୍କୁ ଏକାଧିକବାର ଡାକି ଜେରା କରିଛି । ଅଧିକ ପଚରା ଉଚୁରା ପାଇଁ ତାଙ୍କୁ ହେପାଜତକୁ ନେବାଲାଗି ସିବିଆଇ ଦିଲ୍ଲୀ ହାଇକୋର୍ଟକୁ ଜଣାଇଛି । ଏଥିରେ ବ୍ୟାପକ ଅର୍ଥ ହେରଫେରର ସୂଚନା ଥିବାରୁ ତାଙ୍କୁ ଜେରା କରିବାର ଆବଶ୍ୟକ ରହିଛି । ଫଳରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ ଆବେଦନ କରିଥିବା ଆଗୁଆ ଜାମିନ ଖାରଜ କରିଦେଇଥିଲେ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରଙ୍କ ଜମିନ ଖାରଜ କରିବା ପରେ ତାଙ୍କୁ ଧରିବା ପାଇଁ ସିବିଆଇର ଏକ ୬ ଜଣିଆ ଟିମ ଚିଦାମ୍ବରଙ୍କ ଦିଲ୍ଲୀ ବାସଭବନରେ ପହଂଚିଥିଲେ । କିନ୍ତୁ ତାଙ୍କୁ ନ ପାଇ ଫେରିଥିଲେ । ପରେ ଇଡିର ତଦନ୍ତକାରୀ ଅଧିକାରୀମାନେ ଯାଇ ପହଂଚିଥିଲେ । ସେ ବି ବିଫଳ ହୋଇ ଆସିଥିଲେ । ପରେ ଚିଦାମ୍ବରମଙ୍କ ଘରେ ଦୁଇଘଣ୍ଟା ଭିତରେ ହାଜର ହେବା ପାଇଁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ନୋଟିସ ଲଗାଯାଇଥିଲା । କିନ୍ତୁ ଚିଦାମ୍ବରମ ହାଜର ହୋଇ ନାହାଁନ୍ତି । ଅନ୍ୟ ପଟରେ ତାଙ୍କ ଓକିଲ ସିବିଆଇକୁ ଲେଖି ଜଣାଇଛନ୍ତି କେଉଁ ଆଇନ ବଳରେ ୨ ଘଣ୍ଟିଆ ହାଜିରା ନୋଟିସ ଦିଆଯାଇଛି ତାହା ଜଣାଇବାକୁ କହିଛନ୍ତି । ଏଥିସହ ଚିଦାମ୍ବରମ ସୁପ୍ରିମକୋର୍ଟ ଯାଇଥିବାରୁ କୋର୍ଟଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ସିବିଆଇ ଅପେକ୍ଷା କରିବାକୁ ଚିଦାମ୍ବରମଙ୍କ ଓକିଲ ଚିଠିରେ ସିବିଆଇକୁ ଲେଖିଛନ୍ତି ।
ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ ବିରୋଧରେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ଆବେଦନ କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ହେବାର ଥିଲା । ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା କିନ୍ତୁ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଶୁଣିବାକୁ ମନା କରିଦେଇଥିଲେ । ଏହି ମାମଲାର ତୁରନ୍ତ ଶୁଣାଣୀ ହେବ କି ନାହିଁ ତାହା ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗେଇ ନିଷ୍ପତି ନେବେ ବୋଲି କହିଥିଲେ । ଚିଦାମ୍ବରମଙ୍କ ଓକିଲ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଆସିଛନ୍ତି ବୋଲି ଜଣାପଡ଼ିଛି । କିନ୍ତୁ ମୁଖ୍ୟବିଚାରପତି ଅଯୋଧ୍ୟା ବିବାଦ ମାମଲାର ଶୁଣାଣିରେ ବ୍ୟସ୍ତ ଅଛନ୍ତି । ଚିଦାମ୍ବରଙ୍କ ମାମଲା ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଶୁଣାଣୀ ହେବା ନେଇ ତାଲିକାଭୁକ୍ତ ହୋଇନାହିଁ ।
ଗୋଟିଏ ପଟେ ସିବିଆଇ ଓ ଇଡି ଚିଦାମ୍ବରମଙ୍କୁ ଗିରଫ ପାଇଁ ଖୋଜି ବୁଲୁଥିଲା ବେଳେ ସେ ଧରା ନ ଦେଇ ଛପି ଯାଇଛନ୍ତି । ଅନ୍ୟ ପଟରେ ସୁପ୍ରିମକୋର୍ଟଙ୍କ ମୁଖ୍ୟବିଚାରପତିଙ୍କ ପାଇଁ ଅପେକ୍ଷା କରିଛନ୍ତି ଚିଦାମ୍ବରମଙ୍କ ଓକିଲ ।
ଏହି ଘଟଣାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଭଦ୍ରା ଟ୍ୱିଟ କରି ତଦନ୍ତକାରୀ ସଂସ୍ଥାଙ୍କ ପଦକ୍ଷେପକୁ କଡ଼ା ସମାଲୋଚନା କରିବା ସହ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । କଂଗ୍ରେସ ଚିଦାମ୍ବରମଙ୍କ ସହ ଦୃଢ଼ଭାବେ ରହିଛି ବୋଲି ମତ ରଖିଛନ୍ତି ।

ସିବିଆଇ-ଚିତାମ୍ବରମ ଛକାପଞ୍ଛା, ଭରଷା ସୁପ୍ରିମକୋର୍ଟ

Comments are closed.