OnaKhabar

ଅସିତଙ୍କଠାରୁ ଅଶା ଅନେକ

400

ଭୁବନେଶ୍ୱର (ଓଏନଏ): ରାଜ୍ୟର ୪୩ତମ ମୁଖ୍ୟଶାସନ ସଚିବ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଓ ଦକ୍ଷ ଆଇଏଏସ ଅଫିସର ଅସିତ କୁମାର ତ୍ରିପାଠୀ । ତାଙ୍କର ଏହି ଯୋଗଦାନ ପରେ ଏବେ ଅଫିସର ମହଲ ବେଶ ଖୁସୀ । ବରିଷ୍ଠଠାରୁ ଆରମ୍ଭ କରି କନିଷ୍ଠ ପର୍ଯ୍ୟନ୍ତ ପ୍ରଶାସନିକ ମହଲରେ ତାଙ୍କୁ ନେଇ ଖୁସୀର ଲହରି ଖେଳିଛି । ଏପରି କି ରାଜନୀତିକ ମହଲରେ ବି ଆଲୋଚନା ହେଉଛି, ଯାହାହେଉ ଏତେଦିନ ଓଡ଼ିଶା ଜଣେ ଦକ୍ଷ ମୁଖ୍ୟଶାସନ ସଚିବ ପାଇଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳି ସରକାର ଦାୟିତ୍ୱ ନେବା ପରେ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବରେ ଲୋକାଭିମୁଖୀ କରିବା ଓ ଏ ସରକାର ଲୋକଙ୍କର ବୋଲି ଏକ ଧାରଣା ସୃଷ୍ଟି କରିବା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ‘୫-ଟି’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କୁହାଯାଉଛି ନବୀନଙ୍କର ଏହି ସ୍ୱପ୍ନ ଏବେ ପୂରଣ କରିପାରିବେ ଅସିତ ତ୍ରିପାଠୀ ।
ସେ ଦାୟିତ୍ୱ ନେବା ପରେ ଗଣମାଧ୍ୟମରେ ଯେଉଁ ମତ ରଖିଛନ୍ତି ସେଥିରୁ ଜଣାପଡୁଛି ଆଗକୁ କିପରି ରହିବ ତାଙ୍କର କାର୍ଯ୍ୟଧାରା । ତାଙ୍କର ନୀତି ହେଉଛି ‘୫-ଟି’ ଢ଼ାଞ୍ଚାରେ ସରକାର ଚାଲିବ । ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କାମ ସରିବ । ଅନଲାଇନ ଖଜଣା ପ୍ରଦାନ ତାଙ୍କର ଏକ ନୂଆ କାର୍ଯ୍ୟକ୍ରମ ବୋଲି ସୂଚନା ମିଳୁଛି । ସେ କୌଣସି କାର୍ଯ୍ୟର ନିଷ୍ପତ୍ତି ତୁରନ୍ତ ନିଆଯିବ । ସେ କହିଛନ୍ତି “ରକେଟ ସ୍ପିଡରେ” ସବୁ ସରକାରୀ ଫାଇଲ କାର୍ଯ୍ୟ କରିବ । ତାଙ୍କର ପ୍ରଶାସନିକ କାର୍ଯ୍ୟର ସବୁସ୍ତରର ଅଫିସରଙ୍କୁ ସୂଚନା ହେଲା “ସ୍ପିଡ” । ଯେ କୌଣସି ନିଷ୍ପତ୍ତି ବା କାର୍ଯ୍ୟକ୍ରମ ନେବାର ଅଛି ତାହା ତୁରନ୍ତ ନିଆଯିବ । କୌଣସି କାର୍ଯ୍ୟ ଅଟକି ରହିବନାହିଁ । ମୁଖ୍ୟମନ୍ତ୍ରୀଙ୍କର ‘୫-ଟି’ (ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରେନ୍ସି, ଟ୍ରାନ୍ସଫର୍ମେଶନ ଓ ଟାଇମ ଲିମିଟ) କାର୍ଯ୍ୟକ୍ରମକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ତାଙ୍କର ଲକ୍ଷ୍ୟ । ଏହା ଦ୍ୱାରା ହିଁ ରାଜ୍ୟ ବିକାଶ ଆଡ଼କୁ ଗତି କରିବ ବୋଲି ତାଙ୍କର ବାର୍ତ୍ତା ।
ଶ୍ରୀ ତ୍ରିପାଠୀଙ୍କର ୩୩ ବର୍ଷର କ୍ୟାରିୟରକୁ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ମୁଖ୍ୟଶାସନ ସଚିବ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମୁଖ୍ୟଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅନ୍ୟତ୍ର ଦାୟିତ୍ୱ ଦେଇ ଶ୍ରୀ ତ୍ରିପାଠୀଙ୍କୁ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ଲୋକଙ୍କ ସହ ଯୋଡ଼ିବା ପାଇଁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରିସାରିଛନ୍ତି । ଏଣୁ ତାଙ୍କର କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ହେଲେ ଜଣେ ଦକ୍ଷତା ସମ୍ପର୍ଣ୍ଣ କମାଣ୍ଡରର ଆବଶ୍ୟକ ଥିଲା । ଶ୍ରୀ ତ୍ରିପାଠୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ସଫଳତାର ସହ କାର୍ଯ୍ୟ କରି ଆସିଛନ୍ତି । ଜଣେ ଟିମ ଲିଡର ଭାବେ ସବୁସ୍ତରର ଅଫିସରଙ୍କୁ ସାଥୀରେ ନେଇ କାର୍ଯ୍ୟ କରିବାର ପାରଦର୍ଶିତା ମଧ୍ୟ ରହିଛି । ସେ ତାଙ୍କ ଚାକିରି କାଳ ଆରମ୍ଭ କଲାଠାରୁ ଆଜିଯାଏଁ କୌଣସିଠାରେ ତାଙ୍କ ବିରୋଧରେ କେହି ଅଫିସର କିମ୍ବା ସାଧାରଣ ଲୋକେ ଏପରି କି ରାଜନେତାମାନେ ବି ବିରୋଧ କରିନାହାଁନ୍ତି ।
ସେ ଆଇଏଏସ ଚାକିରିରେ ଯୋଗଦେବା ପରେ ପ୍ରଥମେ ତାଳଚେରର ଉପଜିଲ୍ଲାପାଳ ହୋଇଥିଲେ । ପ୍ରଥମ ଚାକିିରିରୁ ତାଙ୍କର ଦକ୍ଷତା ଜଣାପଡିଥିଲା । ସେ ସମୟରେ କୋଇଲା ମାଫିଆଙ୍କର ବେଶ ରାଜଚାଲିଥିଲା ତାଳଚେରରେ । କୌଣସି ଚାପର ବଷବର୍ତ୍ତୀ ନ ହୋଇ ଶ୍ରୀ ତ୍ରିପାଠୀ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ଉଭୟ ସ୍ଥାନୀୟ ଲୋକଙ୍କର ଓ ସରକାରଙ୍କର ପ୍ରୀୟଭାଜନ ହୋଇପାରିଥିଲେ । ପରେ ସେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ହୋଇଥିଲେ । ସେ ସମୟରେ ରାଉରକେଲା ଇସ୍ପାତ କାରଖାନା କର୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଲିଜ ଚୁକ୍ତିନାମା ସ୍ୱାକ୍ଷର କରାଇବାରେ ସଫଳ ହୋଇଥିଲେ । ସାକ୍ଷତରତା ଲକ୍ଷ୍ୟ ହାସଲ କରାଇବାରେ ମଧ୍ୟ ତାଙ୍କ ଭୂମିକାକୁ ନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଶ୍ରୀ ତ୍ରିପାଠୀଙ୍କୁ ଉତ୍ସସିତ ପ୍ରଶଂସା କରିଥିଲେ । ସେ ନୂଆପଡ଼ା ଓ ସୁନ୍ଦରଗଡ଼ର ଜିଲ୍ଲାପାଳ ମଧ୍ୟ ଥିଲେ । ଜିଲ୍ଲାପାଳ ଭାବରେ ମଧ୍ୟ ତାଙ୍କର ଦକ୍ଷତା ସେ ସମୟରେ ବେଶ ବାରି ହୋଇ ପଡୁଥିଲା ।
ସେ ଶକ୍ତି ବିଭାଗ ସଚିବ ଥିଲା ବେଳେ ଅନେକ ସଂସ୍କାରମୂଳକ କାର୍ଯ୍ୟ କରିପାରିଥିଲେ । ସେ ସମୟରେ କେନ୍ଦ୍ରର କଂଗ୍ରେସ ସରକାର ଏକ ଜାତୀୟ ସମ୍ମିଳନୀ ଶକ୍ତି ସମ୍ପର୍କରେ ଡାକିଥିଲେ । ସେଠାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶକ୍ତି ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ବରିଷ୍ଠମନ୍ତ୍ରୀ ଓ ଅଫିସରମାନେ ବି ଉପସ୍ଥିତ ଥିଲେ । ଓଡ଼ିଶା ପକ୍ଷରୁ ଶ୍ରୀ ତ୍ରିପାଠୀ ସେଠାରେ ଯେଉଁ ପ୍ରେଜେଣ୍ଟେସନ ଦେଇଥିଲେ ତାକୁ ଦେଖି ସେଠାରେ ଉପସ୍ଥଇତ ଥିବା ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଅଭିଭୂତ ହୋଇପଡ଼ିଥିଲେ । ଜଣେ ଅଫିସରଙ୍କର ଏଭଳି ଦକ୍ଷତା ଦେଖି ସେ ଆଉ ଚୁପ ହୋଇ ନ ବସି ସମସ୍ତଙ୍କ ସମ୍ମୁଖରେ ଭୂୟସୀ ପ୍ରଶଂସ କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତ ଥିଲେ ।
ସେ ଇଡକୋର ଅଧ୍ୟକ୍ଷ ଭାବରେ ଢ଼େର ଦିନ ରହିଥିଲେ । ସେତେବେଳେ ସେ ଫର୍ଚୁନ ଟାୱାର ନିର୍ମାଣ କରିଥିଲେ । ଯାହାକୁ ନେଇ ସେ ସମୟରେ କିଛି ସମାଲୋଚନା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଶ୍ରୀ ତ୍ରିପାଠୀଙ୍କର ଦୂରଦର୍ଶିତା କେତେ । କାରଣ ସେହି ଫର୍ଚୁନ ଟାୱାର ପାଇଁ ଇଡକୋ ନିଜକୁ ସକ୍ଷମ କରିପାରିଛି ଓ ଦେବାଳିଆ ହେବାରୁ ବର୍ତ୍ତିଯାଇଛି । ଏକାମ୍ର ହାଟ ନିର୍ମାଣ ହେଉଛି ତାଙ୍କର ଆଉ ଏକ ଦୂରଦର୍ଶିତାର ପରିଚୟ ।
ଓଡ଼ିଶାକୁ ଆଇଟି କ୍ଷେତ୍ରର ବଡ଼ ବଡ଼ ସଂସ୍ଥାକୁ ଆକୃଷ୍ଟ କରିବା ପାଇଁ ଇନଫୋସିଟି କରିଥିଲେ । ଏପରି କି ଇନଫୋସିଟିରେ ଯେଉଁ ଗଲ୍ଫ ଖେଳ ପାଇଁ ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ତାଙ୍କ ଦ୍ୱାରା ସମ୍ଭବ ହୋଇଥିଲା ।
ପରବର୍ତ୍ତୀ ସମୟରେ ସେ କେନ୍ଦ୍ରକୁ ଡେପୁଟେସନରେ ଯାଇ କୃଷି ଓ ଖାଦ୍ୟପ୍ରକିୟାକରଣ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (ଆପେଡ଼ା)ର ଅଧ୍ୟକ୍ଷ ହୋଇଥିଲେ । କେନ୍ଦ୍ର ସରକାରଙ୍କ ଅଧିନରେ ଥିଲା ବେଳେ ସେଠାରେ ମଧ୍ୟ ନୂଆ ନୂଆ କାର୍ଯ୍ୟ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । କେନ୍ଦ୍ରରୁ ଫେରିବା ପରେ ତାଙ୍କୁ ଘରୋଇ ବିଭାଗର ଦାୟିତ୍ୱ ଦିଆଯାଇଥିଲା । ଦୀର୍ଘ ବର୍ଷ ଧରି ସେ ଘରୋଇ ବିଭାଗ ଦାୟିତ୍ୱରେ ରହିଥିଲେ । ଘରୋଇ ବିଭାଗରେ ଅନେକ ସଂସ୍କାର ମୂଳକ କାର୍ଯ୍ୟମଧ୍ୟ ଗ୍ରହଣ କରିବାରେ ସଫଳ ହୋଇଥିଲେ । ଭଦ୍ରକ ଦଙ୍ଗା କେବଳ ଶ୍ରୀ ତ୍ରିପାଠୀଙ୍କ ଯୋଗୁ ରୋକାଯାଇ ପାରିଥିଲାବୋଲି ପ୍ରଶାସିନ ମହଲରେ ଆଲୋଚନା ହୋଇଥିଲା । ସେ ନିଜେ ଭଦ୍ରକରେ ପହଂଚି ସ୍ଥିତି ସମୀକ୍ଷା କରିଥିଲେ । ସେ ହେଉଛନ୍ତି ପ୍ରଥମ ଗୃହ ସଚିବ ଯେ, ଦଙ୍ଗା ସ୍ଥଳରେ ଯାଇ ପହଂଚି ପାରିଥିଲେ ବୋଲି କୁହାଯାଏ । ଏପରି କି ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ ଘଟଣାରେ ବି ସେଠାରେ ପହଂଚିଥିଲେ ।
ଜଣେ ଅଫିସର ଭାବେ ସରକାରଙ୍କୁ ବଦନାମ ହେବାକୁ କେବେ ସେ ଦେଇ ନ ଥିଲେ । ଏପରି କି କାହାରି ଚାପରେ କିମ୍ବା କାହା ଆଗରେ ମୁଣ୍ଡ ନୁଆଁଇ କାମ କରିବା କେବେ ଶୁଣାଯାଇନାହିଁ କିମ୍ବା ଦେଖାଯାଇ ନାହିଁ ବୋଲି ଅନେକ ଅଫିସର ମତ ଦିଅନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦିଗକୁ ବିଚାର କରି ବର୍ତ୍ତମାନର ପ୍ରଶାସନିକ ଆବଶ୍ୟକତାକୁ ଦେଖି ଶ୍ରୀ ତ୍ରିପାଠୀଙ୍କ ହାତରେ ପ୍ରଶାସନର ସର୍ବୋଚ୍ଚ ଡୋରି ଧରାଇଥିବା କଥା କୁହାଯାଉଛି ।

Comments are closed.