OnaKhabar

ନିରଂଜନ ବାବୁ ସଭାପତି ରହିବା ଦରକାର: ରଂଜୀବ

559

ଭୁବନେଶ୍ୱର (ଓଏନଏ): ଟ୍ରିପିଲ ତଲାକ ବିଲରେ କଂଗ୍ରେସର ହ୍ୱିପକୁ ଅବମାନନା କରି ସାଂସଦ ରଂଜିବ ବିଶ୍ୱାଳ ରାଜ୍ୟସଭାରେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ହେଲେ ସେ ଏହା ଉପରେ କୌଣସି ମତାମତ ରଖିନ ଥିଲେ । ଏବେ ତାଙ୍କ ପ୍ରତିକ୍ରୀୟା ପଦାକୁ ଆସିଛି । ଦଳର ଅନୁମତି ନେଇ ସେ ବାହାରକୁ ଯାଇଥିଲେ । କଂଗ୍ରେସରେ ସେ ଏବେ ଅଛନ୍ତି ବୋଲି କହିଛନ୍ତି । କଂଗ୍ରେସ ଛାଡ଼ିବା କଥାକୁ ଅସ୍ୱୀକାର କରିଛନ୍ତି ।
ଗଣମାଧ୍ୟମକୁ ରଂଜିବ କହିଛନ୍ତି ଟ୍ରିପିଲ ତଲାକ ବିଲ ଯେତେବେଳେ ରାଜ୍ୟସଭାରେ ଗୃହୀତ ହୋଇଥିଲା ସେତେବେଳେ ମୁଁ ବିରୋଧୀ ଦଳ ନେତାଙ୍କ ଅନୁମତି ନେଇ ବାହାରକୁ ଯାଇଥିଲି । ମୋର ଜଣେ ସମ୍ପର୍କୀୟଙ୍କର ଅପରେଶନ ହେଉଥିଲା । କିନ୍ତୁ ୩୭୦ ଧାରା ସମୟରେ ମୁଁ ରାଜ୍ୟସଭାରେ ଉପସ୍ଥିତ ଥିଲି ଦଳ ସହିତ । ମୋର ନାଁରେ ସୋଶାଲ ମିଡ଼ିଆରେ ଲେଖାହେଲା ଯେ, ୪୦ କୋଟି ଟଙ୍କାରେ ଡିଲ ହୋଇଗଲା । ୪୦ କୋଟି ଟଙ୍କା ଯେତେବେଳେ ଡିଲ ହେଉଥିଲା ସେତେବେଳେ ସେ ସାମ୍ବାଦିକ ମୋ ପାଖରେ ବୋଧେ ବସିଥିଲେ । ତାକୁ ହିଁ ଖୋଜୁଛି । କାରଣ ସେ କମିଶନଟା ତାକୁ ଦେବାର ଅଛି ମୋର । ମୁଁ ସେ ସାମ୍ବାଦିକକୁ ଦେଖିବାକୁ ପାଉନାହିଁ ବୋଲି ସେ ଆକ୍ଷେପ କରି କହିଛନ୍ତି ।
କଂଗ୍ରେସ ଛାଡ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ରଂଜିବ କହିଛନ୍ତି ମୁଁ ଏବେ କଂଗ୍ରେସରେ ଅଛି । ଆଗକୁ ବି କଂଗ୍ରେସରେ ରହିବି । କଂଗ୍ରେସରେ ପରିବାରରେ ମୋରଜନ୍ମ । କଂଗ୍ରେସର ନୀତିକୁ ଗ୍ରହଣ କରୁଛି । ଆଜିଯାଏଁ କଂଗ୍ରେସରେ ଅଛି ବୋଲି ଉଲ୍ଲେଖ କରିଛନ୍ତି ।
ଦଳର ବିପର୍ଯ୍ୟୟ ସମ୍ପର୍କରେ ରଂଜିବ କହିଛନ୍ତି ରାଜ୍ୟ କଂଗ୍ରେସ ଲଗାତର ଭାବେ ଯେଉଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଓ ଦଳ ହତୋତ୍ସାହିତ ହୋଇଛି ଏଥିରେ ଦଳରେ ପୁଣି ଉତ୍ସାହ ଆଣିବାକୁ ହେଲେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ । ଏ ଦାୟିତ୍ୱ କେବଳ ନିରଂଜନଙ୍କ ବାବୁଙ୍କୁ ନୁହେଁ । ଏହା ହେଉଛି ସମ୍ବଳିତ ଉଦ୍ୟମର ଆବଶ୍ୟକ । ଆମକୁ କର୍ମୀ ଓ ନେତାଙ୍କ ପାଖକୁ ଯିବାକୁ ପଡ଼ିବ । ସଙ୍ଗଠନର ତଳସ୍ତରରୁ ମୁଭମେଣ୍ଟ ଆରମ୍ଭ କରିବାକୁ ପଡ଼ିବ । ଏହା ହେଲେ ଆମ ସହ କର୍ମୀ ଯୋଡ଼ି ହେବେ । ନିରଂଜନ ବାବୁ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି କିନ୍ତୁ ତାହା ଏଆଇସିସି ଏଯାଏଁ ଗ୍ରହଣ କରିନାହିଁ । ନିରଂଜନବାବୁଙ୍କୁ ଯେତିକି ସହଯୋଗ କରିବା କଥା ଆମେ ନେତାମାନେ ସେତିକି କରିପାରିନାହୁଁ । ଆମେ ଯଦି ସମସ୍ତେ ଏକଜୁଟ ହେବୁ ଓ ନିରଂଜନବାବୁ ସଭାପତି ରୁହଁନ୍ତି ତାହାହେଲେ କଂଗ୍ରେସ ପୁନରୁଦ୍ଧାରର ସୁଯୋଗ ରହିଛି । ନିରଂଜନବାବୁଙ୍କ ସ୍ଥାନରେ କିଏ ସଭାପତି ହେବ ତାହା ମୁଁ କହିପାରିବି ନାହିଁ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ନିରଂଜନ ବାବୁ ରହିବା ଦରକାର ଓ ତାଙ୍କୁ ଅଧିକ କ୍ଷମତା ଦେବା ଦରକାର । ନିର୍ବାଚନ ସମୟରେ ଯେଉଁଭଳି ଭାବରେ ଟିକେଟ ପ୍ରଦାନ କରାଗଲା ତାହା ସନ୍ତୋଷଜନକ ନଥିଲା । ଯେଉଁମାନେ ଟିକେଟ ପ୍ରଦାନ କଲେ ସେମାନେ ତଳସ୍ତରର ବାସର ଚିତ୍ରକୁ ଗ୍ରହଣ ନ କରି ଟିକେଟ ଦେଲେ । ନିରଂଜନ ବାବୁଙ୍କର ଗୋଟିଏ ବଡ଼ ଆସେଟ ହେଉଛି ତାଙ୍କର ବହୁ ଅଭିଜ୍ଞତା ରହିଛି । ସେ ଓଡ଼ିଶାର ମାନଚିତ୍ର ଭଲଭାବେ ଜାଣିଛନ୍ତି । କଂଗ୍ରେସର କେଉଁ ନେତା କେଉଁଠି ଅଛନ୍ତି ସେ ଭଲଭାବେ ଚିହ୍ନିଛନ୍ତି । ମୋର ବ୍ୟକ୍ତିଗତ ମତ ହେଉଛି ନିରଂଜନ ବାବୁ ସଭାପତି ପଦରେରହିବା ଦରକାର । କମିଟି ଦାୟିତ୍ୱରେ ଯଦିଏ ରହିବେ ସେ ଯଦି ୨୦୦ ସମ୍ପାଦକ ଓ ୭୦ ସାଧାରଣ ସମ୍ପାଦକ ଏଭଳି ନ କରି ଗୋଟିଏ ଛୋଟ କମିଟି କରି ଉତ୍ତର ଦାୟିତ୍ୱ ନ୍ୟସ୍ତ କଲେ କଂଗ୍ରେସ ଆଗେଇବ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଯିଏ ପିସିସି ସଭାପତି ହେବ ତାହା ହାତରେ ଯାଦୁ ନାହିଁ କି ଦଳକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବ । ଆମର ମାନସିକତା ସବୁ କିଛି ନିର୍ଭର କରେ । ଯେଉଁମାନେ ଆମେ କହୁଛେ ବଡ଼ ବଡ଼ ନେତା, ଆମର ବହୁ ଅଭିଜ୍ଞତା ରହିଛି କାରଣ ଆମେ ତାକୁ ଯଦି କାର୍ଯ୍ୟରେ ନ ଲଗାଇବ ଓ ଦଳକୁ ସହଯୋଗ ନ କରିବ ତେବେ ଯିଏବି ସଭାପତି ହେଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବେ ।
କଂଗ୍ରେସ ଅତିତରେ ବି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଇନ୍ଦିରା ଗାନ୍ଧିଙ୍କ ସମୟରେ ୧୯୭୭ରେ କଂଗ୍ରେସକୁ ବିପର୍ଯ୍ୟୟର ମୁକାବିଲା କରିବାକୁ ପଡ଼ିଥିଲା । କିନ୍ତୁ ୧୯୮୦ରେ କଂଗ୍ରେସ ପୁଣି କ୍ଷମତାକୁ ଫେରିଲା । ଏଣୁ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଂଜନବାବୁଙ୍କୁ ଦୋଷ ଦେଲେ ହେବନି । ପରାଜୟରେ ଆମେବି ଭାଗିଦାର । ଯେଉଁମାନେ ସବୁ ବଡ଼ ନେତା ଅଛନ୍ତି ଟିଭିରେ ବହୁ ସମୟ ଆସି କଥା କହୁଛନ୍ତି ସେମାନେ ବି ଦାୟୀ । ଏଣୁ ସମସ୍ତେ ମିଶି ଦଳକୁ ସୁଦୃଢ଼ କରିବା ଦରକାର । ଯେପର୍ଯ୍ୟନ୍ତ ସମସ୍ତେ ନ ବୁଝିବେ ମୋ ଦଳ, ମୋର ସ୍ୱାର୍ଥ ହାସଲ ହେଲାନି ବୋଲି କଂଗ୍ରେସ ଦଳକୁ କ୍ଷତି କରିବି ତେବେ କଂଗ୍ରେସ ଦଳରେ ନିରଂଜନ ବାବୁ ହୁଅନ୍ତୁ କି ରାହୁଲ ଗାନ୍ଧି ହୁଅନ୍ତୁ କି ସୋନିଆ ଗାନ୍ଧି ପିସିସି ସଭାପତି ହେଲେ କଂଗ୍ରେସକୁ ରିଭାଇବ କରିପାରିବ ନାହିଁ ।
କେନ୍ଦ୍ରରେ ଯେତେବେଳେ ୨୦୦୪ରେ କଂଗ୍ରେସ ଆସିଲା ଓ ପୁଣି ୨୦୦୯ରେ ଆସିଲା ସେତେବେଳେ କୁହାଗଲା ବିଜେପି ଆଉ ଆସିପାରିବ ନାହିଁ । କିନ୍ତୁ ୨୦୧୪ରେ ବିଜେପି ଭଲ ପ୍ରଦର୍ଶନ କଲା । ଗୋଟେ ଗୋଟେ ସମୟ ଥାଏ ଦଳ ପାଇଁ ବିପର୍ଯ୍ୟୟ ଆସେ ଭଲ ସମୟ ବି ଆସେ । ଏବେ କଂଗ୍ରେସ ଦଳ ପାଇଁ ବଡ଼ ବିପର୍ଯ୍ୟୟ ଆସିଛି । ଏଥିପାଇଁ ସମୟ ଲାଗିବ । ଏହି ସମୟ ଭିତରେ କଂଗ୍ରେସକୁ ପୁର୍ନଗଠନ କରିବା ପାଇଁ ଉଦ୍ୟମ କରାଯିବ । କଂଗ୍ରେସ ଏକ ପୁରାତନ ଦଳ । ତାର ନୀତି ନିଶ୍ଚୟ ନିର୍ଦ୍ଧାରିତ ହେବ ।
ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଯେଉଁଭଳି ଭାବରେ ବିଜେଡି ସମର୍ଥନ ଦେଲା ସେଥିରୁ ଦେଖାଯାଉଛି ନବୀନ ପଟ୍ଟନାୟକ ଆତ୍ମସମର୍ପଣ କରିଛନ୍ତି । ତେଣୁ ତାଙ୍କର ଏହି ଆତ୍ମସମର୍ପଣର ରହସ୍ୟ କଣ । ତାହା ହାଟରେ ଓ ଦାଣ୍ଡରେ ଗଡ଼ୁଛି । ବିଜେପି-ବିଜେଡିର ମଧୁଚନ୍ଦ୍ରିକା ନିଶ୍ଚିନ୍ତ ଅଛି ।