OnaKhabar

ମନ୍ତ୍ରିମଣ୍ଡଳ ଗଠନର ଅସନ୍ତୋଷ ଏବେ ପଦାକୁ ଆସିଛି

2,087

ଭୁବନେଶ୍ୱର: ମନ୍ତ୍ରିମଣ୍ଡଳ ଗଠନ ନେଇ ବରିଷ୍ଠ ବିଧାୟକମାନଙ୍କ ରହିଥିବା ଅସନ୍ତୋଷ ପଦାକୁ ବାହାରିଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତି ବେଳେ ଏହି ଅସନ୍ତୋଷ ଏବେ ବାରିହୋଇ ପଡ଼ିଛି । ଏହି ପଦବୀକୁ ନେଇ ବହୁ ବରିଷ୍ଠ ବିଧାୟକ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ମନା କରିବା ଘଟଣା ଦଳ ମୁଖିଆଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସରକାର ଗଠନ ଆରମ୍ଭରୁ ଏଭଳି ଘଟଣା ଆସିବା ପରେ ଆଗକୁ ସଙ୍ଗଠନ ପାଇଁ ସମସ୍ୟା ବଢ଼ାଇବ ବୋଲି କୁହାଯାଉଛି । ପୂର୍ବରୁ ଏଭଳି ପରିସ୍ଥିତିର ମୁକାବିଲା କରିବାକୁ କେବେ ପଡ଼ିନଥିଲା ବୋଲି କୁହାଯାଉଛି । ଚାରିପାଳିର ସରକାର ପରେ ପଚଂମ ପାଳି ଏବେ ନେତାଙ୍କ ବିରୋଧାଭାବ ଆସିବା ଚର୍ଚ୍ଚାର ବିଷୟ ହୋଇଛି ।
ଗତପାଳିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଯୋଜନା ବୋର୍ଡ ସଭାପତି ପଦରେ ମୁଖ୍ୟତଃ ବିଧାୟକମାନଙ୍କୁ ନିଯୁକ୍ତି ଦେଇଥିଲେ । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ପାରିନଥିବା ବରିଷ୍ଠ ବିଧାୟକମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଥିଲା । ସେମାନଙ୍କୁ ମନ୍ତ୍ରୀ ପଦର ସମସ୍ତ ସୁବିଧା ସୁଯୋଗ ଦିଆଯାଇଥିଲା । ମନ୍ତ୍ରୀଙ୍କ ଭଳି ସେମାନେ ବି ନାଲିବତୀ ଗାଡ଼ି ଚଢ଼ୁଥିଲେ । ଏବେ ଆଉ ନାଲିବତୀ କାହାରି ପାଇଁ ରହିନାହିଁ । ଫଳରେ ଆଉ ଯୋଜନା ବୋର୍ଡ ଅଧ୍ୟକ୍ଷ ହେବାର ଆଗ୍ରହ ମଧ୍ୟ ବିଧାୟକଙ୍କ ଭିତରେ ନାହିଁ । ସେତେବେଳେ ଭାବୁଥିଲେ ମନ୍ତ୍ରୀ ହୋଇ ନ ପାରିଲେ ବି ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇ ନାଲିବତୀ ଚଢ଼ିପାରିବେ । କେନ୍ଦ୍ର ସରକାର ନାଲିବତୀ ଚଢ଼ିବାକୁ ଉଠାଇ ଦେଇଛନ୍ତି ।
ଫଳରେ ମନ୍ତ୍ରୀପଦ ପାଇ ନଥିବା ବରିଷ୍ଠ ବିଧାୟକମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ରହିଛି ତାକୁ ଦୂର କରିବା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ନିଯୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାର୍ହିଁଥିଲେ । ହେଲେ ବହୁ ସଂଖ୍ୟାରେ ବିଧାୟକ ଏହି ପଦବୀ ନେବାକୁ ସଫା ମନା କରିଦେଲେ । ଫଳରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଏଥିରୁ ଜଣାପଡ଼ୁଛି ଦଳୀୟ ନେତା କେତେ କ୍ଷୋଭରେ ଅଛନ୍ତି । କାରଣ ବିଜେପିରୁ ଆସି ଯୋଗ ଦେଇଥିବା ଓ ପ୍ରଥମ ଥର ବିଧାୟକ ହୋଇଥିଲେ ବି ରଘୁନନ୍ଦନ ଦାସ ଓ ତୁଷାରକାନ୍ତ ବେହେରାଙ୍କୁ ମନ୍ତ୍ରୀ କରାଯାଇଛି । କଂଗ୍ରେସରୁ ଆସି ବଜେଡିରେ ଯୋଗ ଦେଇଥିବା ନବକିଶୋର ଦାସ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ହେଲେ ୧୦ବର୍ଷ ଧରି ଦଳରେ ରହି ଦଳ ପାଇଁ କାର୍ଯ୍ୟ କରିଥିଲେ ବି ବରିଷ୍ଠ ବିଧାୟକମାନଙ୍କୁ ସାମିଲ କରାଯାଇନାହିଁ । ଏଣୁ ସ୍ୱଭାବିକ ଭାବେ ବରିଷ୍ଠଙ୍କ ଭିତରେ କ୍ଷୋଭ ଦେଖାଦେଇଛି ।
କୁହାଯାଉଛି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ସାହୁଙ୍କୁ ଢ଼େଙ୍କାନାଳ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପଦ ଜଚାଯାଇଥିଲା । ସେ ମନା କରିଦେଲେ । ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ପ୍ରତ୍ୟାକ୍ଷାନ କରିଛନ୍ତି । କେନ୍ଦ୍ରାପଡ଼ା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ କୁଆଡେ ଅଧ୍ୟକ୍ଷ ପଦ ପାଇଁ ଖବର ପଠାଯାଇଥିଲା । ସିଧାସଳଖ ତାଙ୍କୁ କେହି ଏଥିନେଇ ପ୍ରସ୍ତାବ ଦେଇନଥିଲେ । କିନ୍ତୁ ଖବର ଦାତାଙ୍କୁ ଅତନୁ ନାସ୍ତିବାଣୀ ଶୁଣାଇଥିଲେ । ଯାଜପୁର ପାଇଁ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବାଲେଶ୍ୱର ପାଇଁ ଅଶ୍ୱିନୀ ପାତ୍ର ଓ ସମ୍ବଲପୁର ପାଇଁ ରୋହୀତ ପୂଜାରୀଙ୍କ ନାଁ ଆସିଥିଲା । ହେଲେ ଏମାନେ ସମସ୍ତେ ରାଜି ହୋଇ ନଥିବା କୁହାଯାଉଛି । କାରଣ ଏହି ବିଧାୟକମାନେ ମୁଖ୍ୟତଃ ମନ୍ତ୍ରୀପଦ ପାଇଁ ଦାବିଦାର ଥିଲେ । ଥରେ ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ଆଉ ଆଗକୁ ଆଶା ରହିବନାହିଁ । ଏଥିରୁ ଏମାନଙ୍କ କ୍ଷୋଭ ଜଣାପଡ଼ିଯାଉଛି ।
ଅନ୍ୟପଟରେ ତିନିଜଣ ମନ୍ତ୍ରୀ ଜିଲ୍ଲା ଯୋଜନା ବୋର୍ଡରୁ ବାଦ ପଡ଼ିଛନ୍ତି । ଏଥିରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଅନ୍ୟ ମନ୍ତ୍ରୀମାନଙ୍କୁ ସାମିଲ କରାଯାଇଥିବା ବେଳେ ଅରୁଣଙ୍କ ଭଳି ଟାଣୁଆ ମନ୍ତ୍ରୀଙ୍କୁ ସାମିଲ ନକରିବା ନେଇ ସେ କୁଆଡ଼େ ଅସନ୍ତୁଷ୍ଠ ଅଛନ୍ତି । ଏଥିନେଇ ଦଳ ମୁଖିଆଙ୍କ ନିକଟରେ ସେତାଙ୍କ ଆପତି ଜଣାଇଥିବା କଥା ଆଲୋଚନା ହେଉଛି ।