OnaKhabar

ସମ୍ବଲପୁର ବିଜେଡି ପ୍ରତି ସୁପ୍ରିମୋ ନାରାଜ

591

ସମ୍ବଲପୁର: (ପ୍ରଫୁଲ୍ଲ କୁମାର ଦାଶ) ସାଧାରଣ ନିର୍ବାଚନରେ ରାଜ୍ୟରେ ଯଦିଓ ବିଜୁ ଜନତା ଦଳ ସରକାର ଗଠନ କରିଛି, ମାତ୍ର ପଶ୍ଚିମ ଓଡିଶାର ରାଜନୈତିକ ରାଜଧାନୀ ସମ୍ବଲପୁରରେ ଶାସକ ଦଳର ସ୍ୱାସ୍ଥ୍ୟ ଆଦୌ ଭଲ ନାହିଁ । ଏଠାରେ ଡାକ୍ତରାଣୀ ମହାଶୟା ଲୋକଙ୍କ ସ୍ୱାସ୍ଥ୍ୟ ଚିକିସ୍ଥ୍ୟା ପାଇଁ କାଟୁ ଔଷଧ ପ୍ରଦାନ କରି ପାରୁଛନ୍ତି, ମାତ୍ର ଦଳର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ତାଙ୍କର ଔଷଧ  କାଟୁ କରୁନଥିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ପରେ ଦଲର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସମ୍ବଲପୁରର ସଂଗଠନ ଓ ନିର୍ବାଚିତ ବିଧାୟକଙ୍କୁ ଅଣଦେଖା କରିଛନ୍ତି । ଜିଲ୍ଲାରେ ଦଳର ଯାହା ସ୍ଥିତି ହେଲା ସେଥିରେ ସୁପ୍ରିମୋ ବିମୁଖ ହୋଇ ପଡିଛନ୍ତି । ମନ୍ତ୍ରୀମଣ୍ଡଳ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ସମ୍ବଲପୁରକୁ ସମ୍ପୂର୍ଣ୍ଣ ବାଦ ଦେବା ଘଟଣାରେ ସୁପ୍ରିମୋଙ୍କ ବିମୁଖତା ସ୍ପଷ୍ଟ ବାରି ହୋଇ ପଡୁଛି ।
ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଓ ଲୋକସଭା ଆସନରୁ ବିଜେଡି ନିଶ୍ଚିତ ବିଜୟୀ ହେବା ଦଳ ଆଶା କରୁଥିଲା । ଏଭଳି ଆଶା କରିବାରେ କୌଣସି ଦ୍ୱିଧା ମଧ୍ୟ ନଥିଲା । ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଗତ ୫ ବର୍ଷରେ ହଜାର କୋଟି ଟଙ୍କାର ବିକାଶ କାର୍ଯ୍ୟ, ଅନେକ ରାସ୍ତାଘାଟ ନିର୍ମାଣ, ସବୁ ବର୍ଗର ଭୋଟରଙ୍କୁ ଖୁସି କରିବାର ପ୍ରୟାସ କରାଯାଇ ଥିଲା । ତେବେ ନିର୍ବାଚନ ପାଖେଇ ଆସିବା ସମୟରେ ,ସଂସଦ ନିର୍ବାଚନ ପାଇଁ ମତର ଧୃବିକରଣକୁ ବିଜେଡି ସହଜରେ ବିଶ୍ୱାସ କରି ପାରିନଥିଲା, ମାତ୍ର ସମଗ୍ର ପଶ୍ଚିମ ଓଡିଶାରେ ମତଦାନର ଧୃବିକରଣ ହୋଇ ଲୋକସଭାରେ ବିଜେପି ଓ ବିଧାନସଭାରେ ବିଜେଡିକୁ ଭୋଟ ଦେବାର ବାତାବରଣ ସୃଷ୍ଟି ହୋଇ ସାରିଥିଲା । ଏଭଳି ସ୍ଥିତିରେ ବିଜେଡି ବିଧାୟକ ପ୍ରର୍ଥୀଗଣ ଅସହାୟ ସ୍ଥିତିରେ ରହିବା ପାଇଁ ବାଧ୍ୟ ହୋଇଥିଲେ । ତା ସହିତ ପୁଣି ପୁରୁଣା, ପୁରୁଖା, ନିଷ୍ଠାପର କର୍ମୀଙ୍କୁ ଉପେକ୍ଷା ଦଳକୁ ମହଙ୍ଗା ପଡିଲା, ଯହାର ସ୍ପଷ୍ଟ ପ୍ରତିଫଳକ ସମ୍ବଲପୁରରେ ପରିଲକ୍ଷିତ ହୋଇଥିଲା । ସମ୍ବଲପୁରରେ ୪ଟି ବିଧାନସଭାରୁ ସମ୍ବଲପୁରର ରେଙ୍ଗାଲି ବିଜେପିର ସଂଗଠନ ଓ ଉପଯୁକ୍ତ ରାଜନିତୀ ଯୋଗୁଁ ହାତେଇବାରେ ସଫଳ ହେଲା । ଏଠାରେ ବିଜେଡିର ଲୋକସଭା ପ୍ରାର୍ଥୀ ଇଂ ନଳିନୀ ପ୍ରଧାନ ମଧ୍ୟ ଭଲ ଭୋଟରେ ପଛୁଆ ରହିଲେ । ରେଢ଼ାଖୋଲରେ ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ପ୍ରତି ଲୋକଙ୍କ ମୃଦୁ ଅସନ୍ତୋଷ ସତ୍ୱେ ଶେଷ ସମୟରେ ଭଲ ଭୋଟ ବ୍ୟବଧାନରେ ବିଜୟୀ ହେଲେ ଓ ଲୋକସଭା ପ୍ରାର୍ଥୀଙ୍କୁ ମଧ୍ୟ ଆଗୁଆ ରଖି ତାଙ୍କ ସାଙ୍ଗଠନିକ ଦକ୍ଷତାର ପରିଚୟ ଦେଇଥିଲେ । ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିର ସଙ୍ଗଠନ ଶିଥିଳ ହୋଇପଡ଼ିଥିଲା । ଜିଲ୍ଲା ସଭାପତିଙ୍କୁ ବାହାର କରାଯାଇ ଅନ୍ୟ କାହାକୁ ଦାୟିତ୍ୱ ଦିଆଯାଇ ନଥିଲା । ଆଜି ମଧ୍ୟ ଏଠାରେ ଜିଲ୍ଲା ସଭାପତି କେହି ନାହାନ୍ତି । ନିର୍ବାଚନଠାରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ବ୍ୟକ୍ତିଗତସ୍ତରରେ ସାମାଜିକ କାର୍ଯ୍ୟ ଜରିଆରେ କିଛି କାର୍ଯ୍ୟ କରୁଥିବା ବେଳେ ବିଧାୟକ ଇଂ. ପୂଜାରୀ ରେଢ଼ାଖୋଲରେ ସକ୍ରୀୟ ଭାବରେ ସାଙ୍ଗଠନିକ କାର୍ଯ୍ୟ ଚଳାଇଛନ୍ତି । ରେଙ୍ଗାଲି ଓ କୁଚିଣ୍ଡାରେ ସଙ୍ଗଠନ ଏକ ପ୍ରକାର ସୁପ୍ତ । ସାମଗ୍ରୀକ ଭାବରେ ଦଳୀୟ କାର୍ଯ୍ୟକଳାପକୁ ଜନସାଧାରଣ ମଧ୍ୟ ଅନୁଭବ କରିପାରୁନାହାଁନ୍ତି । ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ କିମ୍ବା ପରାଜିତ ପ୍ରାର୍ଥୀ ଇଂ. ପ୍ରଧାନଙ୍କୁ ମଧ୍ୟ ଦଳୀୟ କର୍ମୀ କୌଣସି ସର୍ବସାଧାରଣରେ ଦେଖିବାକୁ ପାଉନାହାଁନ୍ତି । ଦଳରେ ଯେଉଁ ନେତୃବର୍ଗ ଅତ୍ୟନ୍ତ ସକ୍ରୀୟ ଥିଲେ, ସେମାନଙ୍କ ମଧ୍ୟରୁ କାହାକୁ ବହିଷ୍କାର ତ କାହାକୁ କୋଣ ଠେସା କରି ଦିଆଯାଇଛି । ପଡ଼ୋଶୀ ଝାରସୁଗୁଡ଼ା ଜିଲ୍ଲା ବିଧାୟକ ତଥା ମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ବାସିନ୍ଦା ହୋଇଥିଲେ ମଧ୍ୟ ସେ ଏକଠାରେ ସଙ୍ଗଠନରେ ବିଶେଷ ମୁଣ୍ଡ ଖେଳାଇ ନ ଥିବା ଦଳୀୟ ସ୍ତରରେ ଚର୍ଚ୍ଚା ହେଉଛି । ଅନ୍ୟ ଏକ ଗୋଷ୍ଠୀ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଏଭଳି ଦଳୀୟ ଅବସ୍ଥା ପାଇଁ ଦାୟୀ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ଦଳୀୟକର୍ମୀ ଓ ସମର୍ଥକ କଣ କରିବେ । କାହା ପାଖକୁ ଯିବେ ବୁଝିପାରୁନାହାଁନ୍ତି । କେତେକ ଯୁବନେତା ଆଗକୁ ନିଗମ ନିର୍ବାଚନ ଦୃଷ୍ଟିରୁ ଗୋଟିଏ ଗୋଡ଼ ବିଜେଡି ଓ ଅନ୍ୟଟି ବିଜେପିରେ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ମନ୍ତ୍ରିମଣ୍ଡଳ ଓ ଜିଲ୍ଲା ଯୋଜନା ବୋର୍ଡରେ ସମ୍ବଲପୁରର ପ୍ରତିନିଧିତ୍ୱ ନ୍ୟୁନ କରିବା ଘଟଣାରେ ସୁପ୍ରିମୋଙ୍କ ବିମୁଖତା ହିଁ କାରଣ କୁହାଯାଉଛି । ସମ୍ବଲପୁର ବିଧାନସଭା ଓ ଲୋକସଭାରେ ହାରିବା ବଡ଼ ଝଟକା ହୋଇଛି । ଏପରି କି କେତେକ ନେତୃବର୍ଗ ଆଦୌ ତୃତୟ ମହଲା ବା ସୁପ୍ରିମୋଙ୍କ ପାଖ ମାଡ଼ିବାରୁ ନ ଥିବାେ ଦଳୀୟ ସ୍ତରରେ ଚର୍ଚ୍ଚା ହେଉଛି । ଏଭଳିସ୍ଥିତିରେ ରେଢ଼ାଖୋଲ ବିଧାୟକ ଇଂ ପୂଜାରୀଙ୍କୁ ଯୋଗାଯୋଗ କରାଯିବାରୁ ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ସ୍ଥିତି ପ୍ରତି ଦୃ୍ଷ୍ଟି ରଖିଛନ୍ତି ଓ ଉପଯୁକ୍ତ ସୟମରେ ନିଷ୍ପତ୍ତି ନେଉଛନ୍ତି ଏବଂ ତାଙ୍କ ନିଷ୍ପତ୍ତି ଉପରେ ଆମର ଆଶା, ବିଶ୍ୱାସ ଓ ଭରଷା ରହିଛି ବୋଲି କହିଛନ୍ତି ।