OnaKhabar

ଏଆଇସିସି ଶୁଣୁନି ମୁଁ କଣ କରିବି:ନିରଂଜନ

156

ଭୁବନେଶ୍ୱର (ଓଏନଏ): ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଏଆଇସିସି ମୋ ଇସ୍ତଫା ଗ୍ରହଣ କରୁନି ମୁଁ କଣ କରିବି । ୩ ଥର ଭେଟି ଇସ୍ତଫା ଗ୍ରହଣ କରିବାକୁ ଏଆଇସିସିକୁ କହିସାରିଛି ବୋଲି ସେ ଆଜି ଗଣମାଧ୍ୟମରେ ତାଙ୍କ ଇସ୍ତଫା ସମ୍ପର୍କରେ ସ୍ପଷ୍ଟିକରଣ ରଖିଛନ୍ତି । ସେ ଆଜି ଗଣମାଧ୍ୟମରେ ତାଙ୍କ ଇସ୍ତଫା ସମ୍ପର୍କରେ କହିଛନ୍ତି ସେ ନିର୍ବାଚନ ପରେ ପିସିସି ସଭାପତି ପଦରୁ ତାଙ୍କ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇ ସାରିଛନ୍ତି । ହେଲେ ତାହା ଏପର୍ଯ୍ୟନ୍ତ ଗୃହୀତ ହୋଇନାହିଁ । ଏଥିପାଇଁ ସେ ୩ ଥର ଦିଲ୍ଲୀ ଯାଇଛନ୍ତି । ତାଙ୍କ ଇସ୍ତଫା ଗ୍ରହଣ କରି ଦାୟିତ୍ୱରୁ ମୁକ୍ତ କରିବା ପାଇଁ ବାରମ୍ବାର ଜଣାଇଛନ୍ତି । ଏହାସତ୍ତେ୍ୱ ଏଯାଏଁ ତାଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ । ଏଆଇସିସି ଅଧ୍ୟକ୍ଷପଦବୀ ପାଇଁ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ତାଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନିଆଯାଇ ପାରିନାହିଁ । ଏବେ ଏଆଇସିସି ସଭାପତି ଭାବରେ ସୋନିଆ ଗାନ୍ଧୀ ଦାୟିତ୍ୱ ନେବା ପରେ ସମସ୍ୟା ଦୂର ହୋଇଛି । ତେବେ ଭାବୁଛି ଇସ୍ତଫା ଗୃହୀତ ହେବ । କେବଳ ସେ ନୁହଁନ୍ତି ଅନ୍ୟ ରାଜ୍ୟର ପିସିସି ସଭାପତିଙ୍କ ସମ୍ପର୍କରେ ମଧ୍ୟ ଏଆଇସିସି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ନିରଂଜନ ଇସ୍ତଫା ଦେଇଥିଲେ । ଏହି ବିପର୍ଯ୍ୟୟ ପାଇଁ ସେ ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି । କଂଗ୍ରେସ ଗତ ନିର୍ବାଚନରେ ୧୬ଟି ବିଧାନସଭା ଆସନ ପାଇଥିଲା ବେଳେ ଏଥର ସଂଖ୍ୟା ୯କୁ ଖସିଆସିଛି । ବହୁ ବିଧାୟକ ଓ ନେତା ନିର୍ବାଚନ ସମୟରେ ଦଳ ଛାଡ଼ିଥିଲେ । ନିରଂଜନଙ୍କ ନେତୃତ୍ୱ ଉପରେ ଭରଷା କରିବାର ଯେଉଁ ଆଶା ଦେଖାଯାଇଥିଲା ତାହା ଶେଷରେ ଫେଲ ମାରିଥିଲା । ପ୍ରସାଦ ହରିଚନ୍ଦନ ସଭାପତି ଥିଲା ବେଳେ ଦଳରୁ ଇସ୍ତଫା ଦେବାର ଯେଉଁ ଧାରା ସୃଷ୍ଟି ହୋଇଥିଲା ଓ ଇସ୍ତଫାର ସୁଅ ଛୁଟିଥିଲା ତାହା ନିରଂଜନ ଆସିବା ପରେ ବଦଳିଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ସେପରି କିଛି ପରିଲକ୍ଷିତ ହେଲାନାହିଁ । ଦଳରେ ଅସନ୍ତୋଷ ଓ ଗୋଷ୍ଠୀ ବିବାଦକୁ ନିରଂଜନ ରୋକି ପାରିଲେ ନାହିଁ । ଏଣୁ ଦଳର ତଳସ୍ତରରେ ସଙ୍ଗଠନ କ୍ରମେ ଦୂର୍ବଳ ହୋଇଗଲା । ଲୋକଙ୍କର ଆସ୍ଥା ମଧ୍ୟ ଦଳ ଉପରୁ କମିଗଲା । କର୍ମୀମାନେ ହତାଶ ହୋଇପଡ଼ିଲେ । ଫଳରେ ନିର୍ବାଚନରେ ଏହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଲା । ବିଧାନସଭାରେ ଏକକ ସଂଖ୍ୟାରେ ଆସି ଦଳ ପହଂଚିଲା । ଦୁଇ ଅଙ୍କ ଛୁଇଁ ପାରିଲା ନାହିଁ । ଏଭଳି ଶୋଚନୀୟସ୍ଥିତି ଦେଖି ଏହି ବିଫଳତା ପାଇଁ ନିଜକୁ ଦାୟୀ କରି ସଭାପତି ପଦରୁ ନିରଂଜନ ଇସ୍ତଫା ଦେଇଛନ୍ତି । କିନ୍ତୁ ଏଆଇସିସି ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଛାଡ଼ିବା ନେଇ ଘୋଷଣା କରିବା ପରେ ଜାତୀୟସ୍ତରରେ ଦଳର ଯେଉଁ ଅନିଶ୍ଚିତତା ଭାବ ସୃଷ୍ଟି ହୋଇଥିଲା ଏହାର ପ୍ରଭାବ ଚାରିଆଡ଼େ ପଡ଼ିଲା । ତେଣୁ ନିରଂଜନଙ୍କ ଇସ୍ତଫା ମଧ୍ୟ ଏଥିରେ ଅଟକି ଯାଇଥିଲା ।
କିନ୍ତୁ ନୂଆ ସଭାପତି ହେବା ପାଇଁ କଂଗ୍ରେସରେ ଏବେ କହି ଦାବିଦାର ଆଗକୁ ଆସୁନାହାଁନ୍ତି । ପୂର୍ବରୁ ଯେପରି ସଭାପତି ହେବା ପାଇଁ ଲବି ହେଉଥିଲା ଏବେ ସେପରି କିଛି ପରିଲକ୍ଷିିତ ହେଉନାହିଁ । ଫଳରେ କିଏ ସଭାପତି ହେଉଛନ୍ତି ତାହା ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ।