OnaKhabar

ଆଇଏସ ମହଲରେ ଅସନ୍ତୋଷ, ଛୁଟିରେ ଗଲେ ନିତିନ ଚନ୍ଦ୍ର

1,666

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାର୍ଯ୍ୟାଧାରାକୁ ନେଇ ବରିଷ୍ଠ ଆଇଏସଙ୍କ ସ୍ତରରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ଏଇ ଅସନ୍ତୋଷ ଗୁରୁତର ରୁପ ନେବ ବୋଲି ଆଲୋଚନା ହେଉଛି । ସରକାରଙ୍କ ବଦଳୀ ନୀତିକୁ ବିରୋଧ କରି ଜଣେ ବରିଷ୍ଠ ଆଇଏସ ଅଫିସର ଛୁଟିରେ ପଳାଇଛନ୍ତି । ଅନ୍ୟପଟରେ ମୁଖ୍ୟ ଶାସନ ସଚିବ ପଦକୁ ନେଇ ଏବେ ଟଣା ଓଟରା ଆରମ୍ଭ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଏହି ପଦବୀ ପାଇଁ ଚାପ ପକାଇବାରୁ ବିବାଦ ଦେଖା ଦେଇଛି । ବରିଷ୍ଠତା ତାଲିକାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନନର ଅଶିତ ତ୍ରିପାଠୀ ବରିଷ୍ଠତା ତାଲିକାରେ ଆଗରେ ଅଛନ୍ତି । ତାଙ୍କୁ ମୁଖ୍ୟ ଶାସନ ସଚିବ ସ୍ଥିର କରିବାପାଇଁ କେଁ ପୁରାଇଛନ୍ତି ସୁରେଶ । ଫଳରେ ଏହି କାର୍ଯ୍ୟ ମଧ୍ୟ ଅଟକି ଯାଇଛି ।
ନିକଟରେ ସରକାର ଆଇଏସ ଅଫିସର ସ୍ତରରେ କେତକ ଅଦଳବଦଳ କରିଥିଲେ । ଏହି ବଦଳୀକୁ ନେଇ କିଛି ଅଫିସର ଅସନ୍ତୁଷ୍ଠ ହୋଇଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ୧୯୯୦ ବ୍ୟାଚର ବରିଷ୍ଠ ଆଇଏସ ଅଫିସର ନିତିନ ଚନ୍ଦ୍ରଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି କିନ୍ତୁ ଏହି ନିଯୁକ୍ତି କୁ ନେଇ ସେ ଅସନ୍ତୋଷ ହୋଇଛନ୍ତି । ଓଏସଡି ଭାବେ ବଦଳୀକୁ ସେ ଅପମାନ ଜନକଭାବେ ନେଇ ଅନର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ପଳାଇଛନ୍ତି । କାରଣ ସରକାର ୧୯୯୩ ବ୍ୟାଚର ଅଫିସର ଅର୍ଥ ସଚିବ ଆଶୋକ ମୀନାଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଏହାଛଡ଼ା ୧୯୮୬ ବ୍ୟାଚର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ଏସପି ଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ଡିଜିଭାବେ ବଦଳୀ କରାଯାଇଛି । ଏହି ବଦଳୀକୁ ନେଇ ସେ ଅସନ୍ତୋଷ ଥିବା କଥା ପାୱର କରିଡ଼ରେ ଆଲୋଚନା ହେଉଛି । ଏହି ବ୍ୟାଚର ଅଫିସର ଏଲଏନ ଗୁପ୍ତା ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଓ ଜିଜିଭି ଶର୍ମା କେନ୍ଦ୍ରୀୟ ଡେପୁଟିସନକୁ ଯାଇଛନ୍ତି ।
ଏହାଛଡ଼ା ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଥିବା ନବ ନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି । ପୌର ନିର୍ବାଚନ ପାଇଁ ତୁରନ୍ତ ଜଣେ ନୂଆ କମିଶନରଙ୍କୁ ସେଠାରେ ବସାଇବା ଆବଶ୍ୟକ ପଡ଼ିଛି । ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଏହି ପଦବୀରେ ନିଯୁକ୍ତ କରିବା ପାଇଁ ସ୍ଥିର କରାଯାଇଥିଲା । ଶ୍ରୀ ପାଢ଼ୀ ଛୁଟିରେ ଯାଇଥିଲେ । ଫେରିବା ପରେ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେଇ ଏଠାରେ ନିଯୁକ୍ତି ପାଇବାକୁ କୁହାଯାଇଥାଆନ୍ତା । ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ଆଇଏସ ଅଫିସର ଉନ୍ନୟନ କମିଶନର ଅଶିତ କୁମାର ତ୍ରପାଠୀଙ୍କୁ ନିଯୁକ୍ତି ଦିଆଯାଇଥାଆନ୍ତା । ସେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିବାଦନ କରି ସାରିଛନ୍ତି । ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ଏଣୁ ତାଙ୍କ ଉପରେ ସରକାର ଖୁସି ଥିବାରୁ ତାଙ୍କ ଭଳି ଜଣେ ଅଭିଜ୍ଞତା ସମ୍ପନ୍ନ ଓ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ି ଦିଆଯିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏଥିରେ କେଁ ପୁରାଇଛନ୍ତି ଜଙ୍ଗଲ ପରିବେଶ ବିଭାଗ ସଚିବ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହି ମୁଖ୍ୟ ଶାସନ ସଚିବ ପଦବୀ ପାଇଁ ଲବି ଆରମ୍ଭ ଶ୍ରୀ ମହାପାତ୍ର । ଏକଦା ଶ୍ରୀ ମହାପାତ୍ର ସରକାରଙ୍କ ବେଶ ଗେହ୍ଲା ପୁଅ ଥିଲେ । ତାଙ୍କୁ ଏକାଧିକ ଦାୟିତ୍ୱ ସରକାର ଓଜାଡ଼ି ଦେଇଥିଲେ । କିନ୍ତୁ ପରେ ସରକାରଙ୍କ ଗୁଡୁବୁକରୁ ସେ ଖସି ଯାଇଥିଲେ । ଏବେ ସେ ଲବି ଆରମ୍ଭ କରିଥିବା ଯୋଗୁ ମୁଖ୍ୟ ଶାସନ ସଚିବ ବଦଳୀବା ନେଇ ବିବାଦ ଦେଖା ଦେଇଥିବା ଆଲୋଚନା ହେଉଛି । ଏହି ଘଟଣା ସଚିବାଳୟର ଅଫିସର ମହଲର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।

Comments are closed.