OnaKhabar

୩୭୦ ପରେ ରାମମନ୍ଦିର ପାଳି

1,523

ଭୁବନେଶ୍ୱର (ଓଏନଏ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଗୋଟିଏ ପରେ ଗୋଟିଏ ଘଟଣାରେ ଚକିତ କରିବାରେ ଲାଗିଛନ୍ତି । ହଠାତ ରାତିରେ ବିମୁଦ୍ରାକରଣ ବିଷୟ ଘୋଷଣା କରି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏଥିରେ ଅନେକ ନାନା ପ୍ରକାର ହଇରାଣ ହରକତ ହୋଇଥିଲେ ବି ଏହି କାର୍ଯ୍ୟଧାରାକୁ ପସନ୍ଦ କରିଥିଲେ । ଏହାପରେ ଟ୍ରିପିଲ ତଲାକ ବିଲ ଗୃହୀତ କରାଇ ସମସ୍ତଙ୍କୁ ଚକିତ କରିଥିଲେ । ଏବେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସହ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଆଉ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏବେ କୁହାଗଲାଣି ଏହି ଘଟଣା ପରେ ମୋଦିଙ୍କ ମାଡ଼ ପଡ଼ିବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ । ମୋଦିଙ୍କର ଗୋଟିଏ ପରେ ଗୋଟିଏ ପଦକ୍ଷେପରୁ ଜଣାପଡୁଛି ସେ ଯେଉଁ ଧାରା ଦେଇ ଯାଉଛନ୍ତି ସେଥିରେ ହଠାତ କେଉଁଦିନ ରାମ ମନ୍ଦିର ନିର୍ମାଣ କଥା ଏହିପରି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବେ ବୋଲି କୁହାଯାଉଛି ।
ପ୍ରଧାନମନ୍ତ୍ରୀ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବା କଥା ଆଲୋଚନା ହେଉଛି । ଆଶ୍ଚର୍ଯ୍ୟର କଥା ରାଜ୍ୟସଭାରେ ଯେତେବେଳେ ଟ୍ରିପଲ ତଲାକ ବିଲ ପାଇଁ ଭୋଟିଂ ହୋଇଥିଲା ସେଥିରେ ସପକ୍ଷରେ ୯୯ ଭୋଟ ପଡ଼ିଥିଲା ବେଳେ ବିପକ୍ଷରେ ୮୪ ଭୋଟ ପଡ଼ିଥିଲା । ବିରୋଧୀ କଂଗ୍ରେସ ଏଥିରେ ହ୍ୱିପ ଜାରି କରିଥିଲା । କିନ୍ତୁ ୩୭୦ ଧାରା ଉଚ୍ଛେଦ ନେଇ ରାଜ୍ୟସଭାରେ ହୋଇଥିବା ଭୋଟରେ ସପକ୍ଷରେ ୧୨୫ ଭୋଟ ଆସିଥିଲା ବେଳେ ବିପକ୍ଷରେ ୬୧ ଭୋଟ ଆସିଥିଲା । କଂଗ୍ରେସ ଏଥିରେ ହ୍ୱିପ ଜାରି କରି ନ ଥିଲା । ହେଲେ ଏହି ଘଟଣା କଂଗ୍ରେସ ଭିତରେ ବିଦ୍ରୋହର ସ୍ୱର ଆଣିଛି । ଦଳ ଭିତରେ ଅନେକ ନେତା ମୋଦିଙ୍କ ଏହି ପଦକ୍ଷେପକୁ ସାବାସି ଦେଉଛନ୍ତି ଓ ସ୍ୱାଗତ କରୁଛନ୍ତି । ଦଳର ସାଂସଦ ଓ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । କାଶ୍ମୀରରେ ଯେଉଁ କମ୍ପନ ସୃଷ୍ଟି ହୋଇଛି କଂଗ୍ରେସ ଭିତରେ ମଧ୍ୟ ତାର ପ୍ରତିଫଳ ହେଉଥିବା ଦେଖାଯାଉଛି । ସୋନିଆ ଗାନ୍ଧିଙ୍କ ମୁଖ୍ୟ ପରାମର୍ଶଦାତାଭାବେ ପରିଚିତ ଜନାର୍ଦ୍ଦନ ଦ୍ୱିବେଦୀ ଏହି ଉଚ୍ଛେଦକୁ ସ୍ୱାଗତ କରିଛନ୍ତି । ଏପରି କି ଦଳର ବରିଷ୍ଠ ନେତା ଦିପେନ୍ଦର ହୁଦା ଓ ବିଧାୟିକା ଅଦିତ ସିଂହ ମଧ୍ୟ ସମର୍ଥନ କରିଛନ୍ତି । ଶ୍ରୀ ଦ୍ୱିବେଦୀ ଏକ ଗୁରୁତ୍ୱପୂର୍ଣ୍ଣ ମତ ମଧ୍ୟ ରଖିଛନ୍ତି । ସେ କହିଛନ୍ତି ଇତିହାସର ଏକ ଭୁଲ ଏହାଦ୍ୱାରା ସାଂଶୋଧିତ ହୋଇଛି । ମୋ ରାଜନୀତିକ ଗୁରୁ ରାମମନୋହର ଲୋହିଆ ୩୭୦ ଧାରାକୁ ବିରୋଧ କରୁଥିଲେ ବୋଲି ସେ କହିଛନ୍ତି । ଏବେ ଏହା ଉଚ୍ଛେଦ ହୋଇଥିବାରୁ ମୁଁ ସ୍ୱାଗତ କରୁଛି ବୋଲି ଦ୍ୱିବେଦୀ ମତ ରଖିଛନ୍ତି । ଦିପେନ୍ଦର ହୁଦା କହିଛନ୍ତି ୩୭୦ ହଟିବା ଜରୁରୀ ଆବଶ୍ୟକ ଥିଲା । ଦେଶର ଅଖଣ୍ଡତା ଓ ହୀତ ପାଇଁ ଏହା ଜରୁରୀ ଥିଲା । ଅନ୍ୟ ପଟରେ କଂଗ୍ରେସ ୩୭୦ ଧାରାର ଉଚ୍ଛେଦକୁ ବିରୋଧ କରୁଥିବାରୁ ଏହାକୁ ନେଇ ପ୍ରତିବାଦରେ ବିଧାୟିକା ଅଜିତ ସିଂହ ଦଳ ଛାଡ଼ି ଦେଇଛନ୍ତି । ସେ ଉତ୍ତର ପ୍ରଦେଶ ରାୟବରେଲିର କଂଗ୍ରେସ ବିଧାୟିକା ଅଛନ୍ତି । ଗତକାଲି ଜଣେ ରାଜ୍ୟସଭା ସାଂସଦ ମଧ୍ୟ ଇସ୍ତଫା ଦେଇଦେଇଥିଲେ ।
ମୋଦିଙ୍କ ଏହି ପଦକ୍ଷେପକୁ ବହୁ ନେତା ମଧ୍ୟ ବିରୋଧ କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ତୀବ୍ର ସମାଲୋଚନା କରି କହିଛନ୍ତି କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ପାଇଁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରି ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି । ବହୁ ଲୋକଙ୍କର ସମର୍ଥନ ପାଇବା ପରେ ମୋଦି ସରକାରଙ୍କ ଅହଂଭାବ ବଢ଼ିଯାଇଥିବା ଏଥିରୁ ସ୍ପଷ୍ଟ । ସ୍ୱାଧୀନତା ପରବର୍ତ୍ତୀ ସ୍ୱତନ୍ତ୍ର ପ୍ରଦେଶଗୁଡ଼ିକ ଭାରତର ଅବିଚ୍ଛେଦ ଅଙ୍ଗ ହେବା ପାଇଁ ବହୁ କଷଣ କରିବାକୁ ପଡ଼ିଥିଲା । ଚୁକ୍ତି ବଳରେ କାଶ୍ମୀର ପାଇଁ ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ର ସରକାର ଏବେ ଏକଚାଟିଆ ଭାବେ ନିଷ୍ପତ୍ତି ନେଇଛନ୍ତି । ଫଳରେ ଏହାକୁ ନେଇ କାଶ୍ମୀରରେ ଜନବିଦ୍ରୋହ ଦେଖାଦେଇପାରେ । ବୁଡ଼ିଗଲା ଲୋକ ତଳକୁ ଯିବା ଭଳି ନ୍ୟାୟରେ ଏପରି କରି କେନ୍ଦ୍ର ସରକାର ଅଦୁରଦର୍ଶିତାର ପରିଚୟ ଦେଇଛନ୍ତି । ଏହା ମରଣ କାଳେ ବିପରିତ ବୁଦ୍ଧି ପରି ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Comments are closed.