OnaKhabar

ନର୍ସଙ୍କ ବ୍ୟାଗ ଚୋରିକରିବା ପଡିଲା ମହଙ୍ଗା, ଗିରଫ ହେଲା ଡ୍ରାଇଭର

246

ଯାଜପୁର: ବାପାଙ୍କ ଦେହାନ୍ତ ଖବର ପାଇ ଘରକୁ ଫେରୁଥିଲେ ଜଣେ ନର୍ସ । ବାଟରେ ଶୌଚ ପାଇଁ ସେ ଗାଡ଼ି ଅଟକାଇ ବାହାରକୁ ଯାଇଥିବା ବେଳେ ନର୍ସଙ୍କ ଭ୍ୟାନିଟି ବ୍ୟାଗ ଧରି ଛୁ’ ମାରିଛି ଗାଡ଼ି ଚାଳକ । ଏନେଇ ଅଭିଯୋଗ ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଲୁଟେରା କାର୍‌ ଚାଳକକୁ ଆଜି ସକାଳେ ଗିରଫ କରିଛି ।

ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳର ନିରୁପମା ବିଶ୍ୱାଳ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଭାବେ କାର୍ଯ୍ୟ କରନ୍ତି । ଗତକାଲି ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହି ଦୁଃଖଦ ଖବର ପାଇ ନିରୁପମା ଅନୁଗୋଳରୁ ବସ୍‌ରେ ମଙ୍ଗୁଳି ଛକ ପର୍ଯ୍ୟନ୍ତ ଆସିଥିଲେ । ପରେ ସେଠାରୁ ଏକ କାର୍‌ ଭଡ଼ା କରି ଘରକୁ ଫେରୁଥିଲେ । ତେବେ ରାସ୍ତାରେ ନିରୁପମା ଶୌଚ ପାଇଁ ଗାଡ଼ି ଅଟକାଇବାକୁ ଚାଳକଙ୍କୁ କହିଥିଲେ । କାର୍‌ ଚାଳକ ୧୬ ନମ୍ୱର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବାରବାଟୀ ଛକରେ ଗାଡ଼ି ଅଟକାଇଥିଲେ । ନିରୁପମା ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚାଳକ ଗାଡ଼ି ଧରି ଚମ୍ପଟ ମାରିଥିଲେ | ନିରୁପମାଙ୍କ ଭ୍ୟାନିଟି ବ୍ୟାଗରେ ରହିଥିଲା ନଗଦ ୫ ହଜାର ଟଙ୍କା, ମୋବାଇଲ୍ ଫୋନ୍, ଏଟିଏମ୍‌ କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ପରେ ନିରୁପମା ଏନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ କାର୍‌ ଚାଳକ ଯାଜପୁର ଷ୍ଟେସନ୍‌ ରୋଡ଼୍‌ ଅଞ୍ଚଳ ବିକାଶ କୁମାର ଲାହାଙ୍କୁ ଆଜି ସକାଳେ ଗିରଫ କରିଛି ।