OnaKhabar

ସନ୍ଦେହରେ ରଞ୍ଜୀବ ବିଶ୍ୱାଳ

2,021

ଭୁବନେଶ୍ୱର: ଟ୍ରିପଲ ତଲାକ ବିଲରେ ରହିଥିବା ବିଭିନ୍ନ ବ୍ୟବସ୍ଥାକୁ କଂଗ୍ରେସ ବିରୋଧ କରୁଥିଲା । ରାଜ୍ୟସଭାରେ ଏହି ବିଲ ଯେପରି ପାସ ନ ହେବ ସେଥିପାଇଁ କଂଗ୍ରେସ ଉଦ୍ୟମ କରିଥିଲା । ଏଥିଲାଗି ଦଳର ସବୁ ସାଂସଦ ରାଜ୍ୟସଭାରେ ଉପସ୍ଥିତ ରହିବା ପାଇଁ “ହ୍ୱିପ” ଜାରି କରିଥିଲା । ଏହି “ହ୍ୱିପ”କୁ କଂଗ୍ରେସ ଓଡିଶାର ଥିବା ଏକମାତ୍ର ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଅବମାନନା କରିଛନ୍ତି । ଶ୍ରୀ ବିଶ୍ୱାଳ ରାଜ୍ୟସଭାରେ ବିଲ ଗୃହୀତ ବେଳେ ଅନୁପସ୍ଥିତ ରହିଥିଲେ । ଏଥିନେଇ ତାଙ୍କୁ ଦଳ କାରଣଦର୍ଶାଅ ନୋଟିସ ଜାରି କରିପାରେ । ଦଳର ଚାହିଁଲେ ତାଙ୍କୁ ରାଜ୍ୟସଭା ପଦରୁ ବହିଷ୍କୃତ ମଧ୍ୟ କରିପାରେ । କିନ୍ତୁ ତାଙ୍କ ଅନୁପସ୍ଥିତକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ହେଉଛି । ସେ ଆଉ କଂଗ୍ରେସର ଅନ୍ୟ ସାଂସଦ ଭଳି ବିଜେପିରେ ମିଶିବା ପାଇଁ ଏପରି କରି ନାହାନ୍ତି ତ ବୋଲି ପ୍ରଶ୍ନ ଉଠୁଛି । ତାଙ୍କ ଅନୁପସ୍ଥିତ ନେଇ ଅନେକ ଆଲୋଚନା ଚାଲିଥିଲା ବେଳେ ସେ କିନ୍ତୁ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ଅନୁପସ୍ଥିତିର କାରଣ ସ୍ପଷ୍ଟ କରିନାହାନ୍ତି ।
ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ଚାଲିଛି । ବିଜେପିକୁ କିପରି ଅଡୁଆରେ ପକାଯାଇପାରିବ ସେ ନେଇ ଉଦ୍ୟମ ଦଳ ପକ୍ଷରୁ ଲାଗି ରହିଛି । ଟ୍ରିପଲ ତଲାକ ବିଲ ଲୋକସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ନେତୃତ୍ୱଧୀନ ସରକାର ଗୃହୀତ କରାଇବାରେ ସକ୍ଷମ ହେଲେ । କିନ୍ତୁ ରାଜ୍ୟସଭାରେ ବିଜେପି ପାଇଁ ଏହି ବିଲ ପାସ କରାଇବାର ସମସ୍ୟା ଥିଲା । କାରଣ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥିଲା । ଏହି ଦୃଷ୍ଟିରୁ ରାଜ୍ୟସଭାରେ ବିଜେପିକୁ ଘେରିବା ପାଇଁ କଂଗ୍ରେସ, ପିଏମସି ଓ ଅନ୍ୟା ଦଳମାନେ ଲାଗିଥିଲେ । ବିଶେଷ କରି କଂଗ୍ରେସ ପକ୍ଷରୁ ନିଜର ଏକତା ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଏଥିପାଇଁ ବିଲ ଆଲୋଚନା ବେଳେ ସମସ୍ତ ସଦସ୍ୟା ଉପସ୍ଥିତ ରହିବାକୁ ଦଳ “ହ୍ୱିପ” ଜାରି କରିଥିଲା । ଦଳର କେତେକ ସାଂସଦ “ହ୍ୱିପ”କୁ ଅବମାନନା କରି ଅନୁପସ୍ଥିତ ରହିଥିଲେ । ଏଥିରେ ସାଂସଦ ସଞ୍ଜୟ ସିଂହ ବିଲ ଆଲୋଚନା ପୂର୍ବରୁ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ସେ ବିଜେପିରେ ମିଶିବା ପାଇଁ ଏହି ପଦକ୍ଷେପ ନେଇଥିଲେ । ଅନ୍ୟ ଯେଉଁ ସାଂସଦ ଅନୁପସ୍ଥିତ ଥିଲେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନି ।
କିନ୍ତୁ ସେମାନଙ୍କ ଅନୁପସ୍ଥିତି ପଛରେ ବିଜେପିକୁ ସହାୟତା କରିବା ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି । ଏମାନଙ୍କ ଅନୁପସ୍ଥିତି ବିଜେପିକୁ ପାଇଦା ହୋଇଛି । କେଉଁ ପରିସ୍ଥିତିରେ ଦଳ “ହ୍ୟୁଇପ”କୁ ଅବମାନନା କଲେ ତାହା ହେଉଛି ବଡ ପ୍ରଶ୍ନ । ରଞ୍ଜୀବ ବିଶ୍ୱାଳଙ୍କ ଅନୁପସ୍ଥିତି ତାଙ୍କୁ ସନ୍ଦେହ ଭିତରକୁ ଆଣିଛି । ଜାତୀୟ ସ୍ତରରେ କଂଗ୍ରେସର ସ୍ଥିତି ବହୁତ ଖରାପ । ଓଡିଶାରେ ସ୍ଥିତି ଆହୁରି ଦୟନୀୟ । ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦ ଛାଡିବା ପରେ ଘୋଷଣା କରିବା ପରେ ଦଳରେ ଏବେ କିଏ ନେତା ହେବ ତାକୁ ନେଇ ଚାଲିଛି ଟଣାଓଟରା । ଏଣୁ ଆଗକୁ ଦଳର ଉଜ୍ୱଳ ଭବିଷ୍ୟତ ବୋଧହୁଏ ରଞ୍ଜୀବ ଦେଖିପାରୁନାହାନ୍ତି ।
ଅନ୍ୟପଟରେ ବିଜେପି ଏବେ ସମଗ୍ର ଦେଶରେ ମାଡିବାରେ ଲାଗିଛି । ଓଡିଶାରେ ମଧ୍ୟ ବିଜେପି ବଢୁଛି । କଂଗ୍ରେସ ଛିଡୁଛି । ବିଜେଡିରେ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ଆଉ କିଛି ଭବିଷ୍ୟତ ଦେଖାଯାଉନାହିଁ । ଏଣୁ କୁହାଯାଉଛି ଏସବୁ ସ୍ଥିତିକୁ ଅନୁଧ୍ୟାନ କରି ରଞ୍ଜୀବ ବିଜେପି ଆଡକୁ ଢଳୁ ଥାଇ ପାରନ୍ତି । କାରଣ ଦଳ “ହ୍ୱିପ”କୁ ଅବମାନନା କରି ରାଜ୍ୟସଭାରେ ତାଙ୍କ ଅନୁପସ୍ଥିତି ବିଜେପିକୁ ଫାଇଦା ହୋଇଛି । ଅବଶ୍ୟ ବିଲ ନେଇ ଯେଉଁ ଭୋଟ ରାଜ୍ୟସଭାରେ ହୋଇଥିଲା ସେଥିରେ ସଂଖ୍ୟା ଦୃଷ୍ଟିରୁ ରଞ୍ଜୀବ ଉପସ୍ଥିତ ଥିଲେ କିଛି ଫରକ ପଢିନଥାନ୍ତା । କାରଣ ବିଲ ସପକ୍ଷରେ ୯୯ ଓ ବିପକ୍ଷରେ ୮୪ ଭୋଟ ପଡିଥିଲା । ଏଣୁ ଗୋଟିଏ ଭୋଟକୁ ନେଇ ବିଶେଷ କିଛି ସମସ୍ୟା ନଥିଲା । କିନ୍ତୁ ରାଜନୀତିକ ସ୍ଥିତି ଦୃଷ୍ଟିରୁ ତାଙ୍କ ଅନୁପସ୍ଥିତିର ବହୁ ଗୁରୁତ୍ୱ ରହିଛି ।
ବିଜେପିରେ ଯେଭଳି ଭାବରେ କଂଗ୍ରେସର ବିଧାୟକ ଓ ସାଂସଦମାନେ ସାମିଲ ହୋଇଛନ୍ତି ସେ ଦୃଷ୍ଟିରୁ ରଞ୍ଜୀବଙ୍କ ଅନୁପସ୍ଥିତି ସମସ୍ତଙ୍କ ମନରେ ସନ୍ଦେହ ଭରିଛି । ଏଣୁ ତାଙ୍କୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।