OnaKhabar

ମହାରଥୀ ଉପାସ

181

ଭୁବନେଶ୍ୱର (ଓଏନଏ) : ବିଜେଡିର ଆଭ୍ୟନ୍ତରୀଣ କଳି ଏବେ ଚରମସୀମାରେ ପହଂଚିଛି । ଦଳର ବରିଷ୍ଠ ବିଧାୟକ ପୁରା ଖପ୍ପା । ମନ୍ତ୍ରୀ ନିରଂଜନ ପୂଜାରୀ ତାଙ୍କୁ ବୁଧବାର ବିଧାନସଭାରେ ପ୍ରଶ୍ନୋତ୍ତର ସମୟରେ ପାଲଟା ମାଡ଼ ମାରିବା ଘଟଣାକୁ ନେଇ ମହାରଥୀ ଆଉ ଛାଡ଼ିବା ସ୍ଥିତିରେ ନାହାଁନ୍ତି । ଗୁରୁବାର ସେ ବିଧାନସଭାରେ ଧମକ ଦେଇଛନ୍ତି ଯେ, ମନ୍ତ୍ରୀ ତାଙ୍କୁ ବିଧନସଭାରେ ଯେପରି ଆକ୍ଷେପ କରି କହିଛନ୍ତି ସେସବୁ ଯଦି ବିଧାନସଭା ବିବରଣୀରେ ବାଦ ଦିଆନ ଯାଏ ସେ ଆଉ ଗୃହକୁ ଆସିବେ ନାହିଁ । ଏପରି କି ମନ୍ତ୍ରୀଙ୍କ କଥା ତାଙ୍କୁ ବହୁତ ବାଧିଛି ବୋଲି କହିଛନ୍ତି । ତାଙ୍କ ଭଳି ଜଣେ ବରିଷ୍ଠ ବିଧାୟକଙ୍କୁ ମନ୍ତ୍ରୀଙ୍କ ମନ୍ତବ୍ୟ ଅପମାନଜନକ ହୋଇଛି । ସେଥିପାଇଁ ସେ ବୁଧବାର ଖାଇନାହାଁନ୍ତି ବୋଲି ଦୁଃଖଦ ଭରା କଣ୍ଠରେ କହିଛନ୍ତି । ଅନ୍ୟ ପଟରେ ମହାରଥୀଙ୍କ ବିଧାନସଭାରେ ଏହି ମାଡ଼ ଦେଖି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମହାରଥୀ ଯାତ୍ରା ଡାଇଲଗ ମାରୁଛନ୍ତି ବୋଲି ଆକ୍ଷେପ କରି କହିଛନ୍ତି ।
ବୁଧବାର ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଆଳୁ ମିଶନ ଓ ଶୀଳଭଣ୍ଡାର ନେଇ ଶ୍ରୀ ମହାରଥୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ନିରଂଜନ ପୂଜାରୀ । ଏହି ଉତ୍ତରକୁ ନେଇ ମହାରଥୀ କ୍ଷୁବ୍ଧ ହୋଇଛନ୍ତି । ମନ୍ତ୍ରୀ ନ ହେବା ଯୋଗୁ ଶ୍ରୀ ମହାରଥୀ ବେଶ କ୍ଷୁବ୍ଧ ହୋଇ ଅଛନ୍ତି । ଏଭଳି ସ୍ଥିତିରେ ମନ୍ତ୍ରୀଙ୍କ ଏହି ଉତ୍ତର ମହାରଥୀଙ୍କ ରାଗ ଉପରେ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି । ଆଜି ବିଧାନସଭାରେ ଶ୍ରୀ ମହାରଥୀ ମନ୍ତ୍ରୀ ନିରଂଜନ ପୁଜାରୀଙ୍କୁ ଟାର୍ଗେଟ କରି କହିଥିଲେ ମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ଦେଉଛନ୍ତି । ମୋ ସମୟରେ ରାଜ୍ୟରେ ଶୀତଳଭଣ୍ଡାର ସଂଖ୍ୟା ୧୨ରୁ ୪୮କୁ ଖସି ଆସିଥିବା କହିଛନ୍ତି । କିନ୍ତୁ ମୋ ସମୟରେ ୪୮ଟି ଶୀତଳଭଣ୍ଡାର କରାଯାଇଛି । ମୋ ସମୟରେ ରାଜ୍ୟ ୪ ଥର କୃଷିକର୍ମଣ ପୁରସ୍କାର ପାଇଛି । ନିରଂଜନଙ୍କ ନିର୍ବାଚନମଣ୍ଡଳୀ ମହିଳା ଚାଷୀ ୨ ଲକ୍ଷ ଟଙ୍କାର ପୁରସ୍କାର ପାଇଛନ୍ତି । ଆଳୁ ଚାଷ ପୂର୍ବରୁ ୧୨ ହଜାର ହେକ୍ଟର ହେଉଥିବା ବେଳେ ମୋ ସମୟ ୨୫ ହଜାର ହେକ୍ଟରକୁ ବୃଦ୍ଧି କରିଥିଲି । ମନ୍ତ୍ରୀ ହୋଇଗଲେ ବୋଲି ମୋର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ କରିବା ଠିକ ନୁହେଁ । ଅନ୍ୟକୁ ଆକ୍ଷେପ କରି ଅନ୍ୟର ମନଦୁଃଖକରି ବାହାବାହା ନେବାକୁ ଚେଷ୍ଟା ନ କରନ୍ତୁ ମନ୍ତ୍ରୀ । ବିଜେପି ସଭ୍ୟ ମୋହନ ମାଝିଙ୍କ ମୂଳ ପ୍ରଶ୍ନରେ ମନ୍ତ୍ରୀ ମୋତେ ଆକ୍ଷେପ କରିବା ପରେ ମୁଁ କାଲିଠାରୁ ଖାଇନାହିଁ । ତେଣୁ ମନ୍ତ୍ରୀଙ୍କ ବିବୃତିକୁ ଗୃହର ବିବରଣୀରୁ ବାଦ ଦିଆଯାଉ ସେ ଦାବି କରିଥିଲେ ।
ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଶ୍ରୀ ମହାରଥୀ ତାଙ୍କର ଏହି ବକ୍ତବ୍ୟ ରଖିଥିଲେ । ବାଚସ୍ପତି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ମୁଲତବୀ ରଖିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଶ୍ରୀ ମହାରଥୀ ପୁଣି ଏହି କଥା ଉଠାଇଥିଲେ ଓ ବାଚସ୍ପତିଙ୍କଠାରୁ ରୁଲିଂ ଦାବି କରିଥିଲେ । ମହାରଥୀ କହିଥିଲେ ଗତକାଲି ମନ୍ତ୍ରୀ ଯାହା କହିଲେ ସେଥିରେ ମୁଁ ବହୁତ ଦୁଃଖିତ ଓ ମର୍ମାହତ । ଆପଣଙ୍କୁ ଅତି ନମ୍ରତାର ସହ ନିବେଦନ କରିବାକୁ ଚାହେଁ ବିଧାନସଭାରେ ଆପଣ ହେଲେ ମୁଖ୍ୟ । କାଲିର ଟିପ୍ପଣୀକୁ ଆପଣ ଗୃହର ବିବରଣୀରୁ ବାଦ ଦିଅନ୍ତୁ । ଏହାକୁ ଯଦି ଆପଣ ବିବରଣୀରୁ ବାଦ ନ ଦିଅନ୍ତି ତେବେ ମୁଁ ଏ ବିଧାନସଭା ଚାଲୁଥିଲା ପର୍ଯ୍ୟନ୍ତ ଏ ଗୃହକୁ ଆଉ ଆସିବି ନାହିଁ ବୋଲି ମହାରଥୀ କଡ଼ା ଚେତାବନୀ ଦେଇଛନ୍ତି ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମହାରଥୀଙ୍କ ଅଭିଯୋଗକୁ ଝୁଲାଇ ରଖିଥିଲେ । ବାଚସ୍ପତି କହିଥିଲେ ଯେ, ଗତକାଲି ମନ୍ତ୍ରୀ ଯାହା କହିଛନ୍ତି ଗୃହ ବିବରଣୀକୁ ମୁଁ ଅନୁଧ୍ୟାନ କରିବି । ଯଦି କିଛି ଆକ୍ଷେପ ମୂଳକ ମନ୍ତବ୍ୟ ଥାଏ ତେବେ ତାକୁ ଗୃହ ବିବରଣୀରୁ ବାଦ ଦିଆଯିବ । କିନ୍ତୁ ବାଚସ୍ପତିଙ୍କୁ ଏହି ରୁଲିଂକୁ ବିଜେପି ବିଧାୟକ ଜୟନାରାଣ ମିଶ୍ର ତୀବ୍ର ବିରୋଧ କରିଥିଲେ ।
ଶ୍ରୀ ମହାରଥୀଙ୍କ ମନ୍ତବ୍ୟକୁ ସମାଲୋଚନା କରି ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ କହିଛନ୍ତି ସେ ଯାତ୍ରା ପାର୍ଟିର ଲୋକ, ଡାଇଲଗ ମାରନ୍ତି । ଆଗରୁ ଏପରି କରିଛନ୍ତି । ଯାହା କହୁଛନ୍ତି କାଲିଠାରୁ ଖାଇନାହାଁନ୍ତି ବୋଲି ସେ ଡାଇବେଟିସ ରୋଗୀ, ନିଶ୍ଚୟ ଖାଇକି ଆସିଥିବେ ।
ଶ୍ରୀ ମହାରଥୀ ମଧ୍ୟ ଶ୍ରୀମତୀ ମଲ୍ଲିକଙ୍କୁ ପାଲଟା ଆକ୍ଷେପ କରିଛନ୍ତି । ସେ କହିଛନ୍ତି ମନ୍ତ୍ରୀ ନିରଂଜନ ପୂଜାରୀ ଭୁଲ ତଥ୍ୟ ଦେଇଛନ୍ତି । ପ୍ରମିଳା ମଲ୍ଲିକ ମୋ ବଡ଼ ଭଉଣୀ । ତାଙ୍କ ପ୍ରତି ସମ୍ମାନ ଅଛି । ମୁଁ ଜାଣିନି ସେ କେବେ ରାଜନୀତି ଛାଡ଼ି ଡାକ୍ତରାଣୀ ହେଲେ ବୋଲି ମହାରଥୀ କହିଛନ୍ତି ।

Comments are closed.