OnaKhabar

ଏବେ ବହୁ ବିଜେଡି ବିଧାୟକ ଅସୁସ୍ଥ : ପ୍ରମିଳା

260

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବିଧାନସଭାରେ ମନ୍ତ୍ରୀ ଓ ବିଜେଡି ବିଧାୟକଙ୍କ ମରୁଡି ଦେଖାଦେଇଛି । ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ପାଟକୁରାରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଫଳରେ ବିଧାନସଭାକୁ ଆସୁନାହାନ୍ତି । ଏହି ଘଟଣାକୁ ନେଇ ଦୁଇ ଦିନ ହେଲା ବିଧାନସଭାରେ ବିରୋଧୀ କଡା ସମାଲୋଚନା କରିଛନ୍ତି । ବିଧାୟକ ଓ ମନ୍ତ୍ରୀଙ୍କ ଏହି ଅନୁପସ୍ଥିତି ଉପରେ ଶତକୁ ଘଣ୍ଟ ଘୋଡାଇବାକୁ ଯାଇ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯେଉଁ ମତ ରଖିଛନ୍ତି ତାହା ଅତ୍ୟନ୍ତ ସାଂଘାତିକ । ବିଧାନସଭାରେ ଅନୁପସ୍ଥିତିରେ ରହିଥିବା ଅଧିକାଂଶ ବିଜେଡି ମନ୍ତ୍ରୀ ଓ ବିଧାୟକ ଅସୁସ୍ଥ ଓ ବାପାଙ୍କ ଦେହ ଖରାପ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ବିଧାୟକମାନେ ଅନୁପସ୍ଥିତ ଥିବାରୁ ପ୍ରଶ୍ନ ଉତ୍ତର କାର୍ଯ୍ୟ ହୋଇପାରୁନାହିଁ । ସେମାନଙ୍କ ପ୍ରଶ୍ନ ଆଲୋଚନାକୁ ଆସିପାରୁନାହିଁ ।
ଅନ୍ୟପଟରେ ମନ୍ତ୍ରୀମାନେ ଅନୁପସ୍ଥିତ ଥିବାରୁ କା-ମନ୍ତ୍ରୀ ଭାବେ ଅନ୍ୟ ବିଭାଗ ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ ହେଉଛି । ଏକାଧିକ ବିଭାଗର ଉତ୍ତର ଜଣେଜଣେ ମନ୍ତ୍ରୀକୁ ଦେବାକୁ ପଡୁଛି । ଯାହା ଫଳରେ ଅନ୍ୟ ଯେଉଁ ବିଧାୟକମାନେ ଅଛନ୍ତି ସେମାନେ ସଠିକ ଭାବରେ ପଚାରୁଥିବା ପ୍ରଶ୍ନର ଉତ୍ତର ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ବିଧାନସଭାରେ ସମାଲୋଚନା ଘଟଣାକୁ ନେଇ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକଙ୍କ ବକ୍ତବ୍ୟ ଅଧିକ ସନ୍ଦେହ ସୃଷ୍ଟି କରୁଛି ।
ପାଟକୁରାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ମନ୍ତ୍ରୀ ବିଧାୟକମାନେ ବୁଲୁଥିବାର ଫଟୋ ଗଣମାଧ୍ୟମ ଓ ଟିଭିରେ ଦେଖିବାକୁ ମିଳୁଛି । କିନ୍ତୁ ଶ୍ରୀମତୀ ମଲ୍ଲିକ କହିଛନ୍ତି, ବିଧାୟକଙ୍କର କଣ ଦେହପା ଖରାପ ଥିବ । କୁଆଡେ ଯାଇଥିବେ । କେତେକ ମେଡିକାଲ କେସରେ ଯାଇଛନ୍ତି । କେତେକଙ୍କ ବାପାଙ୍କ ଦେହ ଖରାପ ଅଛି । କିଛି ଲୋକେଙ୍କ ଦେହପା ଖରାପ ଥିବାରୁ ଘରେ ଅଛନ୍ତି । ସମସ୍ତେ ଆଲୋଚନାରେ ଭାଗ ନେବାକୁ ଚାହୁଁଛନ୍ତି । ପରିସ୍ଥିତି କାହାର କଣ ହୋଇଛି । ଘର ସମସ୍ୟା ରହିଛି । କାହାର କଣ ଘର ଅସୁବିଧା ଥିବ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।
ଏଣୁ ଟିଭି ଚ୍ୟାନଲରେ ଯେଉଁ ମନ୍ତ୍ରୀ, ବିଧାୟକଙ୍କ ପ୍ରଚାର କରୁଥିବାର ଯେଉଁ ଫଟୋ ପଦର୍ଶିତ ହେଉଛି ତାହା ଠିକ ନା ଶ୍ରୀମତୀ ମଲ୍ଲିକଙ୍କ କଥା ଠିକ । ହଠାତ ବିଜେଡିର ଏକ କାଳୀନ ୪୦-୫୦ ଜଣ ବିଧାୟକ ଅସୁସ୍ଥ ହେବା ସବୁଠାରୁ ବଡ ଘଟଣା ବୋଲି କୁହାଯାଉଛି । ଏଠି କିଛି ବିରୋଧୀ ବିଧାୟକ କହୁଛନ୍ତି ତେବେ ଏତେ ସଂଖ୍ୟାରେ ବିଧାୟକ ଯଦି ଏକକାଳୀନ ଅସୁସ୍ଥ ହୋଇ ପଡୁଛନ୍ତି ତେବେ ସ୍ୱାସ୍ଥ୍ୟ ବିଭାଗ ଫେଲ ମାରିଛି ।