OnaKhabar

ଝିଅର ଶବକୁ ଧରି ବକ୍ସିବଜାର ଛକରେ ବସିଛନ୍ତି ମା

46

କଟକ: ମୃତ ଶିଶୁକୁ ଧରି ଦୀର୍ଘ ସମୟଧରି ଜଣେ ମହିଳା ଆଜି କଟକ ବକ୍ସିବଜାର ଛକରେ ବସିଥିବା ଦେଖିବାକୁ ମିଳିଥିଲା । ପାଖରେ ତା’ର ଆଉ ଦୁଇଜଣ ପିଲା ଥିବା ଦେଖିବାକୁ ମିଳିଛି । ମହିଳା ଜଣକ ମାନସିକ ସ୍ତରରେ ବିକୃତ ବୋଲି ଜଣାପଡ଼ିଛି । ମହିଳା ଜଣକ ପରିଚୟ ମିଳିପାରି ନାହିଁ | ହେଲେ ସେ ତା’ର ନାମ ଭାରତୀ ନାୟକ ବୋଲି କହିଛି । ତେବେ ଆଜି ଦିନ ୧୨ଟାଠାରୁ ମହିଳା ଜଣକ ଏମିତି ତାର ଶିଶୁପିଲାଟିକୁ କୋଳରେ ଧରି ବସିଥିଲେ ମଧ୍ୟ ଦୀର୍ଘ ସମୟ ପରେ ଚାଇଲ୍ଡ ଲାଇନ ପହଞ୍ଚି ଉଭୟ ମା ଓ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତି କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ବକ୍ସିବଜାର ଛକରେ ସମ୍ପୃକ୍ତ ମହିଳା ଜଣକ ନିଜର ଶିଶୁକନ୍ୟା ଧରି ବସିଥିଲେ । ପାଖରେ ତା’ର ଆଉ ୨ ଜଣ ଛୋଟ ଛୋଟ ପିଲାମାନେ ମଧ୍ୟ ଥିଲେ । ତେବେ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ ସେ ଧରିଥିବା ଶିଶୁଟି ମୃତ ବୋଲି ଜଣାପଡ଼ିଥିଲା । ତେବେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯିବା ସହ ମହିଳା ଜଣକୁ ନାଁ ଗାଁ ବିଷୟରେ ପଚାରିଥିଲେ । ହେଲେ ମହିଳା ଜଣକର ଅସ୍ୱାଭାବିକ୍‌ ଆଚରଣରୁ ତାଙ୍କର ମାନସିକ ବିକୃତି ଥିବା କୁହାଯାଉଛି । ସେହିପରି କୌଣସି ରୋଗରେ ପଡ଼ି ପିଲାଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମହିଳା ଜଣକ ନିଜ ପରିଚୟ ଦେଇପାରୁ ନଥିବା ବେଳେ କେବଳ ରାଗିଯାଇ ଭାରତୀ ନାୟକ କହିଛନ୍ତି । ମହିଳା ଓ ତିନି ଛୁଆଙ୍କୁ ଅସହାୟ ଅବସ୍ଥାରେ ଦେଖି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳା ଜଣକ ଉକ୍ତ ଅଞ୍ଚଳରେ ଦୀର୍ଘ ଦିନ ରହୁଥିଲେ । ସେଇଠି ସେ କିଛି ଖେଳଣା ବିକି ଏବଂ ଆଉ କିଛି କାମଦାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କ ସ୍ବାମୀଙ୍କ ବିଷୟରେ କୌଣସି ଖବର ମିଳି ନଥିବାର ଜଣା ପଡିଛି |

Comments are closed.