OnaKhabar

ବିଧାନସଭାରେ ମହାରଥୀ-ପୂଜାରୀ “କଳି”

190

ଭୁବନେଶ୍ୱର: ବିଧାନସଭାରେ ବିଜେଡି କଳି ଆଜି ପ୍ରତିଫଳିତ ହୋଇଥବା ଦେଖିବାକୁ ମିଳିଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ବିଧାନସଭାରେ ଅନ୍ୟ ବିଭାଗ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖୁଥିବା ବେଳେ ତାଙ୍କୁ ଅଡୁଆରେ ପକାଇବା ପାଇଁ ଉଦ୍ୟମ କରିଥିଲେ । ସେଥିପାଇଁ ପ୍ରସଙ୍ଗ ବାହାରକୁ ଯାଇ ଜାଣିଶୁଣି ପ୍ରଶ୍ନ କରଥିଲେ । ଆଲୋଚନା ପାଇଁ ଆସିଥିବା ମୂଳ ପ୍ରଶ୍ନ ସହ ଶ୍ରୀ ମହାରଥୀ ପଚାରିଥିବା ପ୍ରଶ୍ନର ପ୍ରାସଙ୍ଗିକତା ନଥିବାରୁ ବାଚସ୍ପତି ଏହାର ଉତ୍ତର ନ ରଖିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ କହିଥିଲେ । କିନ୍ତୁ ଶ୍ରୀ ମହାରଥୀଙ୍କୁ ପାଲଟା ମାଡ ଦେବା ପାଇଁ ସେ ଏହାର ଉତ୍ତର ଦେବେ ବୋଲି କହିଥିଲେ । ମହାରଥୀ ଯେଉଁ ସବୁ ପ୍ରଶ୍ନ ଉଠାଇଥିଲେ ତାକୁ ନେଇ ଯେଉଁ ସମସ୍ୟା ଆସୁଛି ବୋଲି ଦର୍ଶାଇଥିଲେ ସେଥିପାଇଁ ଶ୍ରୀ ମହାରଥୀ ନିଜେ ଦାୟୀ ବୋଲି ଶ୍ରୀ ପୂଜାରୀ ଦର୍ଶାଇବାକୁ ଚାହିଁଁଥିଲେ ।
ଶ୍ରୀ ମହାରଥୀ ପ୍ରଶ୍ନ କରିଥିଲେ ଯେ, ଏକଥା ସତ୍ୟା ଓଡିଶା ରାଜ୍ୟରେ ମାଛ ଚାଷରେ ଆମେ ଅଧିକ ଉତ୍ପାଦନ କରୁଛୁ । ୨ ଲକ୍ଷ ମେଟ୍ରିକ ଟନ ଆମେ ବିଦେଶକୁ ପଠାଉଛୁ । ଆମ ରାଜ୍ୟରେ ବହୁମୁଖୀ ଶୀତଳ ଭଣ୍ଡାର କେତୋଟି ଅଛି । କେତୋଟି ପ୍ରୋସେସିଙ୍ଗ ୟୁନିଟ ହୋଇଥିଲା । ବର୍ତ୍ତମାନ ସେଥିରୁ କେତୋଟି ଚାଲୁନି । ଉଦ୍ୟାନ କୃଷି ବିଭାଗ ସବସିଡି ଦେଇ ଯେଉଁ ଶୀତଳ ଭଣ୍ଡାର କରାଯାଇଥିଲା ସେଠି ଯେଉଁ ଆଖପାଖରେ ଥିବା ଚାଷୀ, ଯେଉଁ ଆଳୁ ଉତ୍ପାଦନ କରୁଛନ୍ତି ସେ ଆଳୁକୁ ନରଖି ସସ୍ତା ହେବ ବୋଲି ବଙ୍ଗଳାର ଆଳୁ ଆଣି ରଖି ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି । ଏହା କେତେ ଦୂର ସତ୍ୟ । ଆଳୁରେ ଆମର ୧୨ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ । ଆମେ ୨ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କରୁଛୁ । ଏହାକୁ ଅଧିକ ତ୍ୱାରାନିତ କରିବା ଦରକାର । ଡାଲି ଓ ତୈଳବୀଜ ଚାଷ କରିବା ପାଇଁ ରାଜ୍ୟ ସରକାର ଅନ୍ୟ ଦେଶ ସହ ଏମଓୟୁ କରିଛନ୍ତି । ଏଥିରେ କେତେ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ଶ୍ରୀ ମହାରଥୀ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତର ରଖି ମନ୍ତ୍ରୀ ନିରଞ୍ଜନ ପୂଜାରୀ ମହରଥୀଙ୍କୁ କହିଥିଲେ , ବିଧାୟକ ଏହି ବିଷୟରେ ମନ୍ତ୍ରୀ ଥିଲେ । ମୁଁ ଆଜି ଦାୟିତ୍ୱରେ ଅଛି । ସେ ଏ ବିଷୟରେ ଡକ୍ଟରେଟ କରିଛନ୍ତି । ସବୁବେଳେ ସେ କହୁଛନ୍ତି ଚାଷୀ ପୁତ୍ର । ମୁଁ ବି କହୁଛି ମୁଁ ଜଣେ ଚାଷୀ ପୁତ୍ର । ବିଧାୟକଙ୍କ ପ୍ରଶ୍ନ ପ୍ରସଙ୍ଗ ବାହାରେ ଥିଲେ ମଧ୍ୟ ମୁଁ ସେ ଉତ୍ତର ଦେବାକୁ ଚାହେଁ । ସରକାର ଆଳୁ ମିଶନ ମାନ୍ୟବର ବିଧାୟକ ଯେତେବେଳେ ମନ୍ତ୍ରୀ ଥିଲେ ସେ ଆରମ୍ଭ କରିଥିଲେ । ସେ ଆଳୁ ମିଶନର ଅବଧି ମଧ୍ୟ ତାଙ୍କରି ସମୟରେ ସରିଗଲା । ଆଳୁ ମିଶନର ଅବଧି ସରିଯାଇଛି । ତାକୁ ସରକାର ପୁନଃ ପ୍ରଚଳନ କରିବାକୁ ଚାହୁଁଛନ୍ତି । ଶୀତଳ ଭଣ୍ଡାର କ୍ଷେତ୍ରରେ ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ରହିଛି । ସେଥିରୁ ୮୦ଟି ଅଚଳ ହୋଇଯାଇଛି, ତାଙ୍କ ସମୟରେ । ୪୮ଟି ସଚଳ ଅବସ୍ଥାରେ ଅଛି । ସରକାର ଏବେ ସେ ସବୁକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ପୂଜାରି କହିଛନ୍ତି ।
ଶ୍ରୀ ମହାରଥୀ ପୂର୍ବରୁ କୃଷି ଓ ସମବାୟ ବିଭାଗର ମନ୍ତ୍ରୀ ଥିଲେ । ଏଣୁ ତାଙ୍କୁ ତାଙ୍କ ପ୍ରଶ୍ନରେ ମାଡ ଦେବା ପାଇଁ ଶ୍ରୀ ପୂଜାରୀ ଆଳୁ ମିଶନ କିପରି ତାଙ୍କରି ସମୟରେ ଫେଲ ମାରିଥିଲା ଏବଂ ଶୀତଳ ଭଣ୍ଡାର ଗୁଡିକ କିପରି ଅଚଳ ହୋଇଥିଲା ତାହା ଦର୍ଶାଇଥିଲେ ।
କିଛି ଦିନ ହେଲା ମହାରଥୀଙ୍କ ଏହି ବିରୋଧୀ ଭୂମିକା ବିଧାନସଭାରେ ଦେଖିବାକୁ ମିଳୁଛି । ମନ୍ତ୍ରୀ ନ ହେବା ଫଳରେ ଶ୍ରୀ ମହାରଥୀ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ଏହିପରି ପ୍ରଶ୍ନ ମାନ ପଚାରୁଛନ୍ତି । ପୂର୍ବରୁ ରାଜସ୍ୱ ବିଭାଗ ପ୍ରଶ୍ନ ଆଲୋଚନା ସମୟରେ ସେ ପୁରୀ ଜିଲ୍ଲାରେ ବାତ୍ୟା “ଫନି” କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବାରେ ପାତରଅନ୍ତର କରାଯାଇଥିବା ଓ ଚିହ୍ନଟ ପ୍ରକ୍ରିୟା ଠିକ ହୋଇନଥିବା କହି ଅଡୁଆରେ ପକାଇଥିଲେ । କୁହାଯାଉଛି ମହାରଥୀଙ୍କ ଭୂମିକା ବିଜେଡି ପାଇଁ ବହୁ ଅଡୁଆ ପରିସ୍ଥିତି ଆଣିବ ।