OnaKhabar

ଅନୁଭବଙ୍କ ନାଁରେ ଅଭିଯୋଗ ମାମଲା: ସସ୍ମିତା ଆଣିଲେ ଆହୁରି ସାଙ୍ଘାତିକ୍ ଅଭିଯୋଗ

135

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ସାମ୍ବାଦିକ ଆଣିଥିବା ଅଭିଯୋଗ ମାମଲାରେ ଆଜି କଟକ ଜେଏମଏଫସି କୋର୍ଟରେ ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ୧୬୪ ଧାରାରେ କୋର୍ଟଙ୍କ ସମ୍ମୁଖରେ ସସ୍ମିତା ତାଙ୍କର ବୟାନ ରଖିଛନ୍ତି । ଏହି ସମୟରେ ପୁରୀଘାଟ ପୁଲିସ୍‌ ଏବଂ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାନୁଯାୟୀ, ଗତ ଦୁଇ ଦିନ ତଳେ ମହିଳା ସାମ୍ବାଦିକ ଜଣକ ପୁରୀଘାଟ ଥାନାରେ ଧାରଣାରେ ବସିଥିଲେ । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବା ଏବଂ ଏଫଆଇଆର ଏପଟ ସେପଟ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ସାଂସଦ ଅନୁଭବ ମହାନ୍ତିଙ୍କ ଚାପରେ ପୁଲିସ୍‌ ଏପରି କରିଥିବା ସେ ଅଭିଯୋଗ କରିଥିଲେ ।
ଉଲ୍ଲେଖନୀୟ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରୁଥିବା ନେଇ ସସ୍ମିତା ଗତ ଜୁନ ୧୨ ତାରିଖ ରାତିରେ ଅନୁଭବଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଏହି ସମୟରେ ଅନୁଭବ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ । ଏନେଇ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସସ୍ମିତା ନ୍ୟାୟ ଦାବି କରି ନବୀନ ନିବାସ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ । ତେବେ ନିଜ ଉପରେ ଲାଗିଥିବା ସବୁ ଅଭିଯୋଗକୁ ପୂର୍ବରୁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଖଣ୍ଡନ କରିସାରିଛନ୍ତି ।