OnaKhabar

ତୃପ୍ତିମୟୀ ପଣ୍ଡା ଅପହରଣ ଓ ହତ୍ୟା‌ ମାମଲା : ୩ ବର୍ଷ ପରେ ଅପରାଧୀକୁ ଗିରଫ କଲା ପୁଲିସ

53

ଛତ୍ରପୁର : ଛତ୍ରପୁର ନିଉ ପୁଲିସ କଲୋନୀର ବିବେକାନନ୍ଦ ପଣ୍ଡାଙ୍କ ୨୧ ବର୍ଷୀୟ କନ୍ୟା ତୃପ୍ତୀମୟୀ । ସେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏମ୍‌ସିଏରେ ପଢୁଥିଲେ | ତାବେ ତାଙ୍କର ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚିଙ୍କାରା ବେହେରା କୁ ଏବେ ଛତ୍ରପୁର ପୁଲିସ ଗିରଫ କରିବାରେ ସଫଳ ହୋଇଛି | ଆନ୍ଧ୍ର ଏବଂ ଓଡିଶା ପୁଲିସ ଆଖିରେ ଧୂଳି ଦେଇ ୩ବର୍ଷ ହେଲା ଫେରାର ରହିଥିବା ଚିଙ୍କର ବେହେରାକୁ ପୁଲିସ ଅଟକ ରଖିଥିବା ବେଳେ ତା’ର ଦୁଇ ସହଯୋଗୀଙ୍କୁ ଛାଡି ଦେଇଛି |

ପୁଲିସ ସୂଚନା ଅନୁଯାୟୀ, ତୃପ୍ତି ବ୍ରହ୍ମପୁର ଅନନ୍ତ ନଗର ଦ୍ବିତୀୟ ଲେନ୍‌ ସ୍ଥିତ ଏକ ଘରୋଇ ହଷ୍ଟେଲରେ ରହୁଥିଲେ । ୨୦୧୬ ଅଗଷ୍ଟ ୨୫ତାରିଖରେ ତୃପ୍ତି ମାର୍କେଟିଂ କରି ଫେରୁଥିବା ବେଳେ ଖଲ୍ଲିକୋଟ କଲେଜ ନିକଟରୁ ଏକ ବୋଲେରୋ ଗାଡିରେ କିଛି ଯୁବକ ତାଙ୍କୁ ଅପହରଣ କରି ‌ନେଇଥିଲେ । ଆନ୍ଧ୍ର ପ୍ରଦେଶର ସୋମପେଣ୍ଠ ମଣ୍ଡଳ ଅନ୍ତର୍ଗତ ବାରୁଆ ଥାନା ଦେଶୀ ରାମଚନ୍ଦ୍ରପୁରମ୍‌ ନିକଟ ଜାତୀୟ ରାଜପଥ କଡ଼ରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ସେଠାରେ ଫୋପାଡି ଦେଇ ଘଟଣାସ୍ଥଳରୁ ଫେରାରହୋଇ ଯାଇଥିଲେ | ଏହାପରେ ତୃପ୍ତିମୟୀଙ୍କ ଶବ ଜାତୀୟ ରାଜପଥ କଡ଼ରୁ ଅଗଷ୍ଟ ୨୬ରେ ମିଳିଥିଲା । ସେହି ସ୍ଥାନରୁ ଭୁବନେଶ୍ବରରୁ ପ୍ରକାଶ ପାଉଥିବା ଏକ ଖବରକାଗଜ ମଧ୍ୟ ପୁଲିସ ପାଇଥିଲା । ଅଗଷ୍ଟ ୨୮ତାରିଖରେ ସୋମପେଣ୍ଠ ଓ ବାରୁଆ ଥାନାର ୪ଜଣ ଅଧିକାରୀ ମୃତ ଯୁବତୀଙ୍କ ପରିଚୟ ଠାବ କରିବାକୁ ବ୍ରହ୍ମପୁର ଆସିଥିଲେ । ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇବା ପରେ ମୃତ ଯୁବତୀଙ୍କ ବାପା ବିବେକାନନ୍ଦ ପଣ୍ଡା ସୋମପେଣ୍ଠ ପୁଲିସକୁ ସାକ୍ଷାତ କରି ଶବ ଚିହ୍ନଟ କରିଥିଲେ । ବାରୁଆ ଥାନାରେ ଏକ ହତ୍ୟା ମକଦ୍ଦମା ରୁଜୁ ହୋଇଥିଲା । ବାରୁଆ ପୁଲିସ ଏକ କେସ୍‌ର ତଦନ୍ତ କରି ଚିଙ୍କାରା ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ଜାଣି ପାରିଥିଲା । କିନ୍ତୁ ଚିଙ୍କାରାକୁ କାବୁ କରିବାରେ ପୁଲିସ ଅସମର୍ଥ ହୋଇଥିଲା | ତା ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି କରା ଯାଇଥିଲା । ତାକୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରିଥିଲା ବାରୁଆ ପୁଲିସ । କିନ୍ତୁ ୩ବର୍ଷ ହେଲ ଆନ୍ଧ୍ର ଓ ଓଡ଼ିଶା ପୁଲିସ ଆଖିରେ ଧୂଳି ଦେଇ ଛତ୍ରପୁର ଇଲାକାରେ ଘୁରି ବୁଲୁଥିଲା ଚିଙ୍କାରା । ଅଟକ ଚିଙ୍କରାକୁ ଛତ୍ରପୁର ଥାନା ପୁଲିସ ଖୁବଶୀଘ୍ର ଆନ୍ଧ୍ର ପୁଲିସକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଛତ୍ରପୁରର ସିପିଆଇ ନେତା ସ୍ବର୍ଗତ ସାକୁରା ବେହେରାଙ୍କ ଭାଇ ହେଉଛି ଚିଙ୍କାରା ।