OnaKhabar

ପୁଲିସର ଅବହେଳା ନେଲା ତିନି ଭାଇଙ୍କ ଜୀବନ !

64

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ହତ୍ୟା, ଗୁଳିକାଣ୍ଡ, ଲୁଟ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ନିନ୍ଦନୀୟ ଘଟଣାମାନ ଘଟିଚାଲିଛି । ରବିବାର ଭୁବନେଶ୍ୱର-ପୁରୀ ରାସ୍ତାର ପଟ୍ଟନାୟିକା ଛକ ନିକଟରେ ଦିନ ଦୁଇ ପହରେ ଗୋଡେଇ ଗୋଡେଇ ଦୃର୍ବୁତ୍ତମାନେ ଜନଗହଳି ପୂର୍ଣ୍ଣ ରାସ୍ତା ଉପରେ ଗୋଟିଏ ପରିବାରର ତିନି ଭାଇଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ପୁଲିସକୁ ଦାୟୀ କରୁଛନ୍ତି । ପୂର୍ବରୁ ଦୃର୍ବୁତ୍ତମାନେ ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ହତ୍ୟା କରିଥିଲେ । ପ୍ରାୟ ୧୦ ମାସ ତଳେ ତାଙ୍କ ପରିବାରର ସାନ ପୁଅକୁ ହତ୍ୟା କରାଯାଇଥିଲା । ଏହାକୁ ଆତ୍ମହତ୍ୟାର ରୂପ ଦେଇ ପୁଲିସ ଗୁରୁତ୍ୱ ଦେଇନଥିଲା । ପରିବାର ପକ୍ଷରୁ ଏହା ହତ୍ୟା କାଣ୍ଡ ବୋଲି ପୁଲିସ ନିକଟରେ ଯେତେ ଅଭିଯୋଗ କରାଯାଇଥିଲେ ବି ତାକୁ ଗୁରୁତ୍ୱ ଦିଆଯାଇନଥିଲା । ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇ ଯଦି ହତ୍ୟାକାରୀଙ୍କ ପାଖରେ ପହଁଞ୍ଚି ସେମାନଙ୍କୁ ଧରି ଥାନ୍ତା ତେବେ ଆଉ ତିନୋଟି ଜୀବନ ହୁଏତ ବଞ୍ଚିଯାଇଥାନ୍ତା ବୋଲି କୁହାଯାଉଛି । ପୁଲିସର ବେପରୁଆ ଓ ଖାମଖିଆଲି ମନୋଭାବ ପାଇଁ ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ ଝଡିପାରିବାରେ ଲାଗିଛି । ରବିବାରର ଘଟଣା ସମଗ୍ର ଆଞ୍ଚଳରେ ଆଲୋଡନା ସୃଷ୍ଟି କରିଛି ।
ମିଳିଥିବା ସୂଚନାନୁସାରେ, ଏହି ହତ୍ୟା ଘଟଣା ପଛରେ ଜମିବାଡି ଓ ପାରିବାରିକ ଗଣ୍ଡଗୋଳ କାରଣ ରହିଥିବା କୁହାଯାଉଛି । ୨୦ ବର୍ଷ ତଳେ ପ୍ରଥମେ ତାଙ୍କ ବାପାକୁ ହତ୍ୟା କରାଯାଇଥିଲା । ସେବେ ଠାରୁ ଦୃର୍ବୁତ୍ତମାନେ ଗୋଟେ ପରେ ଗୋଟେ ମୁଣ୍ଡ ଗଡାଇ ଚାଲିଛନ୍ତି । ପରିବାରର ମଝିଆ ପୁଅ ଅଜୟ ବେହେରା ସରପଞ୍ଚ ଥିଲେ । ତାଙ୍କ ମୃତ୍ୟୁ ସନ୍ଦେହଜନକ ଥିଲା । ଘରଠାରୁ ୧୦ କିମି ଦୂର ବେଲାଙ୍ଗ ନିକଟ ରେଳ ଲାଇନରୁ ଅଜୟ ଖଣ୍ଡବିଖଣ୍ଡିତ ଶରୀର ଜବତ କରାଯାଇଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟା ଘଟଣା ହୋଇଥିଲେ ଟ୍ରେନ ଲାଇନରୁ ଶବ ମିଳିଥିବାରୁ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ହତ୍ୟା ଘଟଣା ବୋଲି ପରିବାର ଅଭିଯୋଗକୁ ପୁଲିସ ଗ୍ରହଣ କରାଯାଇନଥିଲା । ଏହି ଘଟଣାକୁ ସଫଳ ହେବା ପରେ ଦୃର୍ବୁତ୍ତାନେ ଅଧିକ ସାହସୀ ହୋଇ ଆଉ ତିନୋଟି ମୁଣ୍ଡ ଗଡାଇଛନ୍ତି ।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟିକା ଛକ ନିକଟରେ ଦୃର୍ବୁତ୍ତ୍ମାନେ ତିନିଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ନିକଟରୁ ରଥ ଯାତ୍ରା ପାଇଁ ଏକ ପୁଲିସ କ୍ୟାମ୍ପ ଥିଲା ଓ ସେଠାରେ ପୁଲିସମାନେ ବି ସୁରକ୍ଷା ପାଇଁ ମୁତୟନ ହୋଇଥିଲେ । କିନ୍ତୁ ଦୃର୍ବୁତ୍ତ୍ମାନେ ଗୋଡେଇ ଗୋଡେଇ ଦୀର୍ଘ ସମୟ ଧରି ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରି ଚୋଟ ପକାଇଚାଲିଥିଲେ ବି ପୁଲିସ ପହଁଞ୍ଚିପାରିନଥିଲା । ସେବାଟରେ ଯାଉଥିବା ଲୋକେ ବି ଭୟଭୀତ ହୋଇଯାଇଥିଲେ । ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଦୃର୍ବୁତ୍ତମାନେ ସତ୍ୟାବାଦୀ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ଗୋଟିଏ ପରିବାରଙ୍କୁ ତିନି ଭାଇ କୃଷ୍ଣଚନ୍ଦ୍ର ବେହେରା(୪୨), ପୂଣ୍ଣଚନ୍ଦ୍ର ବେହେରା (୪୪), ଦାଦାପୁଅ ଭାଇ ପଞ୍ଚୁବେହେରା(୪୫)ଙ୍କୁ ହତ୍ୟା କରିଛନ୍ତି । ତିନି ଭାଇ ଢାବା ନିକଟରେ ଥିବା ବେଳେ ଦୃର୍ବୁତ୍ତ୍ମାନେ ଲୁହାରଡ, କାଠଫାଳିଆ ଓ ଖଣ୍ଡାରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଢାବାକୁ ଆସିବା ବେଳେ ପ୍ରଥମେ ପୂଣ୍ଣଚନ୍ଦ୍ର ରାସ୍ତାତଳକୁ ଓହ୍ଲାଉଥିବା ବେଳେ ତାଙ୍କୁ ଆତର୍କିତ ଆକ୍ରମଣ କରାଯାଇଥିଲା । ତାଙ୍କୁ ଖଣ୍ଡାରେ ହାଣିବା ଦ୍ୱାରା ଘଟଣାସ୍ଥଳରେ ଟଳି ପଡିଥିଲେ । ଏହାପରେ କୃଷ୍ଣଚନ୍ଦ୍ର ଓ ପଞ୍ଚୁକୁ ଗୋଡାଇଗୋଡାଇ ହାଣିଥିଲେ । ମୁଣ୍ଡ ଓ ଗୋଡିକୁ ଅତି ବିଭତ୍ସାଭାବେ ହାଣିବା ଦ୍ୱାରା ଉବୟଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଦୃର୍ବୁତ୍ତ୍ମାନେ ସେଠାରେ ଏକ କ୍ୟାବିନ ଭିତରେ ମରଣାସ୍ତ୍ର ଲୁଚାଇ ରଖିଥିଲେ । ଯୋଜନାବଦ୍ଧ ଭାବେ ଆସି ହତ୍ୟା କରିଛନ୍ତି ।