OnaKhabar

‘କୌନ୍ ବନେଗା କରୋଡ଼ପତି’ ନାଁରେ ଠକେଇ

0 0

ସମ୍ୱଲପୁର: ‘କୌନ୍ ବନେଗା କରୋଡ଼ପତି’ ନାଁରେ ଠକେଇ | ଏପରି ଘଟଣା ସମ୍ୱଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ଘଟିଛି | ସେ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ପ୍ରାୟ ୧୧ ମାସ ଧରି ସେ ଠକାମୀରେ ପଡ଼ି ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଆକାଉଣ୍ଟକୁ ୪୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ । ତେବେ ଏତେ ଟଙ୍କା ପଠାଇ ସାରିବା ପରେ ଯାଇ ତାଙ୍କର ସନ୍ଦେହ ହୋଇଥିଲା ଓ ସେ ସମ୍ୱଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
ତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସରେ ‘କୌନ୍ ବନେଗା କରୋଡ୍‌ପତି’ କାର୍ଯ୍ୟକ୍ରମରୁ ତାଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା । ଏଥିପାଇଁ ୪୦ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା । ଲଟେରୀ ଟଙ୍କା ପାଇବା ଲୋଭରେ ସେ ନିଜ ପିଏଫ୍‌ ଟଙ୍କା ଉଠାଇବା ସହ ଜମିବାଡ଼ି ବିକ୍ରି କରି ଦେଇଥିଲେ। ତା’ସହିତ ସାଙ୍ଗସାଥୀଙ୍କଠାରୁ ଲକ୍ଷାଧିକ ଟଙ୍କା ହାତ ଉଧାର କରି ଥିଲେ। ଏନେଇ ସେ ପରିବାର ଲୋକଙ୍କ ଛଡ଼ା ଅନ୍ୟ କାହାକୁ ବି ଜଣାଇ ନଥିଲେ। ପ୍ରାୟ ଭିନ୍ନ ଭିନ୍ନ ୩୦ଟି ବ୍ୟାଙ୍କ ଆକାଉଣ୍ଟକୁ ସେ ଟଙ୍କା ପଠାଇଥିଲେ। ଯେଉଁ ସବୁ ଆକାଉଣ୍ଟଗୁଡ଼ିକୁ ଟଙ୍କା ଯାଇଛି ସେଗୁଡ଼ିକ ଷ୍ଟେଟ୍‌ ବ୍ୟାଙ୍କର। ଏହି ସବୁ ଆକାଉଣ୍ଟଗୁଡ଼ିକ ବିହାର ଓ ଦିଲ୍ଲୀ ଅଞ୍ଚଳରେ ରହିଛି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିପାରିଛି। ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ପାଇଁ ସେଠାକୁ ଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଅଭିଯୋଗକାରୀ ଓ ତାଙ୍କ ପତ୍ନୀ ବହୁତ ମାନସିକ ଚାପରେ ଥିବା ପୁଲିସ୍ କହିଛି । ସେମାନଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.