OnaKhabar

ପ୍ରସନ୍ନ ଖୋଲିଲେ ଗୁମର

1,219

ଭୁବନେଶ୍ୱର (ଓଏନଏ) : ଋଣ ବୋଝ ଓ ଫସଲ ହାନୀ ଯୋଗୁ ଚାଷୀ ଆତ୍ମହ୍ୟା କରୁଥିବା ଘଟଣାକୁ ରାଜ୍ୟ ସରକାର କେବେହେଲେ ଆଜିଯାଏ ସ୍ୱୀକାର କରିନାହାଁନ୍ତି । ଅନ୍ୟ ପଟରେ ସରକାର ଯୋଉଁ ସଫେଇ ଦେଇଥାନ୍ତି ତାହା ଆତ୍ମହତ୍ୟା କରୁଥିବା ଚାଷୀ ଓ ତାଙ୍କ ପରିବାର ପାଇଁ ବେଶ ଅପମାନଜନକ ହୋଇଥାଏ । ହେଲେ ଏବେ “କାଳିଆ” ଯୋଜନାରେ କେନ୍ଦ୍ରୀୟ ସହାୟତା ଲୋଡ଼ିଲା ବେଳେ ସତକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଋଣ ବୋଝରେ ଚାଷୀ ଆତ୍ମହତ୍ୟା କରୁଥିବା କଥା ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ପ୍ରକାଶ କରିଛନ୍ତି । କାଳିଆ ଯୋଜନାରେ କେନ୍ଦ୍ରୀୟ ସହାୟତା କରିବା ପାଇଁ ପ୍ରସ୍ତାବ ରଖିଲା ବେଳେ ଶ୍ରୀ ଆଚାର୍ଯ୍ୟ ଯେଉଁ ମତ ରଖିଥିଲେ ସେଥିରେ ସେ ଖୋଲାଖୋଲି ଏକଥା ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ରାଜ୍ୟ ବିଧାନସଭାରେ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଚାଷୀ ଆତ୍ମହତ୍ୟା ନେଇ ଯେଉଁ ତଥ୍ୟ ରଖାଯାଇଥାଏ ସେଥିରେ ମୃତ୍ୟୁର କାରଣ ଭିନ୍ନ ବୋଲି ଦର୍ଶାଯାଇଥାଏ । ଏବେ ପ୍ରଶ୍ନ ଉଠିଛି ବିଧାନସଭାରେ ସରକାର ଯେଉଁ ତଥ୍ୟ ରଖନ୍ତି ତାହା ସତ ନାଁ ଶ୍ରୀ ଆଚାର୍ଯ୍ୟ ରାଜ୍ୟସଭାରେ ଯେଉଁ ତଥ୍ୟ ରଖିଲେ ତାହା ସତ । ଏହା ଭିତରେ କିଏ ସତ କିଏ ମିଛ ତାହା ପ୍ରକାଶ କରିବା ଆବଶ୍ୟକ ରହିଛି ବୋଲି ଆଲୋଚନା ହେଉଛି ।
ରାଜ୍ୟ ସରକାର ଯେଉଁ କାଳିଆ ଯୋଜନା କରି ଚାଷୀଙ୍କୁ ସହାୟତା ଦେଉଛନ୍ତି ତାହାର ପ୍ରକୃତ ଉଦ୍ଦେଶ୍ୟ କଣ ସେ ବିଷୟରେ ଶ୍ରୀ ଆଚାର୍ଯ୍ୟ ପ୍ରାଞ୍ଜଳ ଭାବରେ ରାଜ୍ୟସଭାରେ ବୁଝାଇଛନ୍ତି । ଏଥିରେ ସେ କହିଛନ୍ତି ଦେଶରେ ଚାଷୀ ଆତ୍ମହତ୍ୟା କରୁଥିବା କଥା ଉଲ୍ଲେଖ କରି ସେ ଦର୍ଶାଇଛନ୍ତି ପ୍ରତି ବର୍ଷ ୧୪ରୁ ୧୫ ହଜାର ଚାଷୀ ଦେଶରେ ଆତ୍ମହତ୍ୟା କରୁଛନ୍ତି । ଏହାର କାରଣ ହେଉଛି ଋଣ ବୋଝ । ଚାଷୀମାନେ ସେମାନଙ୍କ ଋଣ ବୋଝ ସୁଝି ପାରୁନାହାଁନ୍ତି ।

ସେଥିପାଇଁ ଆତ୍ମହତ୍ୟା କରୁଛନ୍ତି । ଏଥିପାଇଁ ଆମେ ପ୍ରତି ଫସଲ ପାଇଁ ଚାଷୀଙ୍କୁ ୫ ହଜାର ଟଙ୍କା ଦେଉଛୁ । ଏହା ବର୍ଷକ ପାଇଁ ନୁହେଁ । କେବଳ ଗୋଟିଏ ଫସଲ ପାଇଁ ଦିଆଯାଉଛି । ପ୍ରତି ଚାଷୀ ଚାଷ କରିବାକୁ ଗଲା ପୂର୍ବରୁ ଅର୍ଥର ଆବଶ୍ୟକ ଅନୁଭବ କରିଥାଏ । ଏଥିପାଇଁ ବ୍ୟାଙ୍କକୁ ଯାଇଥାଏ । କିନ୍ତୁ ବିତସ୍ପୃହ ହୋଇ ଫେରିଥାଏ । ସେ ବାଧ୍ୟ ହୋଇ ଘରୋଇ ମହାଜନର ସରଣ ପଶିଥାଏ । ମହାଜନର କବଜାରେ ପଡ଼ିବା ପରେ ସେ ବାଧ୍ୟ ହୋଇଥାଏ ଆତ୍ମହତ୍ୟା କରିବାକୁ । କାରଣ ଫସଲ ହାନୀ ଏବଂ ସର୍ବନିମ୍ନ ସହାକୟକ ମୂଲ୍ୟ ନ ପାଇବା ଫଳରେ ସେ ଆଉ ଋଣ ସୁଝିବା ଅବସ୍ଥାରେ ନଥାଏ । ଏଥିସହ ବିଭିନ୍ନ ସାମାଜିକ ଓ ଆର୍ôଥକ ବୋଝ ମଧ୍ୟ ତାହା ଉପରେ ରହିଥାଏ । ଅନ୍ୟ ଉପାୟ ନ ପାଇ ଶେଷରେ ସେ ଆତ୍ମହତ୍ୟା ପନ୍ଥା ବାଛିଥାଏ । ଏଣୁ କାଳିଆ ଯୋଜନା ଏଇଥିପାଇଁ କରାଯାଇଛି ଯେଉଁଥିରେ ଚାଷୀକୁ ପ୍ରତି ଫସଲ ପାଇଁ ୫ ହଜାର ଟଙ୍କା ଦିଆଯାଇଛି । ଘରୋଇ ମହାଜନ ପାଖକୁ ନଯାଇ ସେ ତାର ଚାଷ କାର୍ଯ୍ୟ କରିଚାଲିବ । ଏଥିରେ ଅର୍ଥ ଫେରସ୍ତ କି ସୁଧ ଦେବାର ବ୍ୟବସ୍ଥା ମଧ୍ୟ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଛନ୍ତି ।
ଏଥିରେ ସେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ, ଚାଷୀ ଋଣ ଓ ଫସଲ ହାନୀ ଯୋଗୁ ଓଡ଼ିଶାରେ ବି ଚାଷୀ ଆତ୍ମହତ୍ୟା କରୁଛନ୍ତି । ଏଣୁ ଏଥିରୁ ସେମାନଙ୍କୁ ରକ୍ଷା କରିବା ପାଇଁ କାଳିଆ ଯୋଜନା ରାଜ୍ୟ ସରକାର କରିଛନ୍ତି । କିନ୍ତୁ ଚାଷୀ ଆତ୍ମହତ୍ୟା କଥା ଆସିଲେ ରାଜ୍ୟ ସରକାର ବିଧାନସଭାରେ ଭିନ୍ନ ଉତ୍ତର ଦେଉଛନ୍ତି । କୌଣସି ଚାଷୀ ଫସଲହାନୀ କିମ୍ବା ଋଣ ବୋଝ ଯୋଗୁ ଆତ୍ମହତ୍ୟା କରୁନାହାଁନ୍ତି । ଯେଉଁ ଚାଷୀ ଆତ୍ମହତ୍ୟା କରୁଛନ୍ତି ସେମାନେ ପ୍ରେମଜନିତ, ପାରିବାରିକା କଳହ ଓ ଅନ୍ୟାନ୍ୟ ସାମାଜିକ ବୋଝ ଯୋଗୁ କରୁଥିବା ସରକାର ଦର୍ଶାଇ ଆସିଛନ୍ତି ।