OnaKhabar

ଜେଲରୁ ଫେରି ଅଫିସରଙ୍କ ମନରେ ଭୟ ସୃଷ୍ଟି କଲେ ବିଧାୟକ ମେହେର

77

ଭୁବନେଶ୍ୱର (ଓଏନଏ) : ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଜନସାଧାରଣଙ୍କ ସାମ୍ନାରେ ଉଠାବସା କରିବା ଘଟଣାରେ ଜେଲ ଯାଇ ଫେରିବା ପରେ ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର ଏବେ ଆକ୍ସନ ମୁଡରେ ଆସିଛନ୍ତି । ସେ ଦବି ନ ଯାଇ ଏବେ ଅଫିସରମାନଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀରେ ସାବାଡ଼ କରିବା ପାଇଁ ଏକ ପ୍ରକାର ଅଣ୍ଟା ଭିଡ଼ିଛନ୍ତି । ଜେଲରୁ ଆସିବା ପରେ ସେ ଜନସାଧାରଣଙ୍କ ଅଧିକ ବିଶ୍ୱାସଭାଜନ ହେବା ପାଇଁ ନୂଆ ପଦ୍ଧତି ଆରମ୍ଭ କରିଛନ୍ତି । ଏଥିରେ ତାଙ୍କ ନିର୍ବାଚନମଣ୍ଡଳୀରେ କୌଣସି ସରକାରୀ ଅଧିକାରୀ କିମ୍ବା ଜନ ପ୍ରତିନିଧି କିଛିବି କାମ ପାଇଁ ଲାଞ୍ଚ ମାଗିଲେ ସିଧା ତାଙ୍କୁ ଫୋନ କରି ଜଣାଇବାକୁ କହିଛନ୍ତି । ବିଧାୟକଙ୍କ ଏଭଳି ଆହ୍ୱାନ ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ଅପମାନର ପ୍ରତିଶୋଧ ନେବାପାଇଁ ଏବେ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି । କିନ୍ତୁ ଏହାଦ୍ୱାରା ନିର୍ବାଚନମଣ୍ଡଳୀରେ ଲୋକେ ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି ।
ହଠାତ ବିଧାୟକଙ୍କର ଏଭଳି ପରିବର୍ତ୍ତନ ପଛର କାରଣ ଜଣାପଡ଼ିଯାଉଛି ବୋଲି କୁହାଯାଉଛି । ଶ୍ରୀ ମେହେର ତାଙ୍କ ନିର୍ବାଚନମଣ୍ଡଳୀରେ ଏକ ରାସ୍ତା କାମକୁ ନେଇ ଜନସାଧାରଣଙ୍କ ସମ୍ମୁଖରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠାବସା କରିଥିଲେ ଓ କନିଷ୍ଠ ଯନ୍ତ୍ରୀଙ୍କୁ ସେଠାରେ ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯନ୍ତ୍ରୀ ଜଣଙ୍କ ଉଠାବସା ହେବା ଓ ମାଡ଼ ଖାଇବା ପରେ ଘରକୁ ନ ଫେରି କୁଆଡ଼େ ଚାଲି ଯାଇଥିଲେ । ଏହି ଉଠାବସା ଭିଡ଼ିଓ ଭାଇରାଲ ହେଲା ପରେ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ । ତାଙ୍କ ସ୍ୱାମୀ ଅପହୃତ ହୋଇଥିବା ଓ ବିଧାୟକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୁଲିସ ସହାୟତାରେ ଯନ୍ତ୍ରୀ ଫେରିବା ପରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ । ଶେଷରେ ଏହି ଘଟଣା ପାଇଁ ବିଧାୟକଙ୍କୁ ଗିରଫ ହୋଇ ଜେଲ ଯିବାକୁ ପଡ଼ିଥିଲା । ଜାମିନରେ ଏବେ ଫେରିବା ପରେ ସେ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଅଫିସରଙ୍କ ଉପରେ ପ୍ରତିଶୋଧ ନେବା ଓ ଲୋକଙ୍କର ନିକଟତର ହେବା ପାଇଁ ଏବେ ଲାଞ୍ଚ ବିରୋଧରେ ସ୍ୱର ଉଠାଇଛନ୍ତି । ତାଙ୍କ ପାଟଣାଗଡ଼ ନିର୍ବାଚନମଣ୍ଡଳୀରେ କୌଣସି ଅଧିକାରୀ ହିତାଧିକାରୀଙ୍କଠାରୁ କିଛି ବି କାମ ପାଇଁ ଲାଞ୍ଚ ବା ପିସି ନେଇ ପାରିବେ ନାହିଁ । ଯଦି କୌଣସି ଅଧିକାରୀ କିମ୍ବା ସରପଞ୍ଚ, ୱାର୍ଡ ମେମ୍ବର, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ କେହିବି କାମ ପାଇଁ ପଇସା ମାଗିଲେ ତାଙ୍କୁ ଜଣାଇବାକୁ ବିଧାୟକ ଆହ୍ୱାନ ଦେଇଛନ୍ତି । ବିଧାୟକ ଏହି ବିଷୟ ଏକ ଖୋଲା ସଭାରେ ଘୋଷଣା କରିଛନ୍ତି । ଏପରି କି ଦଲାଲି ବନ୍ଦ କରିବା ପାଇଁ ମଧ୍ୟ ସେ କହିଛନ୍ତି ।
ବ୍ଲକରେ ପିସି କାରବାର ଅଧିକ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ଏହାକୁ ବନ୍ଦ କରିବା ଓ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପିସି ଏପର୍ଯ୍ୟନ୍ତ ବନ୍ଦ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କେହି ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀମାନଙ୍କଠାରୁ ଅଫିସରମାନେ ପିସି ନେଉଛନ୍ତି । ଅବଶ୍ୟ ଦଲାଲଠୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ସେମାନେ ଅର୍ଥ ନେଉଛନ୍ତି । ଅଧିକାଂଶ କ୍ଷେତ୍ରରେ ଧରାପଡୁନାହାଁନ୍ତି । ଅନେକ ସମୟରେ ହିତାଧିକାରୀମାନେ ଲାଞ୍ଚ ଦେବାରେ ସମର୍ଥ ହେଉ ନ ଥିବାରୁ ଯୋଜନା ତାଲିକାଭୁକ୍ତ ହୋଇପାରୁନାହିଁ । ବିଧାୟକ ଶ୍ରୀ ମେହେର ସଭାରେ ଖୋଲାଖୋଲି ଅଫିସରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଯେ, ପାଟଣାଗଡ଼ରେ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ ହେଉଛି ବା ହବାକୁ ଯାଉଛି ଏଥିରେ କୌଣସି ହିତାଧିକାରୀଙ୍କଠାରୁ କେହି ଟଙ୍କାଟିଏ ପିସି ନେଇ ପାରିବେ ନାହିଁ । ଦୁର୍ନୀତିଖୋର ଅଫିସରମାନଙ୍କୁ ସାବାଡ଼ କରିବା ପାଇଁ ବିଧାୟକଙ୍କ ଏଭଳି ତାଗିଦ ଅଫିସରଙ୍କ ମନରେ ଛନକା ପସିଛି ।