OnaKhabar

ମନ୍ତ୍ରୀଙ୍କୁ ବି ଗୁରୁମନ୍ତ୍ର : ଲୋକଙ୍କ ସହ ମିଶ

0 17

ଭୁବନେଶ୍ୱର (ଓଏନଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ସବୁ ମନ୍ତ୍ରୀଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି । ବିଧାୟକଙ୍କ ପରେ ଏବେ ପାଳି ପଡ଼ିଛି ମନ୍ତ୍ରୀମାନଙ୍କର । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନବୀନ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ । “୫-ଟି”ଅନୁସାରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଲୋକଙ୍କ ସହ ପ୍ରତ୍ୟେକ୍ଷଭାବେ ମିଶିବା ପାଇଁ ସବୁ ମନ୍ତ୍ରୀଙ୍କୁ କହିଛନ୍ତି । କୁହାଯାଇଛି ନବୀନଙ୍କ ଏହି ପଦକ୍ଷେପ ପଛରେ ରାଜନୀତିକ କାରଣ ରହିଛି । ଏଥର ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ସଂଖ୍ୟା ହ୍ରାସ ହେବା ଘଟଣାକୁ ନବୀନ ସହଜରେ ଗ୍ରହଣ କରିପାରିନାହାଁନ୍ତି । ଅନ୍ୟପଟରେ ବିଜେପି ଯେଉଁଭଳି ଭାବରେ ପ୍ରବେଶ କରିବା ଆରମ୍ଭ କରିଛି ତାହା ମଧ୍ୟ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଆଗାମୀ ନିର୍ବାଚନରେ ପୁଣି କ୍ଷମତାକୁ ଆସିବା ଲକ୍ଷ୍ୟ ରଖି ସେ ଏବେଠାରୁ ତାଙ୍କ ରାଜନୀତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା କଥା କୁହାଯାଉଛି । ଭବିଷ୍ୟତ ଆଶଙ୍କାକୁ ଦେଖି ବର୍ତ୍ତମାନଠୁ ସେ ପ୍ରସ୍ତୁତ ହେବା ପାଇଁ ଉଦ୍ୟମ କରୁଛନ୍ତି ।
ନିକଟରେ କିଛିଦିନ ତଳେ ଦଳୀୟ ବିଧାୟକମାନଙ୍କୁ ଡାକି ଲୋକଙ୍କ ସହ ସମ୍ପର୍କ ରଖିôବା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଅବଶ୍ୟ ଏହି ବୈଠକରେ ମନ୍ତ୍ରୀମାନେ ସାମିଲ ଥିଲେ । ହେଲେ ଏବେ ମନ୍ତ୍ରୀମାନଙ୍କ ବୈଠକ ସ୍ୱତନ୍ତ୍ର ଭାବେ ଡାକି ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ତୃଣମୂଳସ୍ତରକୁ ଯାଇ ଲୋକଙ୍କୁ ଭେଟି ସେମାନଙ୍କ ସହ ସମ୍ପର୍କ ରଖିବା ଓ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକଙ୍କ ସହ ସମ୍ପର୍କ ରଖିଲେ ସେମାନଙ୍କର ବିଶ୍ୱାସ ବଢ଼ିବ । ଫଳରେ ଲୋକଙ୍କ ପାଖରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପହଂଚୁଛି କି ନାହିଁ ତାହା ଜାଣିପାରିବ । ମନ୍ତ୍ରୀମାନେ ଗାଁକୁ ଗସ୍ତକଲେ ନିଜ ବିଭାଗର କାର୍ଯ୍ୟ କିଭଳି ଚାଲିଛି ତାହା ମଧ୍ୟ ଜାଣିପାରିବେ । ବିଭାଗୀୟ କାର୍ଯ୍ୟମଧ୍ୟ ତଦାରଖ କରିପାରିବେ । ଏପରି କି ନିଜ ବିଭାଗର କାର୍ଯ୍ୟ କିପରି ଚାଲିଛି ତାହା ଜାଣିବା ପାଇଁ ଅଚାନକ ଗସ୍ତକର । ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଅ । ଲୋକଙ୍କୁ ଗୁରୁତ୍ୱ ଦିଅ ଓ ଲୋକଙ୍କ ପାଇଁ କାମକର । ଏ ହେଉଛି ନବୀନଙ୍କ ମନ୍ତ୍ର । ଏଥିସହ “୫-ଟି” କଥା ମଧ୍ୟ ଉଠାଇଛନ୍ତି । ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରାନ୍ସି, ଟ୍ରାନ୍ସଫର୍ମେସନ ଓ ଟାଇମ ଉପରେ ଗୁରୁତ୍ୱ ଦେବାକୁ ନବୀନ କହିଛନ୍ତି ।
୨୦୧୪ ନିର୍ବାଚନରେ ବିଜେଡି ୧୧୭ ବିଧାନସଭା ଓ ୨୦ ଲୋକସଭା ଆସନ ପାଇଥିଲା । ୨୦୧୯ ନିର୍ବାଚନରେ ୧୧୨ ବିଧାନସଭା ଓ ୧୨ଟି ଲୋକସଭା ଆସନ ପାଇଲା । ବିଧାନସଭା ନିର୍ବାଚନରେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ବିଶେଷ ଭାବେ କାମ କରି ନ ଥିଲେ ବି ଲୋକସଭା ନିର୍ବାଚନରେ କାର୍ଯ୍ୟ କରିଛି । ଯାହା ଫଳରେ ୧ରେ ଥିବା ବିଜେପିର ସାଂସଦ ସଂଖ୍ୟା ୮ରେ ପହଂଚିଲା । ଭବିଷ୍ୟତରେ ଏହା ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ଦେଖାଯାଉଛି । ବିଜେପି କେନ୍ଦ୍ରରେ ପୁଣି କ୍ଷମତାସୀନ ହୋଇଛି । ଏଣୁ ଓଡ଼ିଶା ଦଖଲ କରିବା ନେଇ ଦଳୀୟ ନେତାମାନଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହା ଏଥର ପୁରଣ ହୋଇ ନ ଥିବାରୁ ଆସନ୍ତାଥରକୁ ହୁଏତ ହୋଇପାରେ । ବିଜେପି ଲୋକସଭାରେ ୮ ଆସନ ପାଇଥିଲା ବେଳେ ବିଧାନସଭାରେ ୧୦ରୁ ୨୩କୁ ବଢ଼ିଛି । ଓଡ଼ିଶାରେ ବିଜେପିର ଅଭିବୃଦ୍ଧି ଘଟିଛି । ଏହାକୁ ଦୃଷ୍ଟିରେ ରଖି ନବୀନ ଷଷ୍ଠପାଳିରେ କ୍ଷମତାକୁ ଆସିବା ପାଇଁ ଲକ୍ଷ୍ୟ ରଖିଥିବାରୁ ଏବେଠାରୁ ସତର୍କତା ଅବଲମ୍ବନ କରିବାକୁ ନବୀନ ଉଚିତ ମନେ କରିଛନ୍ତି ।
ତାଙ୍କର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସହ ଯଦି ସବୁଦଳୀୟ ବିଧାୟକ ମନ୍ତ୍ରୀ ଓ ନେତାମାନେ ଉତ୍ତ ସମ୍ପର୍କ ରଖିଥିଲେ ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ଥିବେ ଏବଂ ବିଶ୍ୱାସଭାଜନ ହୋଇପାରିଥିବେ ତେବେ ବିଜେଡି ପୁଣି ଅଧିକ ଆସନରେ କ୍ଷମତାକୁ ଫେରିବ । ନବୀନ ହାୱା ବ୍ୟତୀତ ସେ ଲୋକସଭା ହେଉ କି ବିଧାନସଭା ହେଉ କେଉଁଥିରେ ମୋଦି କିମ୍ବା ଅନ୍ୟ କାହାରି ହାୱା କାମ କରିବ ନାହିଁ । ସେଥିପାଇଁ ସବୁବେଳେ ନବୀନ ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଥିବା କଥା ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Leave A Reply

Your email address will not be published.