OnaKhabar

ବିଜୟଙ୍କ ରଥର ସାରଥୀ ପ୍ରତାପ ନନା

77

ଭୁବନେଶ୍ୱର (ଓଏନଏ) : ପାଟକୁରା ନିର୍ବାଚନ ନେଇ ଏବେ ରାଜନୀତି ସରଗରମ ହୋଇଛି । ବିଜେଡିକୁ ପୁରାଟକ୍କର ଦେବାପାଇଁ ବିଜେପି ସମସ୍ତ ପ୍ରସ୍ତୁତି ଚଳାଇଛି । ବିଜୟଙ୍କୁ ଜିତାଇବା ପାଇଁ ବିଜେପି ପୁରା ଦମରେ ଲାଗି ପଡ଼ିଛି । ବିଜୟଙ୍କ ବିଜୟ ରଥର ସାରଥୀ ଏବେ ସାଜିଛନ୍ତି ଦେଶର ବହୁ ଚର୍ଚ୍ଚିତ ନେତା ସାଜିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପାଟପୁରା ନିର୍ବାଚନମଣ୍ଡଳୀରେ ପ୍ରତାପ ନନାଙ୍କୁ ଧରି ବିଜୟ ଏବେ ଘୁରି ବୁଲୁଛନ୍ତି । ପୂର୍ବରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସାରଥୀ କରିଥିଲେ । ତାଙ୍କୁ ତାଙ୍କ ପ୍ରଚାର ରଥରେ ଧରି ବୁଲୁଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜୟଙ୍କ ପ୍ରଚାରରେ ସାରଥୀହେବାକୁ ଆସୁଛନ୍ତି । ବିଜୟ ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ୨୪ରେ ଭୋଟ ଗଣତି ପରେ ଜଣାପଡ଼ିବ ବିଜୟଙ୍କ ଭାଗ୍ୟ କିଭଳି ଭାବରେ ପାଟକୁରାବାସୀ ନିର୍ଦ୍ଧାରଣ କରିଛନ୍ତି ।
ଓଡ଼ିଶା ବିଧାନସଭା ଭିତରକୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବେଶ କରାଇ ଦେଉନାହାଁନ୍ତି ବିଜୟଙ୍କୁ । ନବୀନ ସବୁ ପ୍ରକାର ଉଦ୍ୟମ କରି ବିଜୟଙ୍କ ବାଟକୁ ଅଟକାଇ ରଖିଛନ୍ତି । ୨୦୦୦ ମସିହାରୁ ବିଜୟ ଆଉ ବିଧାନସଭା ମାଡ଼ିପାରୁନାହାଁନ୍ତି । ଏଥର ବିଧାନସଭାକୁ ଆସିବା ପାଇଁ ସେ ବହୁ ଆଶାବାନ୍ଧିଥିଲେ । କିନ୍ତୁ ପ୍ରଥମେ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ଓ ପରେ ବାତ୍ୟା ଫନୀ ଯୋଗୁ ନିର୍ବାଚନ ହୋଇପାରିଲା ନାହିଁ । ଏଣୁ ତାଙ୍କ ଜିତିବା ଆଶା ଅଟକି ରହିଛି । ବିଜୟଙ୍କ ପାଇଁ ଏ ନିର୍ବାଚନ ଶେଷ ବୋଲି ଦଳୀୟ ନେତାମାନେ କହୁଛନ୍ତି । ଏ ନିର୍ବାଚନରେ ଯଦି ବିଜୟ ହାରିଯାଆନ୍ତି ତେବେ ଆଉ ନିର୍ବାଚନ ରାଜନୀତିକୁ ସେ ଆସିବେ ନାହିଁ ଏଭଳି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି । ବିଜୟଙ୍କ ପାଇଁ ଏହା ଶେଷ ନିର୍ବାଚନ ହୋଇଥିବାରୁ ସେ ଜିତିବା ନେଇ ସବୁ ଉଦ୍ୟମ ଚଳାଇଛନ୍ତି । ଜଣେ ବରିଷ୍ଠ ରାଜନେତା ହୋଇଥିଲେ ବି ସେ ଏବେ ଅନ୍ୟମାନଙ୍କ ସହାୟତାରେ ପ୍ରଚାର କାର୍ଯ୍ୟରେ ଘୁରି ବୁଲୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ଜାତୀୟସ୍ତରରେ ମୁଖ୍ୟ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଛନ୍ତି । ଜଣେ ସଚ୍ଚୋଟ, ସାଧୁ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ରାଜନେତାଭାବେ ସମଗ୍ର ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସୋଶାଲ ମିଡ଼ିଆରେ ସେ ଏବେ ହିରୋ ହୋଇଛନ୍ତି । ଏଣୁ ପ୍ରତାପ ନନାଙ୍କୁ ଧରି ବିଜୟ ପାଟକୁରା ଜୟ କରିବା ପାଇଁ ବୁଲୁଛନ୍ତି । ପ୍ରତାପଙ୍କୁ ଦେଖିôବା ପାଇଁ ଓ ତାଙ୍କ ସମ୍ପର୍କରେ ଜାଣିବା ପାଇଁ ଲୋକେ ବି ଭିଡ଼ ଜମାଉଛନ୍ତି । ବିଜୟଙ୍କୁ ଜିତାଇବା ପାଇଁ ସେ ମଧ୍ୟ ଦିନରାତି ଲାଗିପଡ଼ିଛନ୍ତି । ସେ ଚାରିଆଡ଼େ ବୁଲି ବିଜୟଙ୍କୁ ଭୋଟ ଦେବା ପାଇଁ ପାଟକୁରାବାସୀଙ୍କୁ ନିବେଦନ କରୁଛନ୍ତି । ବର୍ଷା ସତ୍ତେ୍ୱ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରଚାର ଜାରି ରଖିଛନ୍ତି । ସେ ମଧ୍ୟ ନିଆରା ଢ଼ଙ୍ଗରେ ପ୍ରଚାର ଚଳାଇଛନ୍ତି । ଲୋକଙ୍କୁ ବିଜୟଙ୍କ ସପକ୍ଷରେ ପ୍ରବର୍ତ୍ତାଇବାରେ ଲାଗିଛନ୍ତି ।
ପାଟକୁରାବାସୀ କଣ ନିର୍ଣ୍ଣୟ ନେଉଛନ୍ତି ତାହା ଭବିଷ୍ୟତ କହିବ । କିନ୍ତୁ ନେତାମାନଙ୍କର ଭିଡ଼ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନିଜେ ୧୭ ତାରିଖରେ ପ୍ରଚାରକୁ ଯାଉଛନ୍ତି । ସେ ବିଜୟଙ୍କ ବାଟ ରୋକିବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ପାଟକୁରାରେ ରୋଡ ସୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦେବାପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବେ । କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜିତିବେ ବୋଲି ପ୍ରାୟ ସମସ୍ତେ କହୁଥିଲେ । ହେଲେ କେନ୍ଦ୍ରାପଡ଼ାରେ ଦୁଇ ଦିନ ରହି ନବୀନ ଦଳୀୟ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ସପକ୍ଷରେ ପ୍ରଚାର କଲାପରେ ସବୁ କିଛି ବଦଳିଯାଇଥିଲା । ଲୋକେ ନବୀନଙ୍କ ଉପରେ ଭରଷା କରି ବୈଜୟନ୍ତଙ୍କୁ ମୁହଁମୋଡ଼ିଥିଲେ । ଏଣୁ ପାଟକୁରାରେ ଯେତେବେଳେ ନବୀନ ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଓହ୍ଲାଇବେ ସେତେବେଳେ ବିଜୟଙ୍କ ବିଜୟ ଆଶା କେତେଦୂର ସଫଳ ହେବ ସେ ନେଇ ମଧ୍ୟ ଆଶଙ୍କା ରହିଛି । ହେଲେ ବିଜେପି ନେତାମାନେ ଏବେ ପୁରା ନିର୍ବାଚନମଣ୍ଡଳୀରେ ଛାଇ ହୋଇ ରହିଲେଣି ।