OnaKhabar

୧୭ରେ ପାଟକୁରା ଯିବେ ନବୀନ, କ’ଣ କହିବେ ବିଜେପି ବିରୋଧରେ…

0 16

ଭୁବନେଶ୍ୱର (ଓଏନଏ): ପାଟକୁରା ବିଧାନସଭା ନିର୍ବାଚନ ନେଇ ରାଜନୀତିକ ବାତାବରଣ ବେଶ ଉଷ୍ମ ରହିଛି । ବିଜେପି-ବିଜେଡି ଭିତରେ କଥା କଟାକଟି ବି ଚାଲିଛି । ବିଜେପି କହୁଛି ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ବିଜେଡି ନେତାମାନେ ଚାହୁଁଛନ୍ତି ଓ ତାଙ୍କ ପାଇଁ କାମ କରୁଛନ୍ତି । ବିଜେଡି କହୁଛି ବିଜେପି ଚାହୁଁଛି ବିଜେଡି ପ୍ରାର୍ଥୀ ଜିତନ୍ତୁ । ଏହି ପରି ପରସ୍ପର ବିରୋଧୀ କଥା କହୁଛନ୍ତି । ହେଲେ ପାଟକୁରାରେ ଉଭୟ ଦଳର ନେତାମାନେ ଡେରା ପକାଇ ରହି ପ୍ରଚାର ଚଳାଇଛନ୍ତି । ଆସନ୍ତା ୧୭ ତାରିଖରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ । ୧୭ ଓ ୧୮ ଦୁଇଦିନ ପ୍ରଚାର କରିବେ ବୋଲି କୁହାଯାଉଛି । ଗୋଟିଏ ନିର୍ବାଚନମଣ୍ଡଳୀରେ ଭୋଟ ହେଉଥିଲେ ମଧ୍ୟ ନବୀନ ଏହାକୁ ହାଲୁକା ଭାବେ ନେଉ ନାହାଁନ୍ତି ।
ରାଜ୍ୟ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନେଇ ବସିଛନ୍ତି ପାଟକୁରାରେ ନିର୍ବାଚନ ପ୍ରଚାରକୁ ନବୀନ କେବେ ଯିବେ ଓ କଣ କହିବେ । କାରଣ ରାଜ୍ୟସଭା ନିର୍ବାଚନ ପରେ ଯେଉଁ ନୂତନ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି । ଉଭୟ ଦଳ ମଧ୍ୟରେ ସେ କ୍ଷେତ୍ରରେ ନବୀନ ସାଧାରଣ ନିର୍ବାଚନ ସମୟରେ ଯେଉଁଭଳି ଭାବରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିଲେ ସେହି ସ୍ୱର ରହୁଛି କି ନାହିଁ । କେନ୍ଦ୍ରୀୟ ଅବହେଳା ଓ ବିଜେପି ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ନବୀନ ଯେଉଁ ନାରା ଦେଇଚାଲିଥିଲେ ତାହା ପାଟକୁରା ପ୍ରଚାରରେ ପ୍ରତିଫଳିତ ହେଉଛି କି ନାହିଁ ତାହା ମଧ୍ୟ ଦେଖିବା କଥା । କେବଳ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ନବୀନ ସମର୍ଥନ ଦେବା କଥା ନୁହେଁ, କେନ୍ଦ୍ର ବଜେଟକୁ କଠୋର ଭାଷାରେ ସମାଲୋଚନା କରିବାରୁ ମଧ୍ୟ ଦୂରେଇ ରହିଲେ । ଏପରି କି ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିଲେ ବି ବିଜେଡି ପ୍ରତିବାଦ ସ୍ୱର ନ ଉଠାଇ ନୀରବ ରହିଛି । ପୋଲାଭରମ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ପଦକ୍ଷେପକୁ ଏଥର ଆଉ ସେପରି ବିରୋଧ ବିଜେଡି ପକ୍ଷରୁ କରାଗଲା ନାହିଁ । ଏ ସବୁ ପୃଷ୍ଠଭୂମିରେ ଦେଖô୍ବାକୁ ଗଲେ ବିଜେପି ପ୍ରତି ବିଜେଡି ନରମ ଆଭିମୁଖ୍ୟ ଗ୍ରହଣ କରିଛି । ଏଣୁ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ଏ ଦିଗରେ ଅଧିକ ଗୁରୁତ୍ୱ ବହନ କରୁଛି ।
ଇତିମଧ୍ୟରେ ଦୁଇ ଦଳଙ୍କ ଭିତରେ ବୟାନବାଜି ଜାରି ରହିଛି । ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ପାଟକୁରାକୁ ଯେଉଁ ବିଜେଡି ନେତାମାନେ ଆସୁଛନ୍ତି ସେମାନେ ସମସ୍ତେ ଚାହୁଁଛନ୍ତି ବିଜୟ ମହାପାତ୍ର ଜିତନ୍ତୁ । ବିଜେପିର ଏଭଳି ବୟାନ ଆସିଲା ପରେ ବିଜେଡିର କେନ୍ଦ୍ରପଡ଼ା ଜିଲ୍ଲାସଭାପତି କିଶୋର ତରାଇ ପାଲଟା ଅଭିଯୋଗ କରିଥିଲେ । ସେ କହିଥିଲେ ବିଜେପି ନେତାମାନେ ଚାହୁଁଛନ୍ତି ପାଟକୁରାରେ ବିଜେଡି ଜିତୁ । ଏ କ୍ଷେତ୍ରରେ ଉଭୟ ଦଳ ପରସ୍ପରକୁ ଅଡୁଆରେ ପକାଇବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଜିତିବା ଲାଗି ଦାବି କରୁଛନ୍ତି । ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳଗୁଡ଼ିକ ଲାଗିଛନ୍ତି ।
ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ପାଟକୁରା ଦଖଲ ଲକ୍ଷ୍ୟରେ ସେଠାରେ ଡେରା ପକାଇ ରହିଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଅରୁଣ ସାହୁଙ୍କ ସମେତ ଦଳର ବହୁ ବିଧାୟକ ପାଟକୁରା ଦାୟିତ୍ୱରେ ଅଛନ୍ତି । ବ୍ଲକ ଓ ପଞ୍ଚାୟତ ବାଣ୍ଟି ନେଇ ପ୍ରଚାର ଚଳାଇଛନ୍ତି । ଦୈନିକ ରଣକୌଶଳ ନିର୍ଦ୍ଧାରଣ ମଧ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନିକଟରେ ପାଟକୁରା ଦାୟିତ୍ୱରେ ଥିବା ନେତାମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିସାରିଛନ୍ତି । ଏହି ଆଲୋଚନାରେ ନବୀନଙ୍କ ପ୍ରଚାର ଲାଗି ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁସାରେ ନବୀନ ୧୭ରେ ପାଟକୁରା ଯିବେ ଓ ରୋଡ ସେ କରିବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ ସେ କଣ ମତ ରଖୁଛନ୍ତି ତାହା ଉପରେ ନଜର ରହିଛି ।

Leave A Reply

Your email address will not be published.