OnaKhabar

ଆଜି ହେଉଛି ହେରାପଞ୍ଚମୀ, ଅଭିମାନ କରିଛନ୍ତି ଦେବୀ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ | ମା’ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ମାଉସୀ ମା’ ଘରେ ଜନ୍ମବେଦୀରେ ଭାଇ ଭଉଣୀଙ୍କୁ ଧରି ଲୀଳାଖେଳା କରୁଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଯେଉଁଥିପାଇଁ କ୍ରୋଧରେ ଜର୍ଜରିତ ହୋଇ ରହିଛନ୍ତି ଦେବୀ ମହାଲକ୍ଷ୍ମୀ । ତେଣୁ ଆଜି ପବିତ୍ର ହେରାପଞ୍ଚମୀରେ ନନ୍ଦିଘୋଷ ରଥ ଭାଙ୍ଗିବାକୁ ଆସିବେ ଠାକୁରାଣୀ । ରାତି ପ୍ରାୟ ୯ ଘଟିକା ସମୟରେ ଏହି ଅପୂର୍ବ ନୀତି ଅନୁଷ୍ଠିତ ହେବାର ସୂଚନା ରହିଛି । ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ ଲକ୍ଷ୍ମୀ ମହାରାଣୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ମହାଲକ୍ଷ୍ମୀ ବାଟ ଓଗାଳି ଥାଆନ୍ତି । ଏହାକୁ ଲକ୍ଷ୍ମୀ ନାରାୟଣ ବୋଲି କୁହାଯାଏ ।