OnaKhabar

ଏବେ ଧର୍ମେନ୍ଦ୍ର ଆଶ୍ୱସ୍ଥ

0 1

ଭୁବନେଶ୍ୱର (ଓଏନଏ) : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଏବେ ବେଶ ଆଶ୍ୱସ୍ଥ । ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେଡି ସ୍ୱର ନରମି ଯାଇଛି । ବିଜେଡିର ଆଉ ସେ ବିଜେପି ବିରୋଧୀ ଆଭିମୁଖ୍ୟ ନାହିଁ । ବିଜେପି ପ୍ରତି ପୂର୍ବର ଅସୂୟା ମନୋଭାବ ମଧ୍ୟ ଆଉ ନାହିଁ । ଫଳରେ ବିଜେଡି ସମ୍ପୂର୍ଣ୍ଣ ଭାବରେ ବିଜେପି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛି ବୋଲି କୁହାଯାଉଛି । ନଚେତ ଏବେ ଯେପରି ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି ଏବଂ ବଜେଟରେ ଓଡିଶାକୁ କୌଣସି ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା କରାଯାଇନାହିଁ ସେଥିରେ ବିଜେଡି ଚୁପ ହୋଇ ବସି ନଥାନ୍ତା । ରାଜନୀତିକ ବାତାବରଣ ଏତେ ବେଳକୁ ଉଠୁଥାନ୍ତା ପଡୁଥାନ୍ତା । କେତେ ଯେ କୁଶପତ୍ତଳିକା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦାହା ହେଉଥାନ୍ତା ତାହାର କିଛି ତୁଳନା ନାହିଁ ବୋଲି ଆଲୋଚନା ହେଉଛି ।
ଏବେ ଚର୍ଚ୍ଚା ହେଉଛି ବିଜେପି-ବିଜେଡି ଭିତରେ ଆପୋଷ ବୁଝାମଣା ଭିତ୍ତିରେ ରାଜନୀତି ଚାଲିଛି । କେହି କାହାକୁ ଆଉ କଠୋର ଶବ୍ଦ ପ୍ରୟୋଗ କରିବା ଦେଖାଯାଉନାହିଁ । ରାଜ୍ୟସଭା ନିର୍ବାଚନ ପରେ ଉଭୟ ଦଳ ଭିତରେ ଥିବା ତିକ୍ତତା ପ୍ରାୟ ଦୂରେଇ ଯାଇଛି । ନହେଲେ ଏତେ ବେଳକୁ ବିଜେପିକୁ ଘେରି ବିଜେଡି ନେତାମାନେ କେତେ କଣ ମତ ରଖୁଥାନ୍ତେ ଓ ଗାଳଗୁଲଜ କରିଥାନ୍ତେ ତାହାର ଠିକଠିକଣା ନଥାନ୍ତା । ବିଶେଷକରି ଏହି ଘଟଣାରେ ବିଜେଡିର ଅଧିକ ଶରବ୍ୟ ହୋଇଥାନ୍ତେ ଧର୍ମେନ୍ଦ୍ର । ତାଙ୍କୁ ବିଜେଡି ନେତାମାନେ ଆଉ ରଖେଇ ଥୋଇ ଦେଇ ନଥାନ୍ତେ । କାରଣ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ମୂଲ୍ୟ ୫ ପଇସାରୁ ୭ ପଇସା ବୃଦ୍ଧି ପାଉଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରୁଥିଲା ବିଜେଡି । ରାଜ୍ୟବ୍ୟାପି ଆନ୍ଦୋଳନ କରିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରୁଥିଲା । ଏପରିକି ତାଙ୍କୁ ଓଡିଶା ବିରୋଧୀ ଓ ଜନବିରୋଧୀ ବୋଲି ପ୍ରତିବାଦିତ କରିବା ପାଇଁ ଉଦ୍ୟମ କରୁଥିଲା । ହେଲେ ଏବେ ସବୁକିଛି ବଦଳି ଯାଇଛି । ଏଥର ବଜେଟ ପରେ ଲିଟର ପିଛା ୨.୫୦ ପଇସା ଯାଏ ତୈଳ ଦର ବୃଦ୍ଧି ଘଟିଛି । ହଠାତ ଏତେ ପରିମାଣର ବୃଦ୍ଧି ନିଶ୍ଚିତ ଭାବରେ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିଛି । ଏହା ସତ୍ତେ୍ୱ ବି ବିଜେଡି ନୀରବ ରହିଛି ।
ଏଥର ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାହ୍ୟ ରାଜ୍ୟର ମାନ୍ୟତାର ଏକ ବିକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ଏଥିରେ ସ୍ୱତନ୍ତ୍ର ପାହ୍ୟ ରାଜ୍ୟର ମାନ୍ୟତାରେ ଯେଉଁ ସବୁ ସୁବିଧା ସୁଯୋଗ ଓ ଅନୁଦାନ ମିଳେ ତାହା ଯୋଗାଇ ଦେବାକୁ ଦାବୀ ରଖିଥିଲେ । ସ୍ୱତନ୍ତ୍ର ପ୍ୟାକେଜ ଦେବା ପାଇଁ କହିଥିଲେ । କିନ୍ତୁ ବଜେଟରେ ଓଡିଶା ପାଇଁ ଏଭଳି କୌଣସି ବ୍ୟବସ୍ଥା ରଖାଯାଇ ନାହିଁ । ଏହା ସତ୍ତେ୍ୱ ବି ନବୀନ କେନ୍ଦ୍ର ବଜେଟକୁ କଡା ସମାଲୋଚନା କଲେ ନାହିଁ । “ଦାନ୍ତୁରା ହସୁଛି କି କାନ୍ଦୁଛି ଯେପରି ଜଣା ପଡେ ନାହିଁ” ଠିକ ସେହି ଢଙ୍ଗରେ ନବୀନ ତାଙ୍କ ବଜେଟ ପ୍ରତିକ୍ରିୟା ରଖିଲେ । ଏପରିକି ଆଉ କେନ୍ଦ୍ର ବିରୋଧୀ ନାରା ମଧ୍ୟ ନାହିଁ । ଯାହା କେନ୍ଦ୍ର କଲେ ବି ସବୁରେ ମାପିଚୁପି ମତ ରଖୁଛନ୍ତି ।
କୁହାଯାଉଛି ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତାଶୀନ ହେବା ପରେ ମୋଦି ଏପିରି କିଛି ଚାଲ ଚଳାଇଛନ୍ତି ଯେଉଁଥିରେ ବିଜେଡି ଆଉ ପାଟି ଖୋଲୁ ନାହିଁ । “ଯୋକ ମୁହଁରେ ଲୁଣ ଦେଲା” ଭଳି ବିଜେଡି ପଡିରହିଛି । ବିଜେଡି ନେତାମାନଙ୍କର ଆଉ ପାଟି ଖୋଲୁ ନାହିଁ । ଅନ୍ୟପଟରେ ବିଜେପି ଯାହା ମାଗୁଛି ବା କହୁଛି ତାହା ବିଜେଡି କରୁଥିବା ଦେଖାଯାଉଛି । ଏଣୁ ମୋଦିଙ୍କ ଏଥର ଗୋଟି ଚାଳନା ଦଳ ତଥା ଧର୍ମେନ୍ଦ୍ରଙ୍କୁ ରାଜ୍ୟରେ ବିଜେଡି ଆକ୍ରମଣରୁ ରକ୍ଷା କରିଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.