OnaKhabar

ପାଟକୁରାକୁ ନେଇ ଚାଲିଛି ବାକଯୁଦ୍ଧ

0 0

ଭୁବନେଶ୍ୱର: ପାଟକୁରା ବିଧାନସଭା ପାଇଁ ନିରାବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଚଳଚଞ୍ଚଳ ହୋଇଛି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭାକୁ ଆସିବାରେ ବାଟ ବନ୍ଦ ରଖି ଚାଲିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହା ଭିତରେ ବିଜେପି – ବିଜେଡି ରାଜନୀତିକ ସମ୍ପର୍କରେ ପରିବର୍ତ୍ତନ ଆସିଥିବା ବିଷୟକୁ ଲକ୍ଷ୍ୟ କରି କଂଗ୍ରେସ ବାଣ ମାରିଛି । ଉଭୟ ଦଳ ମଧ୍ୟରେ ମ୍ୟାଚ ଫିକ୍ସିଂ ହୋଇଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମତ ରଖିଛନ୍ତି । ଏଥିରେ ପ୍ରାଥୀ ବିଜୟ ପ୍ରତିକ୍ରିୟା ରଖି କହିଛନ୍ତି, ନବୀନ ବାବୁ ରାଜ୍ୟସଭାରେ ଯେପରି ବିଜେପିକୁ ସର୍ମଥନ କଲେ ସେହିପରି ପାଟକୁରାରେ କରୁନାହାନ୍ତି କାହିଁକି । ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ ଏକ ପୁରୁଣା କଥା ଉଠାଇ ନବୀନଙ୍କୁ କଟାକ୍ଷ କରିଛନ୍ତି । ବିଜୁବାବୁ ବିଜୟଙ୍କୁ ପାଟକୁରାରୁ ତାଙ୍କ ପ୍ରତିନିଧି ଭାବେ ଛିଡା କରାଇଥିଲା ବେଳେ ଏବେ ନବୀନ ବାବୁ ବିଜୟଙ୍କୁ ୨୦ ବର୍ଷ ହେଲା ବିଧାନସଭାକୁ ଆସିବାକୁ ଦେଉ ନାହାନ୍ତି । ଫଳରେ ପାଟକୁରା ନିର୍ବାଚନକୁ ନେଇ ରାଜନୈତିକ ବୟାନ ବାଡି ଆରମ୍ଭ ହୋଇଛି ।
ପାଟକୁରା ନିର୍ବାଚନ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମତକୁ ନେଇ ବିବାଦ ଦେଖାଦେଇଛି । ଶ୍ରୀ ବାହିନୀପତି ବିଜେଡି- ବିଜେପିକୁ ସମାଲୋଚନା କରି କହିଛନ୍ତି ପାଟକୁରାରେ ଦୁଇ ଦଳ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ଲଢୁଛନ୍ତି । ଉଭୟଙ୍କ ମଧ୍ୟରେ ମ୍ୟାଚ ଫିକ୍ସିଂ ହୋଇଛି । ବିଜୟ ମହାପାତ୍ରଙ୍କୁ ବକରା ବନା ଯାଇଛି । ସେଠି ଡ୍ରାମା ଚାଲିଛି । ନବୀନ ବାବୁ ଚାହୁଁଛନ୍ତି ବିଜୟ ମହାପାତ୍ର ବିଧାନସଭା ନ ଆସନ୍ତୁ । ସାଧାରଣ ନିର୍ବାଚନ ସମୟରେ ଉଭୟ ପରସ୍ପର ବିରୋଧରେ କହୁଥିଲେ । କିନ୍ତୁ ଭଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା । ଏବେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି ।
ବିଜୟ ପ୍ରତିକ୍ରିୟା ରଖି କହିଛନ୍ତି, ପାଟକୁରାରେ ସ୍ୱାଭିମାନର ଲଢେଇ ହେଉଛି । ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା ଯେ ତାରା ଏପରି କହୁଛନ୍ତି । ବିଜେଡି ତା ବାଟରେ ଲଢୁଛି, ବିଜେପି ମଧ୍ୟ ବାଟରେ ଲଢୁଛି । କୌଣସି ବିଧାନସଭାରେ ଫିକ୍ସଂ ହୁଏ କି ? ନବୀନ ବାବୁ ରାଜ୍ୟସଭାରେ ବିଜେପିକୁ ସର୍ମଥନ କଲେ, ପାଟକୁରାରେ ସେପରି କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପାଟକୁରାରେ ବିଜେଡିର ବହୁ ନେତା ପ୍ରଚାର କରୁଥିବା କୁହାଯାଉଛି । ପାଟକୁରାରେ ଗାଁ ଗହଳିରେ କେହି ବିଜେଡି ନେତାଙ୍କୁ ଦେଖିବାକୁ ମିଳୁନାହିଁ ବୋଲି ବିଜୟ ମତ ରଖିଛନ୍ତି ।
ବରିଷ୍ଠ ନେତା ଡା. ରାଉତ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଲୋକେ ନବୀନଙ୍କୁ ନୁହେଁ, ବ୍ୟୁରୋକାର୍ଟକୁ ଭୋଟ ଦେଉଛନ୍ତି । ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି । ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ । ବିଜୟଙ୍କୁ ନବୀନଙ୍କ ସମେତ ପୂରା ବିଜେଡିର ଭୟ । ବିଜୟଙ୍କୁ ବିଧାନସଭାରେ ପୂରାଇ ନ ଦେବାକୁ ନବୀନ ପଣ କରିଛନ୍ତି । ଯେନତେନ ଉପାୟରେ ପାଟକୁରା ନିର୍ବାଚନ ଜିତିବା ପାଇଁ ଅଧ ଡର୍ଜନ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାରେ ପ୍ରଚାର ଲାଗି ଭର୍ତ୍ତି କରିଛନ୍ତି । ପାଟକୁରାବାସୀ ସଚେତନଶୀଳ । ଏଠି ଟେବୁଲ ତଳ କାରବାର କାମ କରିବ ନାହିଁ । ୧୯୮୦ ମସିହାରେ ପାଟକୁରାରେ ବିଜୁ ବାବୁ ବିଜୟଙ୍କୁ ପ୍ରାର୍ଥୀ କରାଇଥିଲେ । କହିଥିଲେ ମୁଁ ବଡ ବିଜୁ, ବିଜୟ ସାନ ବିଜୁ । ସାନ ନଦୀର ସୁଅ ଟାଣ ବୋଲି ଡା. ରାଉତ ଚେତାଇ ଦେଇଛନ୍ତି । ନବୀନଙ୍କ କ୍ରୁରତା ବିଜୟଙ୍କୁ ୨୦ ବର୍ଷ ହେଲା ବିଧାନସଭାରୁ ଦୂରେଇ ରଖିପାରିଛି ବୋଲି ଡା. ରାଉତ କହିଛନ୍ତି ।

Leave A Reply

Your email address will not be published.