OnaKhabar

ଚର୍ଚ୍ଚାରେ ବିଜେପି ପାଇଁ ସଂସଦରେ ଭର୍ତ୍ତୁହରିଙ୍କ ଓକିଲାତି

0 0

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ଆଡକୁ ଟିକେ ଢଳିବା ପରେ ଏବେ ତାଙ୍କ ଦଳର ସାଂସଦ ପାଦେ ଆଗକୁ ବଢିଛନ୍ତି । ବିଜେପି ପାଇଁ ଲୋକସଭାରେ ବିଜେଡି ସାଂସଦଙ୍କ ଓକିଲାତି ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡି ସାଂସଦ ଭର୍ତ୍ତୃହରି ମହାତାବ ବିଜେପିର ପଥପ୍ରର୍ଦଶକ ଓ ଆର୍ଦଶ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଲୋକସଭାରେ ତଦନ୍ତ ଦାବୀ କରିଛନ୍ତି । ଏହାର ତଦନ୍ତ ଏପର୍ଯ୍ୟନ୍ତ ହୋଇନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ବିଜେପିର ଏକାକୀ ୩୦୫ ସାଂସଦ ଏଥର ଲୋକସଭାକୁ ଜିତିଛନ୍ତି । ଏହାଛଡା ସହେଯାଗୀ ସଦସ୍ୟମାନେ ବି ଅଛନ୍ତି । ଏହା ସତ୍ତେ୍ୱ ବିଜେଡି ସାଂସଦଙ୍କ ଓକିଲାତି ପଛର ରହସ୍ୟ ନେଇ ଏବେ ପ୍ରଶ୍ନ ଉଠିଛି । ବିରୋଧୀ ଏହାକୁ ନେଇ ସମାଲୋଚନା କରିଛନ୍ତି । ବିଜେପି ଏବେ ନିଜ ଭାଷା ବିଜେଡି ମୁହଁରେ କୁବାଇବା ଆରମ୍ଭ କରିଛି ବୋଲି ବିରୋଧୀ କଟାକ୍ଷ କରିଛନ୍ତି ।
ବିଜେପି – ବିଜେଡି ଭିତରେ ଏହି ନିର୍ବାଚନ ସମୟରେ ଓ ନିର୍ବାଚନ ପୂର୍ବରୁ କେତେ ତିକ୍ତତା ଥିଲା ତାହା ଓଡିଶାବାସୀଙ୍କୁ ଅଛପା ନାହିଁ । କିନ୍ତୁ ନିର୍ବାଚନ ପରେ ହଠାତ ନବୀନ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସର୍ମଥନ କରିବା ପରେ ଭିନ୍ନ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି । ବିଜେପି- ବିଜେଡି ଭିତରେ ଆଉ ସେପରି ତିକ୍ତତା ନଥିବା ଦେଖାଯାଉଛି । ଯାହା ବି ବିରୋଧ ହେଉଛି କି ସମାଲୋଚନା କରାଯାଉଛି ତାହା କେବଳ ଔପଚାରିକ ଦୃଷ୍ଟିରୁ କରାଯାଉଛି ବୋଲି କୁହାଯାଉଛି । ଏକଥା ଦେଖି ବିଜେଡିର ନେତାମାନେ ଆଉ ବିଜେପି ବିରୋଧୀ ନ ହୋଇ କିଏ ପ୍ରଶଂସା କରୁଛି ତ କିଏ ମାପିଚୁପି ମତ ରଖୁଛି । କେହି କଠୋର ଭାଷାରେ କାହାକୁ ସମାଲୋଚନା କରୁନାହାନ୍ତି । ଏବେ ଲୋକସଭାରେ ବଜେଟ ଉପସ୍ଥାପନ ହୋଇଛି । ଏହି ବଜେଟରେ ଓଡିଶାକୁ କିଛି ସ୍ୱତନ୍ତ୍ର ପ୍ୟାକେଜ ମିଳିନାହିଁ । ହେଲେ ବଜେଟ ପ୍ରତିକ୍ରିୟାରେ ମାପିଚୁପି ମତ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦଳ ମୁଖିଆଙ୍କ ଆଭିମୁଖ୍ୟକୁ ଦେଖି ପାଦେ ଆଗେଇ ଯାଇଛନ୍ତି ସାଂସଦ ଭର୍ତ୍ତୃହରି ମହାତାବ । ବଜେଟରେ ବେଶ ପ୍ରଶଂସା କରିଥିଲେ କେନ୍ଦ୍ର ସରକାରଙ୍କୁ । ଭର୍ତ୍ତୃହରି କହିଥିଲେ ଏହା ଏକ ଐତିହାସିକ ବଜେଟ । ଦେଶ ଆଉ ଏକ ନୂଆ ସୋପାନକୁ ଯାଉଛି । ବିଶ୍ୱରେ ଆର୍ଥିକ ଅବନୀତି ଘଟିଥିଲା ବେଳେ ଗତ ୫ ବର୍ଷରେ ଭାରତରେ ବିକାଶ ଘଟିଛି । ଆଗାମୀ ଦିନରେ ବିଶ୍ୱସ୍ତରରେ ଆହୁରି ଅବନତୀ ଘଟିବାକୁ ଯାଉଛି । ଏପରି ସ୍ଥଳରେ ଭାରତର ଅର୍ଥନୀତିକୁ ୫ ଟିଲିୟନ ୟୁଏସ ଡଲାର କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ସ୍ୱାଗତ ଯୋଗ୍ୟ ।
ଏଭଳି ପ୍ରଶଂସା ପରେ ଭର୍ତ୍ତୃହରି ବିଜେପିର ନେତାଙ୍କ ପାଇଁ ସଂସଦରେ ଦାବୀ ଉଠାଇଛନ୍ତି । ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା ବି ବିଜେପିର ପ୍ରତିଷ୍ଠାତା ସ୍ୟାମାପ୍ରସାଦ ମୁର୍ଖାଜୀଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗକୁ ଲୋକସଭାରେ ଉଠାଇଛନ୍ତି ଭର୍ତ୍ତୃହରି । ଏ ଘଟଣା ବହୁ ପୁରୁଣା ହୋଇଥିଲେ ବି ଏକଥା ଉଠାଇ ଭର୍ତ୍ତୃହରି କହିଛନ୍ତି, ଶ୍ୟାମାପ୍ରସାଦ ମୁଖର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ପ୍ରସ୍ତାବକୁ ପଶ୍ଚିମବଙ୍ଗ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । ହେଲେ ଏତେ ବର୍ଷ ପରେ ବି କେନ୍ଦ୍ର ସରକାର ତାହା ଉପରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ନୂଆ ସରକାର ଏ ଦିଗରେ ପଦେକ୍ଷପ ନେବେ ବୋଲି ସେ ଆଶା ବ୍ୟକ୍ତ କରିିଛନ୍ତି । ସୁବାସ ବୋଷଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଯଦି ତଦନ୍ତ କରାଯାଇପାରିଛି ତେବେ ଶ୍ୟାମାପ୍ରସାଦଙ୍କ ମୃତ୍ୟୁକୁ ନେଇ କାହିଁକି ତଦନ୍ତ କରା ନ ଯିବ । କେନ୍ଦ୍ର ସରକାର ଏ ଦିଗରେ ପଦ କ୍ଷେପ ନେବାକୁ ସେ ଦାବୀ କରିଛନ୍ତି ।
ଭର୍ତ୍ତୃହରିଙ୍କ ଏଭଳି ବିଜେପି ଆଡକୁ ଢଳିବା ପଛରେ ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି । ଲୋକସଭା ଉପବାଚସ୍ପତି ପଦ ପାଇଁ ଜାତୀୟ ଗଣମାଧ୍ୟମରେ ଭର୍ତ୍ତୃହରିଙ୍କ ନାଁ ଚର୍ଚ୍ଚା ହେବା ପରେ ସେ ଏନେଇ ଆଗ୍ରହୀ ହୋଇ ଉଠିଛନ୍ତି । ଏଣୁ ଏହି ପଦବୀ ପାଇବା ପାଇଁ ବିଜେପିକୁ ସନ୍ତୁଷ୍ଟ କରି ନବୀନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏକ ପ୍ରୟାଶ କରିଥିବା କଥା କୁହାଯାଉଛି । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମାଲୋଚନା କରି କହିଛନ୍ତି, ଭର୍ତ୍ତୃହରି ମହାତାବ ବହୁ ଦିନ ହେଲା ସାଂସଦ ଭାବେ ରହିଲେଣି । ବାଚ୍ଚପେୟୀ ସରକାରରେ ମଧ୍ୟ ବିଜେଡି ସରକାରରେ ଥିଲେ । ସେତେବେଳେ କାହିଁକି ଉଠିଲା ନାହିଁ ବୁଝା ପଡୁନାହିଁ । ଏବେ ଯେତେବେଳେ ବିଜେଡି ଏକଥା ଉଠାଉଛି ଏଥିରେ ସ୍ପଷ୍ଟ ହେଉଛି ଯେ, ବିଜେପି ତାର କଥାକୁ ନିଜେ ନକହି ବିଜେଡି ମାଧ୍ୟମରେ କୁହାଇବ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

Leave A Reply

Your email address will not be published.