OnaKhabar

କୁଆଡେ ଗଲା ବିଜେଡିର ପୋଲାଭରମ କମିଟି !

49

ଭୁବନେଶ୍ୱର (ବିପିନ ସିଂହ) : ପୋଲାଭରମ ପ୍ରକଳ୍ପ ଉପରେ ବିଜେଡି ଏକ ଦଳୀୟ କମିଟି ଗଠନ କରିଥିଲା । ସ୍ଥିତି ପରଖି ରିପୋର୍ଟ ଦେବା ପାଇଁ ଉଦ୍ଦେଶ୍ୟ ରଖା ଯାଇଥିଲା । ହେଲେ ଏହି କମିଟିର ସ୍ଥିତି ଏବେ କଣ ଓ କୁଆଡେ ଗଲା କମିଟି ତାହାର କିଛି ଖୋଜ ଖବର ନାହିଁ । କମିଟି ଗଠନ ହେଲା ପରେ କେତେଥର ଏହାର ବୈଠକ ବସିଛି ତାହା ମଧ୍ୟ ସନ୍ଦେହ ଭିତରେ ରହିଛି । ଏବେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ ଆଉ ଦୁଇ ବର୍ଷ ସମୟ ଦେବା ପରେ ଏହି କମିଟି କଥା ଏବେ ପଦାକୁ ଆସିଛି । ବାସ୍ତବିକ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କମିଟି ସଦସ୍ୟମାନେ କଣ ପଦକ୍ଷେପ ନେଇଛନ୍ତି, ତାହା ରାଜ୍ୟବାସୀଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି ।
କେନ୍ଦ୍ର ସରକାର ପୂର୍ବରୁ ଯେତେବେଳେ ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ସରକାରଙ୍କୁ ସହାୟତା ଦେବା ଆରମ୍ଭ କଲେ ଏବଂ ସହେଯାଗ କରିଚାଲିଲେ ତାକୁ ନେଇ ବହୁତ ହୋ ହଲ୍ଲା ହୋଇଥିଲା । ବିଜେଡି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲା । ଅଧିକ ଭାବରେ ସ୍ଥିତିକୁ ଅନୁଧ୍ୟାନ କରିବା ଘଟଣା ସ୍ଥଳକୁ ଯାଇ ବାସ୍ତବ ଚିତ୍ରର ତଦାରଖ କରିବା ଉଦ୍ଦେଶ୍ୟରେ ଏକ ଦଳୀୟ କମିଟି ଗଠନ କରାଯାଇଥିଲା । ଏଥିରେ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁ ପ୍ରମୁଖ ସଦସ୍ୟ ଥିଲେ । ବିଜେଡି ହାତରେ କୌଣସି ତଥ୍ୟ ନଥାଇ କେବଳ ରାଜନୀତି କରିବା ପାଇଁ ଦଳ ପୋଲାଭରମ ପ୍ରସଙ୍ଗ ଉଠାଉଛି ବୋଲି ଯେତେବେଳେ ବିଜେପି ଅଭିଯୋଗ କଲା ଓ ସମାଲୋଚନା ହେଲା ତାକୁ ଭିତ୍ତି କରି ବିଜେଡି ଏହି କମିଟି କରିଥିଲା । କମିଟିର ଉଦ୍ଦେଶ୍ୟ ଥିଲା ସେମାନେ ଆନ୍ଧ୍ରପ୍ରଦେଶ ଯାଇ ପ୍ରକଳ୍ପ ସ୍ଥଳରେ ପହଁଞ୍ଚିବେ । ବାସ୍ତବରେ ନିର୍ମାଣ ଚାଲିଛି ନା ନାହିଁ ଓ ପ୍ରକଳ୍ପର କଣ ଅଗ୍ରଗତି ଘଟିଛି ସେ ବିଷୟରେ ସବିଶ୍ୟଷ ତଥ୍ୟ ସଂଗ୍ରହ କରିବେ । ତଥ୍ୟ ତର୍ଜମା କରି ଦଳ ସୁପ୍ରିମୋକୁ ରିପୋର୍ଟ ଦେବେ । କିନ୍ତୁ ଯାହା ସୂଚନା ମିଳୁଛି ଏହି କମିଟି ଗଠନ ହେବା ପରେ ଆଉ ଲୋକଲୋଚନକୁ ଆସିନାହିଁ । ସଦସ୍ୟମାନଙ୍କ ନାଁ କେବଳ ଘୋଷଣା ଭିତରେ ସୀମିତ ରହିଯାଇଛି । ସଦସ୍ୟମାନେ କେବେ ଏକାଠି ବସିବା ଓ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ଜଣାପଡିନାହିଁ । ଲୁଚାଛପାରେ ଯଦି ବସିଥିବେ ତାହା ଭିନ୍ନ କଥା । ହେଲେ ଯେଉଁ ଉଦ୍ଦ୍ୟେ କରାଯାଇଥିଲା ତାହା ଫେଲ ମାରିଛି ।
ସରକାରୀ ସ୍ଥଳରେ ପୋଲାଭରମ ପ୍ରକଳ୍ପ ଉପରେ ଏପର୍ଯ୍ୟନ୍ତ ସଠିକ ତଥ୍ୟ ଆକଳନ କରାନ ଯାଇଥିବା କଥା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । ସରକାର ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ରଖିଛନ୍ତି । ଏବେ ସରକାର କହୁଛନ୍ତି ଏହି ପ୍ରକଳ୍ପ ହେଲେ ୧୫ଟି ଗ୍ରାମ ଓ ୧୦ଟି ପଡା ପ୍ରଭାବିତ ହେବ । ୫ ହଜାର ୮୦୦ ରୁ ଉଦ୍ଧ୍ୱ ଆଦିବାସୀ ଓ ୬ ହଜାର ୮୦୦ରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହେବେ ।
ଏପିରିକି ବିଧାନସଭାରେ ମଧ୍ୟ ଏକ କମିଟି ଗଠନ କରାଯାଇଥିଲା । ସେ କମିଟି ଗଠନ ହେବା ପରେ ତାର କୌ÷÷ଣସି ଅଗ୍ରଗତି ଘଟି ନଥିଲା । ବିଭିନ୍ନ ସମୟରେ ପରିସ୍ଥିତିକୁ ଦେଖି କେବଲ ଉଦବେଗ ପ୍ରକାଶ କରାଯାଉଛି । ଲୋକେ ଜାଣିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏକ ଧାରଣ ଦିଆଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ସମସ୍ତେ ପ୍ରସଙ୍ଗକୁ ଭୁଲି ଯାଉଛନ୍ତି । ଏହା ପରେ ଓଡିଶାର କେବଳ କ୍ଷତି ହେବା ବ୍ୟତୀତ ଅନ୍ୟ କିଛି ସୁଫଳ ହେଉ ନାହିଁ । କୌଣସି କ୍ଷେତ୍ରରେ ଆଜି ଯାଏଁ କେନ୍ଦ୍ର ବିରୋଧରେ ଏଭଳି ସ୍ୱର ଉଠା ଯାଇପାରିନାହିଁ ଯେଉଁଥିରେ ବାଧ୍ୟ ହୋଇ ସରକାର ଓଡିଶା ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ଆଗେଇ ଆସିଛନ୍ତି । ବର୍ତ୍ତମାନ ସୁଯୋଗ ଆସିଛି କେନ୍ଦ୍ର ବିରୋଧରେ ଓଡିଶାର ସ୍ୱରକୁ ସ୍ଥାଣିତ କରିବା ପାଇଁ । ଏ କ୍ଷେତ୍ରରେ କେତେ ଦୂର ରାଜନୈତିକ ଦଳଗୁଡିକ ସକ୍ଷମ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଥିବା କୁହାଯାଉଛି ।

https://www.onakhabar.com/2019/06/polaverm-contreversy/