OnaKhabar

ଏବେ ବିଜେଡି ଉପରେ ନଜର

52

ଭୁବନେଶ୍ୱର: ଲୋକସଭା ଉପାଧ୍ୟକ୍ଷ ନିର୍ବାଚନ ଏଯାଏଁ ହୋଇ ନାହିଁ । ଏହି ପଦବୀ ଲୋକସଭା ପରମ୍ପରା ଅନୁସାରେ ବିରୋଧୀ ପକ୍ଷକୁ ଯାଇଥାଏ । ଏଥର ବିଜେପି ଓ୍ବାଇଏସଆର କଂଗ୍ରେସକୁ ସର୍ମଥନ କରିବ ବୋଲି କୁହାଯାଉଥିଲା । କିନ୍ତୁ ଜାତୀୟ ଗଣମାଧ୍ୟମରେ ବିଜେଡି ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ଇତି ମଧ୍ୟରେ ଏହି ପଦବୀ ପାଇଁ ଓ୍ବାଇଏସଆର କଂଗ୍ରେସ ମନା କରିଦେଇଛି । ଏ କ୍ଷେତ୍ରରେ ବିଜେଡି ପାଇଁ ଏବେ ବାଟ ପୂରା ସଫା ହୋଇଯାଇଛି । ବର୍ତ୍ତମାନ କଥା ଉଠୁଛି ବିଜେଡି ଏହି ପଦବୀ ପାଇବା ପାଇଁ ଦାବୀ କରିବ କି ନାହିଁ । ଆରମ୍ଭରୁ ଯଦିଓ କୁହାଯାଉଥିଲା ବିଜେଡିର ଆବଶ୍ୟକ ସଂଖ୍ୟା ନାହିଁ ତେଣୁ ପ୍ରାର୍ଥୀ ଦବାର ସମ୍ଭାବନା ନାହିଁ । ହେଲେ ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ସେ ସ୍ଥିତି ଆଉ ନାହିଁ । ଆବଶ୍ୟକ ସଂଖ୍ୟା ନଥିଲେ ବି ରାଜ୍ୟସଭା ନିର୍ବାଚନରେ ବିଜେଡି ସର୍ମଥନ ଦେଇ ବିଜେପି ପ୍ରାର୍ଥୀକୁ ଜିତାଇଛି । ଏଣୁ ଅନେକ ଏବେ ମତ ଦେଉଛନ୍ତି ବିଜେଡି କାହିଁକି ଲୋକସଭା ଉପାଧ୍ୟକ୍ଷ ଭଳି ଏକ ସାମ୍ବିଧାନିକ ପଦବୀ ପାଇବା ପାଇଁ ଦାବୀ ନ କରୁଛି । ବର୍ତ୍ତମାନ ଉପଯୁକ୍ତ ସମୟ ଓ ସୁଯୋଗ ବିଜେଡି ହାତରେ ଅଛି । ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏହି ପଦବୀ ପାଇଁ ଓଡିଶା ଦାବୀଦାର ହେବା ଉଚିତ ବୋଲି କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଦିଲ୍ଲୀ ଯାଇଥିଲେ ସେତେବେଳେ ଆଶା ରଖାଯାଇଥିଲା ଯେ, ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ନେଇ ମୋଦିଙ୍କ ସହ ନବୀନ ଆଲୋଚନା କରିବେ । କିନ୍ତୁ ସେ ଆଲୋଚନା କଲେ ନାହିଁ । ଏନେଇ ଉଭୟଙ୍କ ଭିତରେ ଆଲୋଚନା ହୋଇନଥିବା କଥା ନବୀନ କହିଲେ । ଯେତେବେଳେ ପ୍ରଶ୍ନ ଉଠିଲା କାହିଁକି ବିଜେଡି ବିରୋଧୀ ଦଳ ହିସାବରେ ଏହି ଦାବୀ କରୁନାହିଁ ସେତେବେଳେ ବିଜେଡି ମୁଖପାତ୍ରମାନେ କହିଲେ ଏନେଇ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଯେତିକିିଁ ସାଂସଦ ବିଜେଡିର ଜିତିଛନ୍ତି ସେଥିରେ ପ୍ରାର୍ଥୀ ଦେବା ସମ୍ଭବ ନୁହେଁ । ବିଜେଡି ଠାରୁ ଲୋକସଭାରେ ଓ୍ବାଇଏସଆର କଂଗ୍ରେସର ଅଧିକ ସାଂସଦ ଅଛନ୍ତି । କିନ୍ତୁ ଏବେ ଯେତେବେଳେ ଓ୍ବାଇଏସଆର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏହି ପଦବୀ ପାଇଁ ତାଙ୍କ ଦଳ ଆଗ୍ରହୀ ନାହିଁ ବୋଲି ମନା କରିଦେଇଛନ୍ତି, ସେତେବେଳେ ବିଜେଡି ପାଇଁ ବାଟ ସଫା ହୋଇଛି । ଓ୍ବାଇଏସଆର ମନା କଲା ପରେ ବିରୋଧୀ ଦଳ ଭାବେ ତ୍ରୁଣମୂଳ କଂଗ୍ରେସର ଅଧିକ ସାଂସଦ ଅଛନ୍ତି କିନ୍ତୁ ବିଜେପି ଆଉ ଯେଉଁ ତିକ୍ତ ଲଢେଇ ଚାଲିଛି ସେଥିରେ କେହି କାହାରି ସର୍ମଥନ ଦେବା ଓ ନେବା ସ୍ଥିତିରେ ନାହାନ୍ତି । ଏଣୁ ବିଜେଡି ପାଇଁ ହିଁ ଏକ ମାତ୍ର ସୁଯୋଗ ରହିଛି ।
ବର୍ତ୍ତମାନ ଆଲୋଚନା ହେଉଛି ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିରେ ବିଜେଡି ହିଁ ମୁଖ୍ୟ ଦାବୀଦାର ହେବା ଉଚିତ । କାରଣ ଓଡିଶାରେ ଯେଉଁ ରାଜ୍ୟସଭା ନିର୍ବାଚନ ଏବେ ହେଲା ସେଥିରେ ବିଜେପି କୌଣସି ପରିସ୍ଥିତିରେ ଗୋଟିଏ ପଦବୀ ପାଇପାରିନଥାନ୍ତା । ବିଜେଡି ଏ କ୍ଷେତ୍ରରେ ବିଜେପିକୁ ଗୋଟିଏ ରାଜ୍ୟସଭା ପଦବୀ ଟେକିଦେଲା । ଖାଲି ହୋଇଥିବା ତିନୋଟି ଯାକ ଆସନରେ ବିଜେଡି ହିଁ ଜିତିଥାନ୍ତା । କିନ୍ତୁ ଦୁଇଟି ଆସନ ରଖି ଗୋଟିଏ ଆସନ ବିଜେପିକୁ ଦେଲା । ଏ କ୍ଷେତ୍ରରେ କୁହାଯାଉଛି ବିଜେପିର ଯଦି ଓଡିଶାରେ ଆବଶ୍ୟକ ସଂଖ୍ୟା ନଥାଇ ବିଜେଡି ସହାୟତାରେ ଗୋଟିଏ ରାଜ୍ୟସଭା ଆସନ ପାଉଛି, ସେହିଭଳି ଲୋକସଭାରେ ବିଜେଡିର ଆବଶ୍ୟକ ସଂଖ୍ୟା ନଥିଲେ ବି ବିଜେପି ସହୟତାରେ କାହିଁକି ଉପାଧ୍ୟକ୍ଷ ପଦବୀ ପାଇବ ନାହିଁଁ ।
ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଠାରୁ ତାଙ୍କର ସମଦୂରତା ନୀତି ପ୍ରତ୍ୟାହାର କରିସାରିଲେଣି । ତାଙ୍କର ବର୍ତ୍ତମାନ ନୀତି ହେଉଛି ଓଡିଶାର ସ୍ୱାର୍ଥ ରକ୍ଷା କରିବା । ଓଡିଶାର ସ୍ୱାର୍ଥ ପାଇଁ ସେ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଛନ୍ତି । ଏ କ୍ଷେତ୍ରରେ ବିଜେପିି ସହୟତାରେ ବିଜେଡି ଲୋକସଭା ଉପାଧ୍ୟକ୍ଷ ଆସନ ପାଇବାରେ କିଛି ଅସୁବିଧା ନାହିଁ ବୋଲି କୁହାଯାଉଛି । ଏଠି ପ୍ରଶ୍ନ ଉଠୁଛିି ବିଜେଡି ଯେତେବେଳେ ବିଜେପିକୁ ସହାୟତା କରୁଛି ସେତେବେଳେ ବିଜେଡି କାହିଁକି ସହାୟତା ନେବ ନାହିଁ । ଓଡିଶାରୁ ଅତୀତରେ ଜଣେ ଲୋକସଭା ଅଧ୍ୟକ୍ଷ ଥିଲେ । ରବି ରାୟ ଲୋକସଭା ବାଚସ୍ପତି ହୋଇଥିଲେ । ବର୍ତ୍ତମାନ ହେଲା ଭଳି ସ୍ଥିତି ନାହିଁ । କିନ୍ତୁ ସୁଯୋଗ ଯେତେବେଳେ ଉପ ବାଚସ୍ପତି ପାଇଁ ରହିଛି ତାକୁ ହାତ ଛଡା କରିବା ଉଚିତ ହେବ ନାହିଁ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ କହିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଦ ଟେକି ଦେଲେ, ସେହିପରି ମୁଖ୍ୟମନ୍ତ୍ରୀ କହିଲେ ପ୍ରଧାନମନ୍ତ୍ରୀ ନିଶ୍ଚୟ ଲୋକସଭା ଉପାଧ୍ୟକ୍ଷ ପଦବୀ ଓଡିଶାକୁ ଦେବାରେ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛି ।